ଓଡ଼ିଆ ବାର୍ତ୍ତା ଷଷ୍ଠ ବର୍ଷରେ ପଦାର୍ପଣ କରିଛି। ଡିଜିଟାଲ୍ ଗଣମାଧ୍ୟମ ଭାବେ ଏହା ନିରନ୍ତର ଖବର ପ୍ରସାରଣ କରି ରାଜ୍ୟର ହଜାର ହଜାର ପାଠକ ପାଠିକାଙ୍କ ଆସ୍ଥା ଭାଜନ ହୋଇପାରିଛି। ଗଣମାଧ୍ୟମ କୂଳର ଚୋରାବାଲିରେ ପାଦଥାପି ଠିଆହୋଇ ନିଜର ପରିଚୟରେ ନିଜେ ପରିଚିତ ହେବା ଏତେ ସହଜ କଥା ନୁହେଁ। ଅଥଚ ବିଗତ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଆ ବାର୍ତ୍ତା ପାଠକ ମହଲରେ ଖୁବ୍ ଜଣାଶୁଣା ଓ ପରିଚିତ ନାଁ ଟିଏ ହୋଇସାରିଛି। ଏଥିପାଇଁ ପାଠକମାନଙ୍କ ସହଯୋଗ ଯେତିକି ଜରୁରୀ, ସେତିକି ସେତିକି ଜରୁରୀ ଆମର ପ୍ରିୟ ପ୍ରତିନିଧିମାନଙ୍କର ପରିଶ୍ରମ ଓ ପୃଷ୍ଠପୋଷକ ତଥା ବିଜ୍ଞାପନଦାତାମାନଙ୍କର ସହଯୋଗ। ସେଥିପାଇଁ ଏହି ଶୁଭ ଅବସରରେ ଆପଣ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛୁ। ଓଡ଼ିଶାର ମାଟି ପବନର ବାସ୍ନା ନିଆରା। ଏହି ରାଜ୍ୟର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ସାରା ବିଶ୍ବର ଦେବତା। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାକାର ହୋଇଯାଆନ୍ତି ଶ୍ରୀକ୍ଷେତ୍ର ମାଟିରେ। ପତିତ ଜନଙ୍କୁ ଉଦ୍ଧାରିବା ପାଇଁ ମହାବାହୁ ରତ୍ନ ସିଂହାସନରୁ ଓହ୍ଲାଇ ଆସି ସମସ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଜଗନ୍ନାଥଙ୍କ ତତ୍ତ୍ୱ ବିଶାଳ, ଅନ୍ତହୀନ ମଧ୍ୟ। ଏଠି ଗଜପତି ନାମକୁ ମାତ୍ର ଦଣ୍ଡଧାରୀ। ଅସଲ ଶାସନ କର୍ତ୍ତା ଜଗନ୍ନାଥ। ସେ ଭକତ ଭାବରେ ବନ୍ଧା। ଭକ୍ତ ତାଙ୍କ ଜୀବନ ଧନ। ଗଜପତି ସେହି ମହାପ୍ରଭୁଙ୍କ ପ୍ରଥମ ସେବକ। ସେବା ହିଁ ଆନନ୍ଦ ମାର୍ଗର ଉତ୍ତମ ପଥ, ଏହା ଉଦଘୋଷଣ କରେ ଜଗନ୍ନାଥ ସଂସ୍କୃତି। ଓଡ଼ିଶା ବିଶେଷ କରି ଜଗନ୍ନାଥ ଧାମରେ ସବୁ ମତ ସବୁ ପଥ ଏକାକାର ହୋଇଯାଇଛି। ଏହି ମାଟିର କୃଷକ ହଳ କରିବା ସମୟରେ ମହାପ୍ରଭୁଙ୍କୁ ସ୍ମରଣ କରି ଗାନ କରିଥାଏ ହଳିଆ ଗୀତ। ଏହି ମାଟିର ମଣିଷ ଜଗନ୍ନାଥଙ୍କୁ ନିଜର ବନ୍ଧୁ, ସଖା ଓ ପ୍ରଭୁ ଭାବେ ବିବେଚନା କରିଥାଏ। ଓଡ଼ିଶା ଅତୀତରେ ଏକ ସମୃଦ୍ଧ ରାଜ୍ୟ ଭାବେ ସାରା ଆର୍ଯ୍ୟବର୍ତ୍ତରେ ସୁପରିଚିତ ଥିଲା। ସାଧବ ପୁଅ ଦରିଆ ପାରି ହୋଇ ବିଦେଶକୁ ଯାଇ ବେପାର ବଣିଜ କରୁଥିଲା। ପ୍ରାଚୀନ କାଳରେ ଓଡ଼ିଶା କଳିଙ୍ଗ, ଉତ୍କଳ ଆଦି ବିବିଧ ନାମରେ ପରିଚିତ ଥିଲା। ଏକ ସମୃଦ୍ଧିଶାଳୀ ରାଜ୍ୟ ହୋଇଥିବାରୁ ମୌର୍ଯ୍ୟ ସମ୍ରାଟ ଅଶୋକ କଳିଙ୍ଗ ଅଧିକାର କରିବା ପାଇଁ ମଗଧରୁ ଆସି ଏଠାରେ ଭୟାବହ ଯୁଦ୍ଧ କରିଥିଲେ। କଳିଙ୍ଗ ଯୁଦ୍ଧରେ ଲକ୍ଷ ଲକ୍ଷ ଲୋକଙ୍କ ପ୍ରାଣହାନି ଘଟିଲା। ଦୟା ନଦୀର ପାଣି ରକ୍ତରେ ଭରିଗଲା। ସମ୍ରାଟ ଅଶୋକଙ୍କ ମନ ବିଚଳିତ ହେବାକୁ ଲାଗିଲା। ସେ ବୌଦ୍ଧ ଧର୍ମ ଗ୍ରହଣ କରି ଚଣ୍ଡାଶୋକରୁ ଧର୍ମାଶୋକ ହେଲେ। ସେ ନିଜ ପୁତ୍ର ମହେନ୍ଦ୍ର, କନ୍ୟା ସଂଘମିତ୍ରାଙ୍କୁ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ଦିଗରେ ନିୟୋଜିତ କଲେ। କଳିଙ୍ଗ ଯୁଦ୍ଧ ଜଣେ ହୃଦୟହୀନ ଶାସକଙ୍କୁ ଉତ୍ତମ ଶାସକରେ ପରିଣତ କରିଦେଲା। ଯୁଦ୍ଧ ହୋଇଥିବା ସ୍ଥାନରେ ଶାନ୍ତି ସ୍ଥୁପ ସ୍ଥାପନ ହୋଇ ସାରା ବିଶ୍ବକୁ ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରେରଣ କରୁଛି। ଖାରବେଳ, ଯଯାତିକେଶରୀ, କପିଳେନ୍ଦ୍ର ଦେବ ପରି ଅନେକ ରାଜା ମହାରାଜ ଏହି ମାଟିର ମାନ ରକ୍ଷା କରିଆସିଛନ୍ତି। ଓଡ଼ିଶା କଳା, ସଂସ୍କୃତିର ଗନ୍ତାଘର। ମନ୍ଦିର ଗାତ୍ରରେ ପ୍ରସ୍ତର ମୂର୍ତ୍ତିକୁ ଜୀବନ୍ତ କରି ପାରୁଥିଲେ ଏଠାକାର ବଢ଼େଇ। କୋଣାର୍କ ମନ୍ଦିର, ଲିଙ୍ଗରାଜ ମନ୍ଦିର ପରି ଅନେକ ମନ୍ଦିର ଅତୀତର ଗୈାରବ ଗାଥା ବଖାଣ କରିଥାନ୍ତି। ସାରା ରାଜ୍ୟରେ ବର୍ଷସାରା ବାର ମାସରେ ତେର ପର୍ବ ପାଳିତ ହୋଇଥାଏ। ଏହି ମାଟିରେ ବିଭିନ୍ନ ଧର୍ମାବଲମ୍ବୀ ବସବାସ କରିଥାନ୍ତି। ସମସ୍ତେ ନିଜ ନିଜ ମଧ୍ୟରେ ଭାଇଚାରା ସୃଷ୍ଟି କରି ଶାନ୍ତିର ସହ ସହବସ୍ଥାନ କରିଥାନ୍ତି। ଏପରି ଏକ ମାଟିରେ ଜନ୍ମଲାଭ କରି ଆମେ ନିଜକୁ ଧନ୍ୟ ମନେକରୁଛୁ। ମାଟି ମା’ର ସେବା ପାଇଁ ବିଭିନ୍ନ ମାଧ୍ୟମ ରହିଛି। ରାଜ୍ୟର କୋଣ ଅନୁକୋଣର ଖବରକୁ ସଠିକ୍ ଢଙ୍ଗରେ ଉପସ୍ଥାପିତ କରି ନିଜର କର୍ତ୍ତବ୍ୟକୁ ସୁଚାରୁରୂପେ ସଂପାଦନ କରୁଛି ଓଡ଼ିଆ ବାର୍ତ୍ତା। ଏହା ଶାନ୍ତି ମୈତ୍ରୀର ବୈଜୟନ୍ତୀ ବାନା ଉଡ଼ାଇ ଓଡ଼ିଶା ମାଟିର ଗୁଣଗାନ କରୁଛି। ଓଡ଼ିଶାବାସୀଙ୍କ ଅସରନ୍ତି ସ୍ନେହ ଶ୍ରଦ୍ଧା ଓ ଭଲପାଇବାକୁ ପାଥେୟ କରି ଓଡ଼ିଆ ବାର୍ତ୍ତା ଷଷ୍ଠ ବର୍ଷରେ ପଦାର୍ପଣ କରିଛି। ଏମିତି ଆପଣମାନଙ୍କ ଭଲପାଇବା ଆମ ପ୍ରତି ରହିଥାଉ। ମହାପ୍ରଭୁ ସମସ୍ତଙ୍କ ମଙ୍ଗଳ କରନ୍ତୁ। ସମସ୍ତେ ସୁସ୍ଥ, ନିରାମୟ ଓ ସମୃଦ୍ଧ ଜୀବନ ନିର୍ବାହ କରନ୍ତୁ, ଏତିକି କାମନା।