ବେହେରା ନଦୀ କୂଳରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା) : କୋକସରା ଥାନା ଅଞ୍ଚଳର ବେହେରା ନଦୀକୂଳରୁ ବୁଧବାର ଜଣେ ବୃଦ୍ଧଙ୍କ ମୃତ ଦେହ ପୁଲିସ ଉଦ୍ଧାର କରିଛି। ମୃତକ ଜଣକ ଆମପାଣି ଥାନା କାଉଡୋଲା ଗ୍ରାମର ରୁଦ୍ରପ୍ରସାଦ ସାହୁ(୬୮) ବୋଲି ଜଣାପଡିଛି। ସେ ଗତ କାଲି ସନ୍ଧ୍ୟାରୁ ନିଖୋଜ ଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ଆଜି ବେହେରା ନଦୀକୂଳରେ ଜଣେ ବୃଦ୍ଧଙ୍କ ଶବ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ କୋକସରା ପୁଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ପରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠେଇଛନ୍ତି। ଖବର ସୁଣିବା ପରେ ପରିବାର ଲୋକେ ସେଠାକୁ ଯାଇ ଉଦ୍ଧାର ମୃତ ଦେହ କାଉଡୋଲା ଗ୍ରାମର ରୁଦ୍ରପ୍ରସାଦ ସାହୁ ବୋଲି ଚିହ୍ନଟ କରିଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ, ମୃତକ ବାର୍ଦ୍ଧକ୍ୟ ଯୋଗୁଁ ଉଚ୍ଚ ରକ୍ତଚାପ ଔଷଧ ଖାଉଥିଲେ, କାଲି ସନ୍ଧ୍ୟାରୁ ମାନସିକ ଭାରସାମ୍ୟ ହରେଇ କେଉଁଆଡେ ଚାଲିଯାଇଥିଲେ। ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସୂଚନା ମିଳିନଥିଲା ବୋଲି ପରିବାର ଲୋକେ କହିଛନ୍ତି। ଏନେଇ କୋକସରା ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.