ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତୀୟ ରିଜର୍ଭ ବ୍ୟାଙ୍କ୍ ର ସହାୟତା ତଥା ସାଧନ ନୂଆଦିଲ୍ଲୀ ଓ ସମ୍ପର୍କ ଫିନ୍ ସର୍ଭିସେସ୍ ଭୁବନେଶ୍ୱରର ମିଳିତ ସହଯୋଗରେ ନର୍ଲ। ବ୍ଲକର ପଞ୍ଚାୟତ ସମିତି ସଭା ଗୃହ ଠାରେ ଏକ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶାଖା ପରିଚାଳକ, ମିଶନଶକ୍ତି ବ୍ଲକ ସଂଯୋଜକ ରୋହିତ ବିଶ୍ଵାଳ, ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ, ବାଗପୁର ସରପଞ୍ଚ ଗୋପାଳ ହାତୀ ଓ ମହାଶକ୍ତି ଫାଉଣ୍ଡେସନ ର ପ୍ରତିଷ୍ଠାତା ସଦସ୍ୟ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଉଦ୍ଘାଟନ କରିଥିଲେ। ଏହି କର୍ମଶାଳାରେ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବିଭିନ୍ନ ବ୍ୟାଙ୍କ୍ ଓ ଆର୍ଥିକ ଅନୁଷ୍ଠାନରୁ ପାଇଥିବା ଋଣର ଉଚିତ୍ ବିନିଯୋଗ, ବ୍ୟବସାୟ ପାଇଁ ଆବଶ୍ୟକତା ଅନୁଯାୟୀ ଋଣ ଦରଖାସ୍ତ, ରୋଜଗାର ଭିତ୍ତିକ ବ୍ୟବସାୟର ଆୟ ରୁ ଋଣ କିସ୍ତି ଫେରସ୍ତ ତଥା ଅତ୍ୟଧିକ ଋଣ ଭାରଗ୍ରସ୍ତ ନହେବା ଇତ୍ୟାଦି ବିଷୟରେ ବିଶଦ ଭାବେ ଆଲୋଚନା କରାଯାଇଥିଲା। କର୍ମଶାଳାରେ ଡିଜିଟାଲ ମାଧ୍ୟମରେ ଟଙ୍କା ଆଦାନ ପ୍ରଦାନ କରୁଥିଲେ ଆବଶ୍ୟକ ସତର୍କତା ର ବିଭିନ୍ନ ଦିଗ ବିଷୟରେ ମାର୍ଗଦର୍ଶକ ଅଂଶ ଗ୍ରହଣ କାରୀ ମାନଙ୍କୁ ବୁଝାଇଥିଲେ । ବିଭିନ୍ନ ଅଜଣା ନମ୍ବରରୁ ଆସୁଥିବା ଫୋନ୍ ରେ ନିଜର କୌଣସି ଗୋପନୀୟ ତଥ୍ୟ ଯଥା ବ୍ୟାଙ୍କ୍ ଖାତା ନମ୍ବର, ଓ. ଟି. ପି, ଏ.ଟି.ଏମ କାର୍ଡ ନମ୍ବର, ପାସ୍ କୋର୍ଡ, ଆଧାର କାର୍ଡ, ପାନ୍ କାର୍ଡ ଇତ୍ୟାଦି ନମ୍ବର ବିଷୟରେ କୌଣସି ତଥ୍ୟ ନ ଦେବା ବିଷୟରେ ସତର୍କ କରାଯାଇଥିଲା । ପରିବାରର ବାର୍ଷିକ ଆୟ ଓ ବ୍ୟୟ ଅଟକଳ ଯୋଜନା କରି ଆୟ ଅନୁଯାୟୀ ବ୍ୟୟ କଲେ ହିଁ ପରିବାର ର ଆର୍ଥିକ ସ୍ଥିତି ସୁଦୃଢ ହୋଇ ପାରିବ। ଭବିଷ୍ୟତ ରେ ହେବାକୁ ଥିବା ବିଭିନ୍ନ ଖର୍ଚ୍ଚ କୁ ଆକଳନ କରି ବର୍ଷ ଆରମ୍ଭ ରୁ ସେହି ବ୍ୟୟ ପାଇଁ ବ୍ୟାଙ୍କ୍ ରେ ସଞ୍ଚୟ ରଖିବା ଉପରେ ତାଲିମ୍ ଦାତା ଗୁରୁତ୍ବ ଆରୋପ କରିଥିଲେ । କାର୍ଯ୍ୟକ୍ରମରେ ପ୍ରକାଶ ଚନ୍ଦ୍ର ସାହୁ, ମିଶନ ଶକ୍ତି ବ୍ଲକ ସଂଯୋଜକ ରୋହିତ ବିଶ୍ଵାଳ ଓ ସୁଶ୍ରୀ ମମିତା ପୁଝାରୀ ଯୋଗ ଦେଇ ତାଲିମ୍ ପ୍ରଦାନ କରିଥିଲେ । ସବିତା ସ୍ୱାଇଁ, ଓ ପଞ୍ଚାୟତ ସମିତି ର କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଏହି କର୍ମଶାଳା ରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ , ଗୋଷ୍ଟି ସହାୟିକା, ଏମବିକେ, ମିଳିତ ଉତ୍ତର ଦାୟୀ ଗୋଷ୍ଠୀର ସଦସ୍ୟ/ସଦସ୍ୟା ମନେ ଅଂଶ ଗ୍ରହଣ କରିଥିଲେ।