ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): କଣ୍ଟାମାଲ ବ୍ଲକ ଘିକୁଣ୍ଡି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ହରିଶଙ୍କର ଦାସଙ୍କୁ ଦୁଇ ଜଣ ଅସାମାଜିକ ବ୍ୟକ୍ତି ସ୍କୁଲ ପରିସରରେ କରିଥିବା ପ୍ରାଣାନ୍ତକ ଆକ୍ରମଣ ପରିପ୍ରେକ୍ଷୀରେ ଆଜି କଣ୍ଟାମାଲ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ମନମୁଣ୍ଡା ଡାକ ବଙ୍ଗଳାରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସଂଘର ସଭାପତି ନିଲାଞ୍ଚଳ ଭୋଇ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ଉପ ସଭାପତି ସୁଦାମ ଚରଣ ମିଶ୍ର, ସାଧାରଣ ସମ୍ପାଦକ ଶିଶିର ଖଟୁଆ, ଯୁଗ୍ମ ସମ୍ପାଦକ ରଞ୍ଜୁ ଅମାତ, ପ୍ରଜିନା ପାଢ଼ୀ, ଆନନ୍ଦ ପରମଗୁରୁ, ହୃଦାନନ୍ଦ ଦନ୍ତା, ହୃଷିକେଶ ସିଂ, ଗୋବର୍ଦ୍ଧନ ସାହୁ, ରବିଚନ୍ଦ୍ର ପ୍ରଧାନ, ଷଣ୍ଡେଶ୍ୱର ନାଗ ପ୍ରମୁଖ ଉପସ୍ଥିତ ସମସ୍ତ ଶିକ୍ଷକମାନେ ମଧ୍ୟ ଘଟଣାକୁ ନିନ୍ଦା କରିଥିଲେ। ସୂଚନା ଯୋଗ୍ୟ ଯେ ଗତକାଲି ବୌଦ୍ଧ ଜିଲ୍ଲା ଅନ୍ତର୍ଗତ କଣ୍ଟାମାଳ ବ୍ଲକର ଘିକୁଣ୍ଡି ବିଦ୍ୟାଳୟ ରେ ସେହି ଗ୍ରାମର ବିପିନ ମହାକୁଡ ପ୍ରଚୁର ମଦ୍ୟପାନ କରି କ୍ଲାସ ଚାଲୁଥିବା ସମୟରେ ଛାତ୍ର ଛାତ୍ରୀଙ୍କ ସାମ୍ନାରେ ପ୍ରଧାନ ଶିକ୍ଷକଙ୍କୁ ବହୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି କୋମଳମତି ଶିଶୁଙ୍କୁ ଆକ୍ରମଣ କରିବାପାଇଁ ଉଦ୍ୟମ କଲାବେଳେ ସେଠାରେ ଉପସ୍ଥିତ ଥିବା ଶିକ୍ଷକ ହରିଶଙ୍କର ଦାଶ ବାରଣ କରିଥିଲେ। ଯା ଫଳରେ ମଦ ନିଶାରେ ଚୁର୍ ଥିବା ବିପିନ ତା ସାଥିରେ ଥିବା ଅନ୍ୟଜଣେ ଯୁବକ ମିଥୁନକୁ ମୋବାଇଲ୍ ଅନ କରି ଫଟୋ ଉଠାଇବାକୁ କହି ଫିଲ୍ମ ଷ୍ଟାଇଲ ରେ ଏକ କାଠଫାଳିଆରେ ଶିକ୍ଷକ ଶ୍ରୀ ଦାଶ ଙ୍କୁ ନିର୍ଦ୍ଧୁମ ପିଟିଲା। ସ୍ଵଭାବରେ ବହୁତ ଉଦ୍ଧତ ଥିବା ବିପିନ କିଛିଦିନ ଆଗରୁ ସୋନପୁର ସଦର ବ୍ଲକ ର ସରଧାପାଲି ଗାଁ ସ୍କୁଲ ସାମ୍ନାରେ ତିନି ଜଣ ଛାତ୍ରଙ୍କୁ ଗାଡ଼ି ମଡାଇ ଦୁର୍ଘଟଣା ଘଟାଇଥିବା ବେଳେ ତିନିଛାତ୍ରଙ୍କ ସେସମୟର ମୃତ୍ୟୁ ହୋଇଥିଲା। ଯାହାକି ସାରା ଜ଼ିଲ୍ଲା ସାରା ଓଡିଶା ଲୋକେ ଏ ଘଟଣା ରେ ମର୍ମାହତ ହୋଇ ପଡିଥିବା ବେଳେ ସେହି ଦୁର୍ବୃତ୍ତ ପୁଣି ବୌଦ୍ଧ ଜିଲ୍ଲା ଘିକୁଣ୍ଡି ବିଦ୍ୟାଳୟରେ ଧସେଇ ପଶି ଜଣେ ଶିକ୍ଷକ ଙ୍କୁ ମରଣାନ୍ତକ ଆକ୍ରମଣ କରିଵା ଘଟଣା ସରକାର ଙ୍କ ଆଇନ କାନୁନ ଉପରେ ଅଙ୍ଗୁଳି ନିର୍ଦ୍ଧେଶ କରିଛି। ନିଶାଶକ୍ତ ଅବସ୍ଥାରେ ବିଦ୍ୟାଳୟ ଶ୍ରେଣୀ ଗୃହ ଭିତରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ରେ ବିପିନ ରକ୍ତମୁଖା ହୋଇ ଏତେ ବାଡେଇଥିଲା ଯେ ସେଠାରେ ଶିକ୍ଷକ ଅଚେତ ହୋଇ ପଡିଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ବାମ ହାତ ଓ ଅଣ୍ଟା ରେ ଗଭୀର ଆଘାତ ହୋଇଥିବା ପ୍ରାଥମିକ ଚିକିତ୍ସା ରତ ଡାକ୍ତରଙ୍କ ସୁତ୍ରରୁ ଜଣାପଡିଛି। ଆକ୍ରମଣରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ବିନୋଦ ମହାକୁଡ଼ ଏବଂ ମିଥୁନ ସାହୁଙ୍କୁ ତୁରନ୍ତ ଗିରଫ ପୂର୍ବକ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ଦାବି କରିଛି। ଏ ନେଇ ସଂଘର ସମସ୍ତ ସଦସ୍ୟ ସନ୍ଧ୍ୟାରେ ମନମୁଣ୍ଡା ଥାନାକୁ ଯାଇ ଆଇଆଇସି ଅଶ୍ବିନୀ ଭିତିରିଆଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଦାବି ପ୍ରକାରେ ପଦକ୍ଷେପ ଗ୍ରହଣ କରା ନ ଗଲେ ସଂଘ ରାଜ ରାସ୍ତାକୁ ଆସି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି। ଏନେଇ ଥାନାରେ ଆଇପିସି ଧାରା 452, 294, 341, 323, 353, 506, 34 ଅନୁଯାୟୀ ଏକ ମାମଲା ନଂ 190 ରୁଜୁ କରାଯାଇଥିବା ବେଳେ ଜଣେ ଅଭିଯୁକ୍ତ ମିଥୁନ ସାହୁକୁ ପୁଲିସ ଗିରଫ କରିଥିବା ଏବଂ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ବିନୋଦ ମହାକୁଡ଼କୁ ତୁରନ୍ତ ଗିରଫ କରାଯିବ ବୋଲି ଆଇଆଇସି ଭିତିରିଆ ଶିକ୍ଷକ ସଂଘ ସଦସ୍ୟଙ୍କୁ କହିଛନ୍ତି।