ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନୂତନ ଜଙ୍ଗଲ ସୃଷ୍ଟି ସହିତ ଉଜୁଡ଼ା ଜଙ୍ଗଲର ସୁରକ୍ଷା କରିବା ଓ ପରିବେଶରେ ସନ୍ତୁଳନ ରକ୍ଷା କରିବାକୁ ରାଜ୍ୟ ସରକାର ବନ ବିଭାଗ ତରଫରୁ ବ୍ୟୟ କରୁଛନ୍ତି କୋଟି କୋଟି ଟଙ୍କା । ତେବେ ଦୁର୍ନୀତିଖୋର ଅଧିକାରୀ ଓ କର୍ମଚାରୀମାନଙ୍କ ଯୋଗୁଁ ନୂତନ ଜଙ୍ଗଲ ସୃଷ୍ଟି ହେବା ତ ଦୂରର କଥା ଓଲଟା ଜଙ୍ଗଲ ନଷ୍ଟ ହେବାରେ ବସିଲାଣି । ଏଇ ପରିପ୍ରେକ୍ଷୀରେ ଦାୟିତ୍ବରେ କର୍ମଚାରୀମାନଙ୍କ ଦାୟିତ୍ବହୀନତା ଯୋଗୁଁ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରାଯିବା ସତ୍ତ୍ବେ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ବନାଞ୍ଚଳ ସିକେରକୁପା ସେକ୍ସନ ପାଣିମୁଣ୍ଡା ବିଟ୍ ଟେକରତୋଳା ଗାଁରେ ବନୀକରଣ ଯୋଜନା ଫସର ଫାଟିଛି । ଏଠାରେ ୨୫ ହେକ୍ଟର ପରିମିତ ଅଞ୍ଚଳରେ ନୂତନ ଚାରାରୋପଣ ପାଇଁ ଧାର୍ଯ୍ୟ କରାଯାଇଛି । ଏଥିପାଇଁ କାମ୍ପା ଯୋଜନାରୁ ବ୍ୟୟବରାଦ କରାଯାଇଥିବାବେଳେ ଶହଶହ ସଂଖ୍ୟାରେ ଅପରିପକ୍ବ ଚାରା ଯାହାକି ରୋପଣ ପାଇଁ ଅଯୋଗ୍ୟ ସେସବୁ ଆଣି ଲଗାଯାଇଥିବା ଜଣାପଡ଼ିଛି । ସେଥିମଧ୍ୟରୁ ଶହଶହ ଚାରାଗଛ ମରିଯାଇଥିଲେ ହେଁ ଜୋରଜବରଦସ୍ତ ସେଗୁଡ଼ିକୁ ଲଗାଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । ବିଭିନ୍ନ ନର୍ସରୀରୁ ଅଦରକାରୀ ଚାରା ଆଣି ଏଠାରେ ଲଗାଯାଉଥିବା ଲୋକେ ଅଭିଯୋଗ କରିଛନ୍ତି । ଏପରିକି କାମ୍ପା ଯୋଜନାରେ ଚାରାରୋପଣ କରାଯାଉଥିବାବେଳେ ଏଠାରେ ନିୟୋଜିତ ଫରେଷ୍ଟ ଗାର୍ଡ ଚଞ୍ଚକତା କରି ସେସବୁକୁ ମନରେଗା ଯୋଜନା ଦର୍ଶାଉଥିବା ଅଭିଯୋଗ ହୋଇଛି । ମନରେଗା ଯୋଜନା ଦେଖାଇ କାମ୍ପା ଯୋଜନାର ଲକ୍ଷଲକ୍ଷ ଟଙ୍କା ହଡ଼ପ କରିବାରୁ ପାଣିମୁଣ୍ଡା ବିଟ୍ ର ଫରେଷ୍ଟ ଗାର୍ଡ ତପିମଣି କୁମାର ମସୁଧା ରଖିଥିବାବେଳେ ଏହାକୁ ସିକେରକୁପା ସେକ୍ସନର ଫରେଷ୍ଟର ଭାଗିରଥୀ ନାଏକ ମଧ୍ୟ ଜାଣିଶୁଣି ନିରବ ସମର୍ଥନ ଦେଉଥିବା ଅଭିଯୋଗ ହୋଇଛି । ମନରେଗା ଯୋଜନାରେ ଫଲ୍ସ ଏଣ୍ଟ୍ରି କରି ଫରେଷ୍ଟ ଗାର୍ଡ ଶ୍ରୀ କୁମାର ଲକ୍ଷଲକ୍ଷ ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହେଉଥିବାବେଳେ ମନରେଗା କାମ କରିଥିବା ରାମଚନ୍ଦ୍ରପୁର, ଟେକରତୋଳା ଗାଁର ଶ୍ରମିକମାନଙ୍କୁ ଚାରିମାସରୁ ଅଧିକ ସମୟ ବିତିଯାଇଥିଲେ ହେଁ ପାଉଣା ମିଳିନଥିବା ଅଭିଯୋଗ ହୋଇଛି । ବାରମ୍ବାର ଅଭିଯୋଗ କଲାପରେ କିଛି ଶ୍ରମିକଙ୍କୁ ଫୋନ୍ ପେ, ଗୁଗୁଲ ପେ ରେ ପାରିଶ୍ରମିକ ଦେଇଥିବାରୁ ଫଲ୍ସଏଣ୍ଟ୍ରି ଓ ଜାଲିଆତି ଅଭିଯୋଗ ହୋଇଥିବା ସନ୍ଦେହ ବଢ଼ିଛି । ମନରେଗା ଯୋଜନାରେ କାମ ହେଉଥିଲେ ହେଁ ଗାଁ ସାଥୀମାନଙ୍କୁ ମଧ୍ୟ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ଏନେଇ ଟେକରତୋଳା ୱାର୍ଡସଭ୍ୟ ତଥା ଗୋବର୍ଦ୍ଧନପୁର ନାଏବ ସରପଞ୍ଚ ସଞ୍ଜୀବ କୁମାର ପଣ୍ଡା, ଗ୍ରାମବାସୀଙ୍କ ମଧ୍ୟରୁ ଅନାମ ବେହେରା, ବିଜୟ ପଣ୍ଡା, ନବିଖିତ ଗଉଡ଼, ବିଶ୍ବମ୍ବର ପୁଟେଲ, ଅର୍ଜୁନ ଗଉଡ଼, ନୀଲେଶ ଗଉଡ଼, ସୁଶାନ୍ତ ଗଉଡ଼, ପ୍ରମିଳା ଗଉଡ଼, ତରୁ ଗଉଡ଼, ପଦ୍ମିନୀ ମାଝୀ, ଯାଜ୍ଞସେନୀ ମାଝୀ, ଅନୁସୟା ମାଝୀ, ଗୌରୀ ମାଝୀ, କୁନ୍ତୀ ଗଉଡ଼, ସୂତ ଗଉଡ଼ଙ୍କ ସମେତ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବନବିଭାଗ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆନଗଲେ ଗ୍ରାମବାସୀ ଭିଜିଲାନ୍ସର ଦ୍ବାରସ୍ତ ହେବେ ବୋଲି ଚେତାବନୀ ଦେଇଛନ୍ତି । ଏ ସଂପର୍କରେ ପଚରାଯିବାରୁ ଫରେଷ୍ଟ ଗାର୍ଡ ଶ୍ରୀ କୁମାର ଏସବୁ ଅଭିଯୋଗକୁ ଖଣ୍ଡନ କରିଥିବାବେଳେ ବିଶ୍ବନାଥପୁର ବନାଞ୍ଚଳ ଅଧିକାରୀ ନରୋତ୍ତମ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଅଭିଯୋଗ ସଂପର୍କରେ ସୂଚନା ପାଇଛି ତଦନ୍ତ ପରେ ଉପରସ୍ଥ ଅଧିକାରୀଙ୍କୁ ଜଣାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଲାଞ୍ଜିଗଡ଼ ଓ ନର୍ଲା ବ୍ଲକର ଅନେକ ସ୍ଥାନରେ ବନୀକରଣ ନାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ଧିରେ ଧିରେ ସାମ୍ନାକୁ ଆସିବାକୁ ଲାଗିଛି । ଏହା ଉପରେ ଓଡ଼ଆ ବାର୍ତ୍ତାର ନଜର ମଧ୍ୟ ରହିଛି । ଠିକ୍ ସମୟରେ ଏସବୁର ପର୍ଦ୍ଦାଫାଶ କରିବାକୁ ଆମେ ପ୍ରୟାସ କରିବୁ ।