ବୈଷ୍ଣବ ଜନୋ ତୋ ତେନେ କହିଏ…..

ଜନପ୍ରୀୟ ଭଜନ, ‘ବୈଷ୍ଣବଜନ ତୋ ତେନେ କହିଏ’ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଥିଲା ଅତିପ୍ରୀୟ ଭଜନ। ଏହା ଥିଲା ମହାତ୍ମାଙ୍କ ହରିଜନ ଏବଂ ଅସ୍ପୃଶ୍ୟତା ନିବାରଣ ଆନ୍ଦୋଳନର ପ୍ରେରଣାର ମୂଖ୍ୟ ଉତ୍ସ। ଏହି ଭଜନର ରଚୟିତା ହେଉଛନ୍ତି ନର୍ସି ମେହେଟ୍ଟା। ମଧ୍ୟ ଯୁଗୀୟ ଆମ ଭାରତ ବର୍ଷରେ ଯେଇଁ ଭକ୍ତି ଆନ୍ଦୋଳନର ସୂତ୍ରପାତ ହୋଇଥିଲା ତା’ର ମୁଖ୍ୟ ସୁତ୍ରଧର ମାନଙ୍କ ମଧ୍ୟରେ ବୈଷ୍ଣବ କବି ଶ୍ରୀ ନର୍ସି ମେହେଟ୍ଟା ଅନ୍ୟତମ। ସେ ନରସିଂହ ମେହେଟ୍ଟା ଓ ନର୍ସି ଭଗତ ନାମରେ ମଧ୍ୟ ପରିଚିତ। ତାଙ୍କର ଭକ୍ତିରସରେ ରସାଣିତ କାବ୍ୟକବିତା ଗୁଜୁରାଟର ଘରେ ଘରେ ପରିଚିତ। ତାଙ୍କର ସୃଜନୀ ଗୁଡ଼ିକ ଗୁଜରାଟୀ ବାଣୀ ଭଣ୍ଡାରରେ ଅମୁଲ୍ୟରତ୍ନ। କବି ନର୍ସି ମେହେଟ୍ଟାଙ୍କ ଜନ୍ମ ୧୪୧୪ ରେ ଗୋଟିଏ ଗୁଜରାଟି ବ୍ରାହ୍ମଣପରିବାରରେ ହୋଇଥିଲା। ନର୍ସି ଜନ୍ମରୁ ମୂକ ଥିଲେ। ଆଠ ବର୍ଷ ବୟସ ପର୍ଯ୍ୟନ୍ତ ତାଙ୍କ ପାଟି ଖୋଲୁ ନ ଥିଲା। ପାଞ୍ଚ ବର୍ଷ ବୟସରେ ସେ ପିତା ମାତାଙ୍କୁ ହରାଇ ଜେଜେମା ଜୟ ଗୌରୀଙ୍କ ଦ୍ୱାରା ପାଳିତ ହୋଇଥିଲେ। ପିଲାଦିନେ ପ୍ରତିଦିନ ଜେଜେମାଆଙ୍କ ସଙ୍ଗରେ ହଟକେଶ୍ୱର ମହାଦେବ ମନ୍ଦିରଯାଇ ସେ ଭଜନ ଶୁଣୁଥିଲେ। ତାଙ୍କୁ ଯେତେ ବେଳେ ଆଠବର୍ଷ ବୟସ, ସେହି ମନ୍ଦିରର ଜଣେ ସାଧୁଙ୍କ ନଜର, ତାଙ୍କ ପରେ ପଡ଼ିଲା। ତାଙ୍କୁ କିଛି ସମୟ ନୀରିକ୍ଷଣ କରି ସାଧୁ ତାଙ୍କ ଜେଜେ ମା’ଙ୍କୁ କହିଲେ ଏ ବାଳକ ଭବିଷ୍ୟତରେ ଜଣେ ଅନନ୍ୟ ଭକ୍ତ ହେବ। ସାଧୁ ଜଣକ ନର୍ସିଙ୍କୁ କିଛି ଚେର ମୂଳି ଦେଇ ରାଧେକୃଷ୍ଣ ଉଚ୍ଚାରଣ କରିବା ପାଇଁ କହିଲେ। ଆଶ୍ଚର୍ଯ୍ୟଜନକ ଭାବେ ନର୍ସି ରାଧେ କୃଷ୍ଣ, ରାଧେ କୃଷ୍ଣ ରଟିବାରେ ଲାଗିଲେ। ଏହାପରେ ଅଧ୍ୟୟନ ପାଇଁ ତାଙ୍କୁ ଏକ ସଂସ୍କୃତ ଟୋଲରେ ନାମ ଲେଖାଗଲା। ସେ ହଟକେଶ୍ୱର ଶିବ ମନ୍ଦିରକୁ ଯାଇ ଭଜନ କୀର୍ତ୍ତନ ଶୁଣନ୍ତି ଏବଂ ନିଜେ ମଧ୍ୟ କିଛି ଗାୟନ କରନ୍ତି। ଅତୀବ ତନ୍ମୟ ହୋଇ ସୁଲଳିତ କଣ୍ଠରେ ସେ ଭଜନଗାଇ ଲୋକ ମାନଙ୍କୁ ଚମତ୍କୃତ କରି ଦେଉଥିଲେ। ତାଙ୍କ ଏପରି ତନ୍ମୟତା ଦେଖି, ନାତି କାଳେ ସାଧୁ ହୋଇଯିବ ଭାବି ଜେଜେ ମାଆ ସାତବର୍ଷର ଝିଅ ମନେକ ସହିତ ତାଙ୍କର ବିବାହ କରାଇ ଦେଲେ। ନର୍ସିଙ୍କର କିଛି ରୋଜଗାର ନାହିଁ। ଭାଉଜ ଓ ଭାଇଙ୍କର ନର୍ସିଙ୍କ ଉପରେ ଅତ୍ୟାଚାର ଏବେ ପ୍ରବଳରୁ ପ୍ରବଳତର ହେବା ଲାଗିଲା, ଆଉ ଏଠାରେ ରହିହେବ ନାହିଁ ଭାବି, ଦିନେ ଘର ଛାଡ଼ି ନର୍ସି ଜୁନାଗଡ଼ ଠାରୁ ୧୮ ମାଇଲ ଦୂରରେ ପୁରୁଣା ଶ୍ରୀଗୋପନାଥ ଶିବମନ୍ଦିର ନିକଟରେ ପହଞ୍ଚିଲେ। ସେଠାରେ ସାଧନା ବଳରେ ଶିବଙ୍କ କୃପାରୁ ରାଧାକୃଷ୍ଣଙ୍କ ଅପୂର୍ବ ରାସ ଦର୍ଶନ କଲେ। ଏକଦା ଦଳେ ତୀର୍ଥ ଯାତ୍ରୀ ଦ୍ଵାରୀକା ଯାଉଥାନ୍ତି। ବାଟରେ ଅର୍ଥାଭାବ ଦେଖା ଦେବାରୁ ଯାତ୍ରୀମାନେ ଲୋକଙ୍କୁ ପଚାରି ଜାଣିଲେ ଏଠାରେ କେହିଜଣେ ସେଠ ହୁଣ୍ଡିରେ ଅର୍ଥ ଉଧାର ଦେଉଛନ୍ତି। ଲୋକେ ସେ ସେଠକୁ ଖୋଜି କରି ଯାଇ ଦୈବାତ ନର୍ସିଙ୍କ ପାଖରେ ପହଞ୍ଚିଲେ। ନର୍ସି ବାଧ୍ୟ ବାଧକତାରେ ପଡ଼ି ତିନି ଶହ ଟଙ୍କାର ହୁଣ୍ଡୀଟିଏ ଲେଖିଲେ ଶାମଲ ସାହା ସେଠ ବୋଲି ଦ୍ଵାରକାର ଜଣେ ମହାଜନଙ୍କ ଉପରେ, ସେ ହୁଣ୍ଡୀ ଉପରେ ଲେଖା ଥିଲା, “ମୋରି ହୁଣ୍ଡୀ ସ୍ୱୀକାରୋ ମହାରାଜରେ ଶାମଲା ଗିରିଧାରୀ।” ଯାତ୍ରୀମାନେ ଯାଇ ଦ୍ୱାରକାରେ ଖୋଜିଲେ,ସେ ନାମରେ କେହି ଲୋକ ନ ଥିଲେ। ଶେଷରେ ସେମାନେ ବୁଝିଲେ ଭକ୍ତ ନର୍ସି ଏ ହୁଣ୍ଡୀ, ଦ୍ୱାରିକାଧିଶଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି। ହୁଣ୍ଡୀଟିକୁ ନେ଼ଇ ଯାତ୍ରୀ ମାନେ ପ୍ରଭୁ ଦ୍ୱାରିକାଧିଶଙ୍କୁ ସମର୍ପଣ କରିଦେଲେ, ସେମାନଙ୍କ ଅର୍ଥସମସ୍ୟା ବି ଆଶ୍ଚର୍ଯ୍ୟଜନକ ଭାବେ ସମାଧାନ ହୋଇଗଲା। ପରେ ନର୍ସି ରଚନା କଲେ ସେହି ରସଶିକ୍ତ ଭଜନ ‘ବୈଷ୍ଣବ ଜନୋ ତୋ ତେନେ କହିଏ’। ଏକତାରା ଧରି, ଯେତେବେଳେ ସେ ଏ ଗୀତର ମଧୁ ମୂର୍ଚ୍ଛନା ତୋଳି, ବୁଲିଲେ, ଜାତି, ଧର୍ମ,ବର୍ଣ୍ଣ, ନିର୍ବିଶେଷରେ ଶହଶହ ନରନାରୀ ଆସି ତାଙ୍କ ଅନୁଗମୀ ହୋଇ ପଡ଼ିଲେ। ବୈଷ୍ଣବର ଜାତି କଅଣ। ଜାତି ଅଜାତି ସମସ୍ତଙ୍କ ଘରେ ନର୍ସି ବସା ଉଠା କରିବାରୁ ତାଙ୍କୁ ସମାଜ ବାସନ୍ଦ କଲା। ନିନ୍ଦା ଅପବାଦକୁ ସମାନ ଭାବେ ଗ୍ରହଣ କରି, ସେ ଲେଖିଲେ,”ଜାନ ଲଗି ଆତ୍ମତତ୍ତ୍ୱ ଚି଼ନ୍ୟୋ ନାହି,ତ୍ୟାନ ଲଗି ସାଧନା ସର୍ବ ଝୁଠି”। ଅର୍ଥାତ, ଅତ୍ମାକୁ ଯିଏ ଚିହ୍ନେ ନାହିଁ, ତା’ର ସମସ୍ତ ସାଧନା ବ୍ୟର୍ଥ। 
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.