ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ। ତାଙ୍କ ସହ ବ୍ଲକର ଅନେକ ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ବିଜେଡିରେ ସାମିଲ ହୋଇଥିବା ସୂଚନା ମିଳିଛି। ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରୀ ବୈଠକରେରେ ଆନୁଷ୍ଠାନିକ ଭାବେ ଅଧ୍ୟକ୍ଷା ଯୋଗ ଦେଇଥିବା ଜଣାପଡିଛି। ପର୍ଯ୍ୟବେକ୍ଷକ ପ୍ରଣବ କୁମାର ବଳବନ୍ତରାଏ, ଧର୍ମଗଡ ବିଧାୟକ ମୌଷଧି ବାଗ, ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ନର୍ଲା ବିଧାୟକ ଭୁପେନ୍ଦ୍ର ସିଂ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ପ୍ରମୂଖଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କ ଗହଣରେ ସେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ବବିତା ପଟ୍ଟଯୋଶୀ ପୂର୍ବରୁ ନିର୍ଦଳୀୟ ଭାବେ ସମସ୍ତଙ୍କ ସମର୍ଥନରେ ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ନିର୍ବାଚିତ ହୋଇ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି। ସେ ଡୁମେରଗୁଡା ଗ୍ରାମପଞ୍ଚାୟତ ସମିତି ସଭ୍ୟା ପ୍ରାର୍ଥୀ ହୋଇ ନିଦ୍ବନ୍ଦରେ ବିଜୟୀ ହୋଇ ଧର୍ମଗଡ଼ ଅଧ୍ୟକ୍ଷା ପଦରେ ମଧ୍ୟ ନିଦ୍ବନ୍ଦରେ ବିଜୟୀ ହୋଇ ଏକ ରେକର୍ଡ ସ୍ଥାପନ କରିଥିଲେ। ତେବେ ସେ ବିଜେଡିରେ ସାମିଲ ହେବାପରେ ଦଳ ପାଇଁ ଶୁଭଙ୍କର ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।