ବିଜେଡି ସରକାରଙ୍କ ଉପରେ ବର୍ଷିଲେ ପିସିସି ସାଧାରଣ ସଂପାଦକ

ଅଧାଗଢା ପ୍ରକଳ୍ପଗୁଡିକ ଶେଷ ହେବାର ନାଁ ଧରୁନି, ୫ଟି ସଚିବ ବୁଲି ବାଃ ବାଃ ସାଉଁଟୁଛନ୍ତି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାରେ ବର୍ଷ ବର୍ଷ ଧରି କୋଟି କୋଟି ଟଙ୍କାର ଏକାଧିକ ପ୍ରକଳ୍ପ କେଉଁଠି ନିର୍ମାଣ ହୋଇ ଆରମ୍ଭ ହୋଇ ପାରି ନ ଥିବା ବେଳେ ତା’ର କୋଠା ଓ ଯନ୍ତ୍ରାଂଶଗୁଡିକ ନଷ୍ଟ ହୋଇସାରିଲାଣି । ଆଉ କେତେକ ନୂତନ ଭାବେ ନିର୍ମାଣଧୀନ ହୋଇଥିବା ପ୍ରକଳ୍ପ ମଧ୍ୟ କାର୍ଯ୍ୟକାରୀ ହେବାର ନାଁ ଧରୁନି । ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ବିଶେଷଞ ଡାକ୍ତରଙ୍କ ପଦବୀ ଖାଲି ପଡିଥିବା ବେଳେ କୋଟି କୋଟି ଟଙ୍କା ଯନ୍ତ୍ରାଂଶ ପାଇଁ ଟେକ୍ନିସିଆନର ଅଭାବ ରହିଛି ଫଳରେ ରୋଗୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛି । ୧୫ କୋଟି ଟଙ୍କାର ବ୍ୟୟ ଅଟକଳରେ ନିର୍ମିତ ପ୍ଳାନେଟୋରିୟମ୍ ଦୀର୍ଘ ୨ବର୍ଷ ହେଲା କାର୍ଯ୍ୟକ୍ଷମ ହୋଇପାରୁନାହିଁ । ୧୨ବର୍ଷ ଧରି ରାୟଗଡା ଠାରେ ନିର୍ମିତ ଶୀତଳ ଭଣ୍ଡାର ଦିନେ ମଧ୍ୟ ଚାଷୀଙ୍କ କାମରେ ଆସିଲାନାହିଁ । କିନ୍ତୁ ରାଜ୍ୟ ସରକାରଙ୍କ ୫ଟି ସଚିବ ଜିଲ୍ଳା ଜିଲ୍ଳା ବୁଲି ବିକାଶର ଧାରା ଆଗେଇ ଚାଲିଛି ବୋଲି କହି ବାଃ ବାଃ ସାଉଁଟିଛନ୍ତି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାର ଏବଂ ଜିଲ୍ଳା ପ୍ରଶାସନ ଉପରେ ବର୍ଷିଛନ୍ତି ପିସିସି ସାଧାରଣ ସଂପାଦକ ଦୁର୍ଗା ପ୍ରସାଦ ପଣ୍ଡା ।

ଆଜି ପୂର୍ବାହ୍ନରେ ରାୟଗଡା ସହର ସ୍ଥିତ କଂଗ୍ରେସ ଭବନ ଠାରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସଂପାଦକ ଦୁର୍ଗା ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ବୈଠକରେ ଜିଲ୍ଳା ଉପସଭାପତି ସୁନୀଲ ଚନ୍ଦ୍ର ପଣ୍ଡା, ଶଙ୍କର୍ଷଣ ମଙ୍ଗରାଜ, ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳି ବିଧାୟକ ପ୍ରାର୍ଥୀ ଆପାଲାସ୍ୱାମୀ କାଡ୍ରକା, ଜିଲ୍ଳା ସଂପାଦକ ପାର୍ଥ ବର୍ଦ୍ଧନ , ରାୟଗଡା ନଗର ସଭାପତି ମନୋଜ ରଥ, ଜିଲ୍ଳା ଯୁବ କଂଗ୍ରେସ ଉପସଭାପତି ଆସଲାମ ଖାନ ପ୍ରମୁଖ ଉପସ୍ଥିତ ରହିଥିଲେ । ରାୟଗଡା ଜିଲ୍ଳାର କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ଉପରସାଜା ଗ୍ରାମରେ ନିର୍ମାଣଧୀନ ଥିବା ଏକ କଲଭର୍ଟଟିର ନିମ୍ନମାନର କାମ ଯୋଗୁଁ ନିକଟରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏପରି ଅନେକ ନିମ୍ନମାନର ପ୍ରକଳ୍ପ କାର୍ଯ୍ୟଗୁଡିକ ଗ୍ରାମ୍ୟ ବିଭାଜନ, ପୂର୍ତ ବିଭାଗ, ଆଇଟିଡିଏ, ପଂଚାୟତ ସମିତି ତଥା ଅନ୍ୟ ବିଭାଗ ଦ୍ୱାରା କରାଯାଉଛି ।

ରାୟଗଡା ସଦର ଠାରେ ନକ୍ସଲ ପ୍ରଭାବିତ ବ୍ଳକଗୁଡିକର ଯୁବକଯୁବତୀଙ୍କ ଦକ୍ଷତା ବିକାଶ ନିମନ୍ତେ ନିର୍ମାଣ କରାଯାଇଥିବା ପାଖାପାଖି ୧୦କୋଟି ଟଙ୍କାର ଦକ୍ଷତା ବିକାଶ କେନ୍ଦ୍ର ମଧ୍ୟ ବନ୍ଦ କରି ଦିଆଯାଇଥିବା ବେଳେ ବିଭାଗୀୟ ପ୍ରକଳ୍ପଗୁଡିକର ସମସ୍ତ କାର୍ଯ୍ୟକୁ ତନ ତନ କରି ତଦାରଖ କରାଗଲେ ନିଶ୍ଚିତ ଭାବେ ସାଧାରଣ ଜନତା ସରକାରଙ୍କ ବିକାଶ ଧାରାକୁ ନେଇ ଖୁସିବ୍ୟକ୍ତ କରିବେ । କେବଳ ପ୍ରକଳ୍ପ ଘୋଷଣା କରିଦେଇ ତଥା ନିର୍ମାଣ ପରେ କାର୍ଯ୍ୟକ୍ଷମ ନ କରିବା ସରକାରଙ୍କ ବିଫଳତାକୁ ଦର୍ଶାଉଛି ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.