ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସରକାରଙ୍କ ନିର୍ଦ୍ଦେଶ କ୍ରମେ ପିଡ଼ିଏସ ବିତରଣ କାର୍ଯ୍ୟରେ ହିତାଧିକାରୀ ମାନଙ୍କୁ ଠିକ ସମୟରେ ପହଞ୍ଚାଇବା ଓ ସ୍ୱଛତା ଆଣିବା ସକାଶେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ପ୍ରତ୍ୟେକ ପଞ୍ଚାୟତରେ ଯୋଗାଣ ସହାୟକ ନିଯୁକ୍ତି ହୋଇଛନ୍ତି। ହେଲେ ଯୋଗାଣସହାୟକଙ୍କ ବିଭିନ୍ନ ସମସ୍ୟା ଉପରେ ସରକାର ଦୃଷ୍ଟି ନ ଦେବାରୁ ଆଜି ରାଜ୍ୟ ଯୋଗାଣ ସହାୟକ ସଙ୍ଘ ପକ୍ଷରୁ ପ୍ରତ୍ୟେକ ବ୍ଲକ ଠାରେ ୬ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଏବଂ ୨ ରୁ ୩ ଦିନ ମଧ୍ୟରେ ଦାବି ଗୁଡ଼ିକ ପୂରଣ ନକଲେ ଶାନ୍ତି ପୂର୍ଣ୍ଣ ଭାବରେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦିଆଯାଇଥିବା ଜଣାପଡିଛି। ସେହି କ୍ରମରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଯୋଗାଣ ସହାୟକ ସଂଘ ପକ୍ଷରୁ ରାଜ୍ୟ ସଂଘ ରଖିଥିବା ୬ଗୋଟି ଦାବି ଗୁଡ଼ିକ ପୂରଣ ନହେଲେ ସାମୁହିକ ଭାବେ ଛୁଟିରେ ଯିବାପାଇଁ ଗୁରୁବାର ବ୍ଳକ ଯୋଗାଣ ସହାୟକ ସଂଘର ସଭାପତି ଚନ୍ଦ୍ରମଣି ବେଶ୍ରାଙ୍କ ନେତୃତ୍ବରେ ବ୍ଳକ କାର୍ଯ୍ୟାଳୟକୁ ପହଞ୍ଚି ବିଡ଼ିଓଙ୍କ ଅନୁପସ୍ଥିତିରେ ବ୍ଳକ ହିସାବ ରକ୍ଷକ ତଥା ଉପ ବିଭାଗ ଅଧିକାରୀ ଅଚ୍ୟୁତାନନ୍ଦ ନାଗଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ୨ ରୁ ୩ ଦିନ ମଧ୍ୟରେ ଦାବି ଗୁଡ଼ିକ ପୂରଣ ନହେଲେ ଆସନ୍ତା ୨୮ ତାରିଖ ଦିନ ନିଜର ଦାବି ହାସଲ ପାଇଁ ଭୁବନେଶ୍ୱର ଠାରେ ହେବାକୁ ଥିବା ଆନ୍ଦୋଳନରେ ସାମିଲ ହେବାନେଇ ଛୁଟି ପ୍ରଦାନ ନିମନ୍ତେ ଅନୁରୋଧ କରିଥିଲେ। ଏଥି ସହିତ ଦାୟିତ୍ଵରେ ଥିବା କୋକସରା ବ୍ଳକ ଯୋଗାଣ ନିରୀକ୍ଷକ ପ୍ରିୟ ରଞ୍ଜନ ନାଏକଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବିପତ୍ରରେ ଯୋଗାଣ ସହାୟକର ଚାକିରୀ ସ୍ଥାୟିତ୍ୱ ଓ ମାସିକ ଦରମା ୨୫୦୦୦କୁ ବୃଦ୍ଧି କରିବା, ଯୋଗାଣ ସହାୟକ ନାମରେ ପିଡିଏସ ଲାଇସେନ୍ସ ପ୍ରଦାନ କରିବା, କାର୍ଯ୍ୟରତ ଯୋଗାଣ ସହାୟକଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶି ପ୍ରଦାନ କରିବା ସହିତ ପରିବାର ବର୍ଗର ଜଣେ ସଦସ୍ୟ ଚାକିରି ଯୋଗାଇବା, ଯୋଗାଣ ସହାୟକଙ୍କୁ ପଞ୍ଚାୟତ ରାଜ ବିଭାଗ ରୁ ନିବୃତ କରି ଯୋଗାଣ ବିଭାଗରେ ଅନ୍ତର୍ଭୁକ୍ତ କରାଯାଇ ପଦବିକୁ ଏଏସଆଇ(ଆସିଷ୍ଟାଣ୍ଟ ସପ୍ଲାୟେ ଇନ୍ସପେକ୍ଟର) ନାମିତ କରାଯିବା, ଇ-ପୋସ ଡିଭାଇସ୍ ପରିଚାଳନାର ପ୍ରୋତ୍ସାହନ ରାଶି ଯୋଗାଣସହାୟକ ଙ୍କୁ ପ୍ରଦାନ କରିବା, ମାସିକ ପିଡିଏସ ଆବଣ୍ଟନରେ ୨% ପ୍ରତିଶତ ନିଅଣ୍ଟକୁ ଭରଣ କରିବା ପ୍ରମୁଖ ଦାବି ପତ୍ରରେ ଉଲ୍ଲେଖ ରହିଛି l ଏହି ଦାବିପତ୍ର ପ୍ରଦାନ ସମୟରେ ବ୍ଳକ ଯୋଗାଣ ସହାୟକ ସଂଘର ସଭାପତି ସମେତ ସମ୍ପାଦକ ବିକ୍ରମ କୁମାର ସାହୁ, ଧର୍ମେନ୍ଦ୍ର କୁମାର ଦାସ, ଟିକେଶ୍ବର ବାଗ, ଦୟାନିଧି ଶବର, ମିଲି ନିଆଲ, ନରେନ୍ଦ୍ର ବିଷି, ହେଜମନ ନିଆଲ, କେଶବ ଛତ୍ରିଆ, ପ୍ରକାଶ ନାଗ, ଦୁର୍ଯ୍ୟୋଧନ ଜାଲ, ଗୀତାଞ୍ଜଳୀ ବେମାଲ, ଅଜିତ କୁମାର ଠାକୁର, କୈଲାଶ ସତନାମୀ, ପରମାନନ୍ଦ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।