ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ବିଶ୍ବବିଦ୍ୟାଳୟର ତୃତୀୟ ପ୍ରତିଷ୍ଠା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ପଦ୍ମଶ୍ରୀ ପଟ୍ଟାଏତ ସାହୁ ଉଦଘାଟନ କରିଥିବା ବେଳେ ଉତ୍ସବରେ ପ୍ରଫେସର ଗୋପବନ୍ଧୁ ବେହେରା, ଜଗନ୍ନାଥ ମୁଣ୍ଡ, ଉମାଶାଙ୍କର କର, ସୁରଜିତ ସିଂ, ରାମଚନ୍ଦ୍ର ମିଶ୍ର, କେ.ଭି. ଦେଓ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିତ୍ୱ ଅତିଥି ଭାବେ ଯୋଗ ଦେଇଥିଲେ। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କର୍ଣ୍ଣେଲ ସଞ୍ଜୟ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିପିଜିସି ଡ. ନିବେଦିତା ନାଥ, ସିଏଫଓ ସୁରେଶ ପିଡ଼ିସିକା, କୁଳସଚିବ ପିତାମ୍ବର ଭୋଇଙ୍କ ସମେତ ବିଶ୍ବବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା, ଅଧ୍ୟାପକ ଅଧ୍ୟାପିକା ଓ ସହସ୍ରାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ଇଂରାଜୀ ବିଭାଗ ମୁଖ୍ୟ ମେଜର୍ ଡ. ଜୟଦେବ ସାହୁ। ଏହି ଅବସରରେ ଏକ ପୁସ୍ତକମେଳା ଆୟୋଜନ ସମେତ ଅନେକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। କଳାହାଣ୍ଡି ବିଶ୍ବବିଦ୍ୟାଳୟ ଦ୍ୱାରା ‘ରେଫଲଜେଣ୍ଟ ଓଡ଼ିଶା’ ପୁସ୍ତକ ଲୋକାର୍ପିତ ହୋଇଥିଲା। ଏଥିସହ ଡ. ରାମଚନ୍ଦ୍ର ମିଶ୍ରଙ୍କ ପୁସ୍ତକ ‘ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଲୋକ ଦେବାଦେବୀ ଓ ଲୋକ ବିଶ୍ୱାସ’ ଲୋକାର୍ପିତ ହୋଇଥିଲା।
ସନ୍ଧ୍ୟାରେ ସର୍ବେଶ୍ୱର ଭୋଇ ଓ ସାଥୀଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଭାଇସ୍ ଚାନ୍ସେଲର୍ କପ୍ (ଇଂରାଜୀ)ରେ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଇଂରାଜୀ ବିଭାଗର ନଗେଶ ଚନ୍ଦ୍ର ନିଆଲ ପ୍ରଥମ, ଆଂଥ୍ରୋପୋଲୋଜି ବିଭାଗର ଶୁଭଶ୍ରୀ ପ୍ରିୟଦର୍ଶିନୀ ଦ୍ଵିତୀୟ ଓ ସୋସିଓଲୋଜି ବିଭାଗର ଝାନ୍ସି ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଭାଇସ୍ ଚାନ୍ସେଲର୍ କପ୍ (ଓଡ଼ିଆ)ରେ କଳାହାଣ୍ଡି ବିଶ୍ବବିଦ୍ୟାଳୟର ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ ପ୍ରଥମ, ପଞ୍ଚାୟତ କଲେଜ ଧର୍ମଗଡ଼ର ରୋହିତ ନିଆଲ ଦ୍ଵିତୀୟ ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟର ଉତ୍କଳ ବାଗ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏମ୍ପ୍ଲୟୀ ଅଫ୍ ଦ ଇୟର୍ ଭାବେ ଭାଗ୍ୟବତୀ ନାଏକ ଓ ଷ୍ଟୁଡେଣ୍ଟ ଅଫ୍ ଦ ଇୟର୍ ଭାବେ ଶୁଭମ୍ ମହାକୁଡ଼ ସମ୍ବର୍ଦ୍ଧିତ ହୋଇଥିଲେ। ଏହି ଅବସରରେ ପ୍ରେରଣାଦାୟୀ ବକ୍ତୃତାମାଳା ‘ଉତ୍ତିଷ୍ଠତ’ର ୧୨୧ତମ ଭାଗରେ ‘କଳାହାଣ୍ଡିର ମାନଚିତ୍ରରେ ଥୁଆମୂଳ ରାମପୁର’ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ ବିଶିଷ୍ଟ ବାଗ୍ମୀ ତଥା ଥୁଆମୂଳ ରାମପୁର ମା’ ମାଣିକେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା।