ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଅବକାରୀ ଜିଲ୍ଳାରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କୁ ନେଇ ବିଭାଗୀୟ ଏନଡିପିଏସ ଆକ୍ଟ ଏବଂ ଓଡିଶା ଅବକାରୀ ଆକ୍ଟ ସମ୍ବନ୍ଧୀତ ଏକ କର୍ମଶାଳା ଜିଲ୍ଳା ଅବକାରୀ ଅଧୀକ୍ଷକ ଅଭିରାମ ବେହେରାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଅବକାରୀ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାକୁ ଅବକାରୀ ଅଧୀକ୍ଷକ ଶ୍ରୀ ବେହେରା ପରିଚାଳନା କରିଥିବା ବେଳେ ରାୟଗଡା ଜିଲ୍ଳା ଅଦାଲତର ସରକାରୀ ଅଭିଯୋଜକ (ପବ୍ଳିକ ପ୍ରୋସେକୁଟର) ଆଇନଜୀବୀ ଅଜିତ କୁମାର ପଟ୍ଟନାୟକ, ସ୍ୱତନ୍ତ୍ର ସରକାରୀ ଅଭିଯୋଜକ ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ନାୟକ ଓ ସହକାରୀ ସରକାରୀ ଅଭିଯୋଜକ ଆଇନଜୀବୀ ସଚ୍ଚିଦାନନ୍ଦ ଖାଡଙ୍ଗା ଯୋଗ ଦେଇ ଉପସ୍ଥିତ କର୍ମଚାରୀମାନଙ୍କୁ ଏନଡିପିଏସ ଆକ୍ଟ ଓ ଓଡିଶା ଅବକାରୀ ଆକ୍ଟର ନିୟମାବଳୀ ସମ୍ବନ୍ଧରେ ବିସୃତ ଭାବେ ବୁଝାଇଥିଲେ ।
ଦିନକୁ ଦିନ ରାଜ୍ୟରେ ଅବକାରୀ ମାମଲାଗୁଡିକର ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହି ତୁଳନାରେ ଅଭିଯୁକ୍ତମାନଙ୍କୁ ଉପଯୁକ୍ତ ଦଣ୍ଡବିଧାନ ମିଳୁ ନ ଥିବାରୁ ସେମାନେ ଅଳ୍ପ ଦିନରେ ଖଲାସ ହେବା ସହ ପୁଣି ଥରେ ବେଆଇନ କାର୍ଯ୍ୟରେ ଲିପ୍ତ ହେଉଛନ୍ତି । ଫଳରେ ସମାଜରେ ଅସାମାଜିକ କାର୍ଯ୍ୟକଳାପ ହ୍ରାସ ହେବାର ନାଁ ଧରୁନି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ରାୟଗଡା ଜିଲ୍ଳାରେ ମଧ୍ୟ ଗଂଜେଇ ଚୋରା ଚାଲାଣ ହେଉ କିମ୍ବା ଚୋରା ମଦ ବିକ୍ରି ତଥା ପ୍ରସ୍ତୁତି କରିବା ସମୟରେ ଧରାପଡୁଥିବା ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଉକ୍ତ ଦୁଇଟି ନିୟମର ସଠିକ୍ ଧାରା ଲାଗୁ ହୋଇ ପାରୁ ନ ଥିବାରୁ ମଧ୍ୟ ଜିଲ୍ଳାରେ ଗଂଜେଇ ଚୋରା ଚାଲାଣ ଓ ଚୋରା ମଦ ବିକ୍ରି ଭଳି ବେଆଇନ୍ କାରାବାର ବୃଦ୍ଧି ହେବାରେ ଲାଗିଛି ତେଣୁ ସମସ୍ତ କର୍ମଚାରୀମାନେ ଉକ୍ତ ଦୁଇଟି ନିୟମ ବିଷୟରେ ସଂପୂର୍ଣ୍ଣ ଭାବେ ଅବଗତ ହେଲେ ଆଗାମୀ ଦିନରେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦ୍ୱାରା ଏଭିଳ ବେଆଇନ କାର୍ଯ୍ୟକଳାପରେ ଅଙ୍କୁଶ ଲାଗି ପାରିବ ବୋଲି ସରକାରୀ ଅଭିଯୋଜକମାନେ ବୁଝାଇଥିଲେ ।
ତେବେ ଜିଲ୍ଳା ଅବକାରୀ ଅଧୀକ୍ଷକ ଶ୍ରୀ ବେହେରାଙ୍କ ଅଭିନବ ପ୍ରୟାସରେ ଅନୁଷ୍ଠିତ ଏଭଳି କର୍ମଶାଳା ଅବକାରୀ ବିଭାଗର କର୍ମଚାରୀମାନଙ୍କ ମଧ୍ୟରେ ନିଜ ନିଜ ଦାୟିତ୍ୱ ସଠିକ୍ ଭାବେ ତୁଲାଇବା ଏବଂ ବିଭାଗୀୟ ନିୟମର ଧାରାଗୁଡିକୁ ସମ୍ବନ୍ଧରେ ଅବଗତ ହେବା ସେମାନଙ୍କୁ ଏକ ନୂତନ ଦିଗଦର୍ଶନ ଦେବ ବୋଲି ଉପସ୍ଥିତ କର୍ମଚାରୀମାନେ ପ୍ରକାଶ କରିଛନ୍ତି । ଏହି ଦିନିକିଆ କର୍ମଶାଳାରେ ଉପ ଅବକାରୀ ଅଧୀକ୍ଷକ ଗୁପ୍ତେଶ୍ୱର ପ୍ରଧାନ, ଜିଲ୍ଳା ମୋଇଲ ୟୁନିଟି ନିରୀକ୍ଷକ ହିତାଂଶୁ ଶେଖର ମଲ୍ଳିକ, ରାୟଗଡା ସଦର ଅବକାରୀ ଥାନା ନିରୀକ୍ଷକ ଶ୍ରୀମତି ସୀମା କିରଣ ବେକ, ଗୁଣପରୁ ଅବକାରୀ ଥାନା ନିରୀକ୍ଷକ ପ୍ରୀତିଧାରା ନାୟକ, ରାୟଗଡା ସଦର ଅବକାରୀ ଥାନା ଓଆଇସି ସଂଜୟ କୁମାର ପ୍ରଧାନ,ଗୁଡାରୀ ଅବକାରୀ ଥାନା ଓଆଇସି ରଘୁନାଥ ମୁଣ୍ଡା, ଏଏସଆଇ କିଲାଡା ଭାସ୍କର, ସଂଗ୍ରାମ ପ୍ରଧାନ, ଦିବାକର ମହାପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।