ଓଡ଼ିଆ ବାର୍ତ୍ତା/ ଯାଜପୁର (ବିରଞ୍ଚି ନାରାୟଣ ପତ୍ରୀ): କୋଟିଏ କି ଦୁଇକୋଟି ନୁହେଁ। ଧର୍ମଶାଳା ତହସିଲ ଅଞ୍ଚଳରୁ ଶହଶହ କୋଟି ଟଙ୍କାର କଳାପଥର ଲୁଟ୍ ହେଲା। ଗଣମାଧ୍ୟମରେ ଲଗାତର ଖବର ପ୍ରକାଶନ ପରେ ଚାପରେ ପଡ଼ି ପ୍ରଶାସନ ତଦନ୍ତ କଲା। ୧୫ଜଣ ଲିଜଧାରୀଙ୍କ ଉପରେ ବେଆଇନ୍ ଖନନ ପାଇଁ ୨୯୮ କୋଟିରୁ ଅଧିକ ଟଙ୍କା ଜରିମାନା ଆଦାୟ ହେଲା। ହେଲେ ଜରିମାନା ବାବଦ ଅର୍ଥ ଆଦାୟ ନକରି ସମସ୍ତେ ହାତ ବାନ୍ଧି ବସିଗଲେ। ଜିଲ୍ଲା ପ୍ରଶାସନ ଏ ନେଇ ମୁହଁ ଖୋଲୁନାହିଁ। ପରିବେଶ ବିଭାଗର ସିଆ ମଧ୍ୟ ଜିଲ୍ଲାପାଳଙ୍କ ଠାରୁ ଏହି ଘଟଣାରେ କୈଫିୟତ୍ ତଲବ କରି ଚୁପ୍ ବସି ପଡ଼ିଛି। ଅନ୍ୟପକ୍ଷରେ ବର୍ଷ ବର୍ଷ ଧରି ବେଆଇନ ଖାଦାନ ଚାଲିଥିବା ବେଳେ ତହସିଲ, ପୁଲିସ, ଖଣି ବିଭାଗ ଓ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ କାହିଁକି ଆଖି ବୁଜି ଦେଇଛନ୍ତି, ସେ ନେଇ ଧୀରେ ଧୀରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି।
ସରକାରୀ ତଥ୍ୟ ମୁତାବକ, ଲିଜଧାରୀ ଚନ୍ଦ୍ରମଣି ପରିଡ଼ାଙ୍କ ନାମରେ ୧କୋଟି ୮୭ଲକ୍ଷ ୯୧ହଜାର ଟଙ୍କା ଜରିମାନା ହୋଇଥିବା ବେଳେ ତାଙ୍କ ପତ୍ନୀ ସାବିତ୍ରୀ ପରିଡାଙ୍କ ନାମରେ ୧୬କୋଟି ୫୭ଲକ୍ଷ ୩୦ହଜାର ଟଙ୍କା, ସରୋଜ ରାଉତଙ୍କ ନାମରେ ୬୩କୋଟି ୩୭ଲକ୍ଷ ୮୯ହଜାର ଟଙ୍କା, ରଞ୍ଜନ କୁମାର ଜେନାଙ୍କ ଉପରେ ୨୩କୋଟି ୩୨ଲକ୍ଷ ୧୮ହଜାର ଟଙ୍କା, ପ୍ରହଲ୍ଲାଦ ଲେଙ୍କାଙ୍କ ଉପରେ ୨୦କୋଟି ୯ଲକ୍ଷ ୩୩ହଜାର ଟଙ୍କା, ଶ୍ରୀନିବାସ ଜେନାଙ୍କ ନାମରେ ୯କୋଟି ୨୪ଲକ୍ଷ ୨୨ହଜାର ଟଙ୍କା, ସୁଧାଂଶୁ ଜେନାଙ୍କ ନାମରେ ୭କୋଟି ୫୨ଲକ୍ଷ ୫ହଜାର ଟଙ୍କା, ବିଶ୍ବରଂଜନ ପରିଡ଼ାଙ୍କ ନାମରେ ୯କୋଟି ୫୫ଲକ୍ଷ ୮୮ହଜାର ଟଙ୍କା, ଅଜିତ ସାହୁଙ୍କ ନାମରେ ୪କୋଟି ୪୩ଲକ୍ଷ ୭୨ହଜାର ଟଙ୍କା, ମନୋଜ କୁମାର ସାମଲଙ୍କ ନାମରେ ୮ କୋଟି ୬୩ଲକ୍ଷ ୩୩ହଜାର ଟଙ୍କା, ରାମନିବାସ ଯାଦବଙ୍କ ନାମରେ ୪କୋଟି ୭୬ଲକ୍ଷ ୯୬ହଜାର ଟଙ୍କା, ଜ୍ୟୋତ୍ସ୍ନା ଜେନାଙ୍କ ନାମରେ ୭୯କୋଟି ୪୬ଲକ୍ଷ ୧ହଜାର, ରଙ୍ଗାଧର ପ୍ରଧାନଙ୍କ ନାମରେ ୧୬କୋଟି ୬୮ଲକ୍ଷ ୬୮ହଜାର , ଗଙ୍ଗାଧର ଓଝାଙ୍କ ନାମରେ ୧୯କୋଟି ୧୫ଲକ୍ଷ ୧୩ହଜାର ଓ କୃଷ୍ଣ ଚନ୍ଦ୍ର ସାହୁଙ୍କ ନାମରେ ୧୩କୋଟି ୩୧ଲକ୍ଷ ୩୧ହଜାର ଟଙ୍କା ଏମଳି ମୋଟ ୨୯୮କୋଟି ୧ଲକ୍ଷ ୯୬ହଜାର ଟଙ୍କା ଜରିମାନା କରାଯାଇଛି। ପ୍ରଶାସନର ଏହି ଜରିମାନା କେବଳ କାଗଜପତ୍ରରେ ସୀମିତ ରହିଛି। କୋଟି କୋଟି ଟଙ୍କାର କଳାପଥର ଚୋରି କରିଥିବା ଲିଜଧାରୀମାନେ ଜରିମାନା ପୈଠ କରିନଥିବା ସତ୍ତ୍ବେ ଧର୍ମଶାଳା ତହସିଲ ପୁଣି ସେମାନଙ୍କୁ ନୂଆ ଖାଦାନ ଲିଜ ଦେବା ଘଟଣା ପ୍ରଶାସନର ଅସାଧୁ କାରବାରକୁ ପଦାରେ ପକାଇଦେଇଛି। ଏଭଳି ସ୍ଥିତିରେ ୮.୬୩କୋଟି ଟଙ୍କା ରାଜସ୍ବ ଫାଙ୍କିଥିବା ଜଣେ ବିଜେଡି ଛାତ୍ରନେତା ତଥା କଳାପଥର ଲିଜ୍ଧାରୀ ମନୋଜ କୁମାର ସାମଲଙ୍କ ସହ ରାଜ୍ୟ ସରକାରଙ୍କ କାର୍ପଟଦାରଙ୍କ ଗୋଷ୍ଠୀଙ୍କ ଫଟୋ ଭାଇରାଲ ହୋଇଛି। ରାଜସ୍ବ ଫାଙ୍କିଥିବା ମନୋଜ ହେଉଛନ୍ତି ଯାଜପୁର ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଉପସଭାପତି। ଯେତେବେଳେ ମନୋଜଙ୍କ ଠାରୁ ଜରିମାନା ଆଦାୟ ହୋଇପାରୁନାହିଁ, ସେତେବେଳେ ଅନ୍ୟମାନଙ୍କ ଠାରୁ ଆଦାୟ ହେବ କେମିତି? କେବଳ ସେତିକି ନୁହେଁ, ଲିଜଧାରୀ ଶ୍ରୀ ସାମଲଙ୍କ ସହିତ ସରକାର ଓ ବିଜେଡି କାର୍ପଟଦାରଙ୍କ ଫଟୋ ଯେତେବେଳେ ଦାଣ୍ଡରେ ବୁଲୁଛି, ସେବେ କେଉଁ ଅଧିକାରୀ ବେଆଇନ ପଥର ଚାଲାଣକୁ ରୋକିବେ ଏବଂ ଜରିମାନା ଆଦାୟ କରିବେ? ଏହି ପ୍ରସଙ୍ଗରେ କିନ୍ତୁ କେହି ମୁହଁ ଖୋଲୁନାହାନ୍ତି। ସରକାର ସ୍ବଚ୍ଛତାର ଡିଣ଼୍ଡିମ ପିଟୁଥିବା ବେଳେ ୨୯୮ କୋଟି ଟଙ୍କା କିଛି ପ୍ରଭାବଶାଳୀ ଗିଳିଦେବା ପ୍ରମାଣ କରୁଛି ଯେ କ୍ଷମତାଶାଳୀଙ୍କ ଆଶୀର୍ବାଦ ରହିଲେ, ସବୁ ଅସମ୍ଭବ ଏଠି ସମ୍ଭବ ହୋଇପାରେ।