ସାମ୍ବାଦିକଙ୍କୁ ହତ୍ୟାଧମକ ପ୍ରସଙ୍ଗ : ଅତିରିକ୍ତ ଏସପିଙ୍କୁ ଭେଟିଲେ ସାମ୍ବାଦିକ ସଂଘ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହିରଣ୍ୟ ବେହେରା): କୋକସରା ବ୍ଲକର ଏକ ଦୈନିକ ଖବର କାଗଜର ବ୍ଳକ ପ୍ରତିନିଧିଙ୍କୁ ହତ୍ୟା ଧମକ ଓ ଆକ୍ରମଣ ଘଟଣାରେ ଶୁକ୍ରବାର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏସୟୁଜେ ସାମ୍ବାଦିକ ସଂଘ ସାକ୍ଷାତ କରି ଦୋଷୀ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି। ଅଭିଯୋଗ ଅନୁସାରେ, ଦୈନିକ ଖବରକାଗଜରେ ଏକ ଖବର ପ୍ରସାରଣ ପରେ ସରପଞ୍ଚମାନଙ୍କ ସ୍ବାମୀମାନେ ଉତକ୍ଷିପ୍ତ ହୋଇ ସାମ୍ବାଦିକ ଜଣକୁ ଜୀବନରୁ ମାରିଦେବାକୁ ହତ୍ୟା ଧମକ ଦେବା ସହିତ ଆକ୍ରମଣ କରିଥିବା ଗୁରୁବାର କୋକସରା ଥାନାରେ ଅଭିଯୋଗ ହୋଇଛି। ଏନେଇ କୋକସରା ଥାନା ଅଧିକାରିଣୀ ରନିତା ପ୍ରଧାନ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ୫ଜଣଙ୍କ ନାମରେ ମାମଲା ଦାଏର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, କୋକସରା ଥାନା ମୋଟେର ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ମୋହନ ନାଏକ, କାଶୀବାହାଲ ସରପଞ୍ଚଙ୍କ ସ୍ବାମୀ ରୁଦ୍ର ନାଏକ, ଡହଗାଁ ସରପଞ୍ଚଙ୍କ ସ୍ୱାମୀ ବ୍ରଜ ନାଏକ, ଖୁଣ୍ଟିଆ ସରପଞ୍ଚଙ୍କ ସ୍ୱାମୀ ଟଙ୍କଧର ଧରୁଆ ଓ ମାଝୀଗୁଡା ସରପଞ୍ଚଙ୍କ ସ୍ୱାମୀ ଦ୍ୱାରିକା ନାଥ ବାଗଙ୍କ ନାମରେ କେସ ନଂ ୨୫୨/୨୩ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା କୋକସରା ଥାନା ପୋଲିସ ପକ୍ଷରୁ ସୂଚନା ରହିଛି। ତେବେ ସତ୍ୟ ଖବର ଓ ବିଭିନ୍ନ କାର୍ଯ୍ୟରେ ସରପଞ୍ଚଙ୍କ ସ୍ୱାମୀମାନେ ପ୍ରତିନିଧି ବୋଲାଇ ଉନ୍ନୟନ କାର୍ଯ୍ୟରେ ବାଧା ଦେଉଥିବା ନେଇ ଏକ ଦୈନିକଖବର କାଗଜରେ ଖବର ପ୍ରକାଶ ହେବାପରେ ସାମ୍ବାଦିକଙ୍କୁ ଆକ୍ରମଣ ସହ ହତ୍ୟା ଧମକ ଦେବା ଘଟଣାକୁ ନେଇ ସାମ୍ବାଦିକ ଜଣକ ଅଭିଯୋଗ ଦେଇଛନ୍ତି। ଗଣମାଧ୍ୟମର କଣ୍ଠରୋଧ କରାଯିବା ପାଇଁ ଏହା ଏକ ଯୋଜନା ବୋଲି ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଂଘ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି। ଏନେଇ ଆଜି ରାଜ୍ୟ ସାମ୍ବାଦିକ ସଂଘର ଉପସଭାପତି ଦୁଷ୍ମନ୍ତ କୁମାର ପଣ୍ଡା, କଳାହାଣ୍ଡି ସାମ୍ବାଦିକ ସଂଘ ସଭାପତି ମହମ୍ମଦ ଅଲ୍ଲୀ ଖାଁ, ରଘୁମଣୀ ପୂଝାରୀ, ଜଗଦୀଶ ନାଏକ ଓ କୋକସରା ଏସୟୁଜେର ସାମ୍ବାଦିକମାନେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଅନୁପସ୍ଥିତରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଉପରୋକ୍ତ ୫ଜଣ ସରପଞ୍ଚମାନଙ୍କ ସ୍ବାମୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.