ଏୟାର ଇଣ୍ତିଆ କର୍ମଚାରୀଙ୍କ ପାଇଁ ୟୁନିଫର୍ମ ଡିଜାଇନ୍ କରିବେ ମନୀଷ ମଲହୋତ୍ରା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଏୟାର ଇଣ୍ତିଆ କର୍ମଚାରୀଙ୍କ ପାଇଁ ଆସିବ ନୂଆ ୟୁନିଫର୍ମ। ଡିଜାଇନ୍ କରିବେ ବଲିଉଡ ସେଲିବ୍ରିଟି ଡିଜାଇନର ତଥା ଲୋକପ୍ରିୟ ଫ୍ୟାଶନ ଡିଜାଇନର୍‌ ମନୀଷ ମଲହୋତ୍ରା। ଏୟାର ଇଣ୍ଡିଆର ଏହି ନୂଆ ୟୁନିଫର୍ମ ଡିଜାଇନ୍ କରିବା ପାଇଁ ପ୍ରସିଦ୍ଧ ଫ୍ୟାଶନ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ସହିତ ଏୟାର ଇଣ୍ଡିଆ ଏକ ଚୁକ୍ତି କରିଥିଲା । ଚଳିତ ବର୍ଷ ତଥା ୨୦୨୩ ମସିହା ଡିସେମ୍ବର ମାସ ସୁଦ୍ଧା ସମସ୍ତ ମହିଳା କର୍ମଚାରୀଙ୍କୁ ଆପଣ ନୂଆ ପୋଷାକ ପରିଧାନ କରିଥିବାର ଦେଖିବାକୁ ପାଇବେ। ଚୁକ୍ତି ଅନୁଯାୟୀ ଏୟାର ଇଣ୍ତିଆର ୧୦ ହଜାର କର୍ମଚାରୀଙ୍କ ପାଇଁ ନୂଆ ଡିଜାଇନର ଡ୍ରେସ୍ ତିଆରି ହେବ। ଏନେଇ ଏୟାର ଇଣ୍ତିଆ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଘୋଷଣା କରି ସାରିଛି। ଏହି କର୍ମଚାରୀମାନଙ୍କ ମଧ୍ୟରେ କ୍ୟାବିନ କ୍ରୁ, କକ୍ପିଟ୍ କ୍ରୁ, ଗ୍ରାଉଣ୍ଡ ଏବଂ ସୁରକ୍ଷା କର୍ମଚାରୀ ଅନ୍ତର୍ଭୁକ୍ତ। ଏୟାର ଇଣ୍ଡିଆର ଆଧୁନିକୀକରଣ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଏହାର ନୂତନ ବିଶ୍ୱ ବ୍ରାଣ୍ଡ ପରିଚୟର ଅଭିବ୍ୟକ୍ତି ଭାବରେ ଏହା ନିଆଯାଇଛି। ଟାଟା ଗ୍ରୁପ୍ ଏୟାର ଇଣ୍ଡିଆ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଅନେକ ପରିବର୍ତ୍ତନ କରିବା ସହିତ ନିଜର ସ୍ୱତନ୍ତ୍ର ପରିଚୟ ତିଆରି ପାଇଁ ଚେଷ୍ଟା ଜାରି ରଖିଛି। ପୂର୍ବରୁ ଟାଟା ଗ୍ରୁପ୍ ଅଧିଗ୍ରହଣ ପରେ ଏୟାର ଇଣ୍ଡିଆର ଏକ ନୂଆ ଲୋଗୋ ଉନ୍ମୋଚନ କରାଯାଇଥିଲା। ଆଗକୁ ଏୟାର ଇଣ୍ଡିଆ ବିମାନରେ ଏହାର ଲୋଗୋ ଏକ ଭିନ୍ନ ତଥା ଆକର୍ଷଣୀୟ ଢଙ୍ଗରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ବିମାନରେ ଏପରି ପରିବର୍ତ୍ତନକୁ କର୍ମଚାରୀମାନେ ସ୍ୱାଗତ କରିବା ସହିତ ଖୁସି ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.