ସାଲିହା ଗୁଲିକାଣ୍ଡ : ୩୦ ସେପ୍ଟେମ୍ବର ୧୯୩୦

ଜିତେନ୍ଦ୍ର କୁମାର ନାଗ

ସାଲିହା ଗ୍ରାମ ବା ସାଲିହା ଗଡ ଜିଲ୍ଲା ମୁଖ୍ୟାଳୟ ନୂଆପଡା ଠାରୁ ଉତ୍ତର ପୂର୍ବ ଦିଗ ପାଞ୍ଚ କିଲୋମିଟର ଦୂରରେ ଅବସ୍ଥିତ । ଖଡିଆଳ ଜମିଦାରୀ ବର୍ତ୍ତମାନର ନୂଆପଡା ଜିଲ୍ଲା ମଧ୍ୟପ୍ରଦେଶ ରାୟପୁର ଜିଲ୍ଲାର ଅଂଶ ବିଶେଷ ଥିଲା । ଯାହା ସାଗୁଆନ ଜଙ୍ଗଲ ପାଇଁ ପ୍ରସିଦ୍ଧ ଥୁଲା । ଭରତର ସ୍ଵାଧୁନତା ସଂଗ୍ରାମ ଆନ୍ଦୋଳନ ସମୟରେ ମଧ୍ୟପ୍ରଦେଶର ରାୟପୁର ଜିଲ୍ଲା ଅଞ୍ଚଳର ଜଙ୍ଗଲ ସତ୍ୟାଗ୍ରହୀ ମାନଙ୍କ କାର୍ଯ୍ୟକଳାପ ଖଡିଆଳ ଜମିଦାରୀର ଜଙ୍ଗଲ ଅଞ୍ଚଳ ମାନଙ୍କରେ ମଧ୍ୟ ପ୍ରଭାବ ପଡିଥିଲା । ଖଡିଆଳ ଜମିଦାରୀରେ ରାଷ୍ଟ୍ରୀୟ ସ୍ଵାଧୂନତା ଆନ୍ଦୋଳନରେ ବ୍ରଜକିଶୋର ପାଢୀ ୧୯୩୦ ମସିହାରେ ଜଣେ ସ୍ଵାଧୂନତା ସଂଗ୍ରାମୀ ଏବଂ ବିଶିଷ୍ଟ ବ୍ୟକ୍ତି ଥିଲେ । ୧୯୩୦ ମସିହା ୩୦ ସେପ୍ଟେମ୍ବର ମାସରେ ଖଡିଆଳ ଜମିଦାରୀର ସାତଶହ ସତ୍ୟାଗ୍ରହୀ ମାନେ ସାଲିନ୍ଦା ଗ୍ରାମ ଠାରେ ଗୋଟିଏ ବୈଠକ ଅୟୋଜନ କରି ଇଂରେଜ ସରକାରଙ୍କ ଦ୍ଵାରା ନିଆଯାଇଥିବା କାଠ କର, ଚରା କର ଏବଂ ପିଣ୍ଡାରି କରକୁ ବିରୋଧ କଲେ । ଯାହା ସାଲିହା ଆନ୍ଦୋଳନ ନାମରେ ପ୍ରସିଦ୍ଧ ହେଲା । ଏହି ଜଙ୍ଗଲ ସତ୍ୟାଗ୍ରହ ବୈଠକରେ ଆଖପାଖ ଗ୍ରାମ ଚୁହୁରୀ ଗ୍ରାମ, କୋଦେମେରୀ, ନୂଆଡିହି, ତେଲକୋବଗ, ସାଲିହା, କଲ୍ୟାଣପୁର, ବୁଏରଭାଡି, ଝାଲବାବଲ, କେରିମେଲି, ମୁରହେଲା, ଭଏସାତାଲ, ପତରପାଲି, ଡୁମେର ଡିହୀ, ଖୁପତୋରା, ମୋଗରାପାଲି, ନୂଆଡିହି, ଜଙ୍ଗୁଲା, ନିଲଜି, ସିନାପାଲି ଏବଂ ବହୁ ଗ୍ରାମର ସତ୍ୟାଗ୍ରହୀ ମାନେ ଏକତ୍ରିତ ହୋଇ ଇଂରେଜ ସରକାରଙ୍କ ବିରୁଦ୍ଧରେ ପ୍ରଦର୍ଶନ ଏବଂ ସ୍ଵର ଉତ୍ତଳନ ସହ ବୈଠକରେ କର ନଦେବା ପାଇଁ ଏବଂ କର ଲଗାଇବା ବିରୁଦ୍ଧରେ ବିଦ୍ରୋହ କରିବାର ପ୍ରସ୍ତାବ ପାରିତ କଲେ । ସେହି ସମୟର ଖଡିଆଳ ଜମିଦାରୀର ନୂଆପଡାରେ ନିଯୁକ୍ତି ଥିବା (କାମଦା) ପର୍ଯ୍ୟବେକ୍ଷକ ପ୍ରତାପ ସିଂ ଏହିସବୁ କାର୍ଯ୍ୟକଳାପର ଗୁପ୍ତ ଅନୁଧ୍ୟାନ କରି ଖଡିଆଳ ଜମିଦାରୀର (ଜମିଦାର) ୧୬ ତମ ରାଜା ଆର୍ତ୍ତତ୍ରାଣ ଦେଓ (୧୯୨୧-୧୯୪୬) ଙ୍କୁ ସାଙ୍ଗେ ସାଙ୍ଗେ ସୂଚିତ କରାଇଲେ । ରାଜା ଆର୍ତ୍ତତ୍ରାଣ ଦେଓ ପ୍ରଥମେ ଏହି ଖବର ପାଇ ବିଶ୍ଵାସ କରିନଥିଲେ । ଏହି ବିଷୟକୁ ନେଇ ପରେ ରାଜା ଆର୍ତ୍ତତ୍ରାଣ ଦେଓ କୁଟନୀତି ଭୂମିକା ନିଭାଇଥିଲେ । ଏହାର ପଛରେ ତାଙ୍କର ଭୁମିକା ଥୁଲା ଯେ, ଏହି ଘଟଣା ବିନା ରକ୍ତପାତରେ ଅହିଂସା ଦ୍ଵାରା ସମାଧାନ କରାଯାଉ । ଏହି ଜଙ୍ଗଲ ସତ୍ୟାଗ୍ରହ ସଭା ବା ଆନ୍ଦୋଳନ କୁ ନିୟନ୍ତ୍ରୀତ କରିବା ପାଇଁ ନୂଆପଡା ପୋଲିସ କୁ ସେ ସୂଚିତ କରିଥିଲେ । ଏହି ସତ୍ୟାଗ୍ରହ ଆନ୍ଦୋଳନକୁ ଦବାଇବା ପାଇଁ ନୂଆପଡା ପୋଲିସ ଦଳ ସାଙ୍ଗେ ସାଙ୍ଗେ ସାଲିହା ଗ୍ରାମକୁ ଗଲେ ସେହି ସମୟରେ ବୈଠକ ଋଲୁଥାଏ। ପୋଲିସ ଅଚାନକ ନେତାମାନଙ୍କୁ ଘେରାବନ୍ଦି କରି ଆନ୍ଦୋଳନକୁ ବନ୍ଦ କରିବା ପାଇଁ ଚେତାବନି ଦେଲେ । ପୋଲିସର ଚେତାବନିକୁ ସତ୍ୟାଗ୍ରହୀ ମାନେ ଅମାନ୍ୟ କରି ବ୍ରୀଟିଶ ସରାକାରଙ୍କ ବିରୁଦ୍ଧରେ ସ୍ଵରଉତ୍ତଳନ କରି ନାରେବାଜି କଲେ ଏବଂ ସଭା ଛାଡି ଗଲେ ନାହିଁ । ଆନ୍ଦୋଳନକୁ ଦବାଇବା ପାଇଁ ପୋଲିସ ଲାଠିଚାର୍ଜ କଲା ଉତ୍ତେଜିତ ଆନ୍ଦୋଳନକାରି ମାନେ ପୋଲିସକୁ ମାରପିଟ କରି ପୋଲିର ଲାଠିଗୁଡିକୁ ପୋଡିଦେଲେ । କିଛି ପୋଲିସ କର୍ମୀ ଗୁରୁତ୍ଵର ଭାବରେ ଅହାତ ହେଲେ ।

ଫଳରେ ପୋଲିସ ବାଧ୍ୟ ହୋଇ ଗୁଳି ଚାଳନା କରିଥିଲେ । ସଭାର ଚାଳିଷ ରୁ ପଚାଷ ସତ୍ୟାଗ୍ରହୀ ମାନଙ୍କୁ ଗିରଫ କରାଗଲା । ସେଠାରେ କୌଣସି କାନୁନ ବ୍ୟବସ୍ଥା ନଥିଲା । ସଂପୂର୍ଣ୍ଣ ଭାବରେ ଅରାଜକତା ବ୍ୟାପିଥିଲା । ସ୍ଥିତି ନିୟନ୍ତ୍ରଣରୁ ବାହାର ହୋଇଯାଇଥିଲା । ମୁଖ୍ୟ ନେତା ମାନଙ୍କୁ ପୋଲି ଗିରଫ କଲା । ଚୁହୁରି ଗ୍ରାମର କେଳୁଦାସ ବାବା, ସାଲିଗୁଡା ଗ୍ରାମର ରାମୁ, ପରକୋଡା ଗ୍ରାମର ରାମଳାଲ ଦେବଗନ, ଚନାବେଡା କୁନ୍ଦ୍ରା ଗ୍ରାମର କୁନ୍ଦୁ, ସାଲିହା ଗ୍ରାମର ଗଣ୍ଡା ରାଇ, ଖରିଆର ରୋଡ ର ଲକ୍ଷ୍ମଣ ଦାସ, ବହୁ ସତ୍ୟାଗ୍ରହୀ ପରଶୁଗୁଡା ଗ୍ରମ ଏବଂ ଚନାବେଡା ଗ୍ରାମର ସତ୍ୟାଗ୍ରହୀ ମାନଙ୍କୁ ପୋଲିସ ଗିରଫ କରି ଜେଲ ପଠାଇଲା । କେତେକ ସତ୍ୟାଗ୍ରହୀ ଗୁରୁତର ଭାବରେ ଆହତ ହେଲେ, କେତେକଙ୍କ ଘଟାଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସତ୍ୟାଗ୍ରହୀ କେଳୁଦାସ ବାବାଙ୍କ ଶରୀରରେ ସାତ ଗୋଟି ଗୁଳି ଲାଗିବାରୁ ଗୁରୁତର ଭାବରେ ଆହତ ହୋଇଥିଲେ । କ୍ରୋଧୃତ ସତ୍ୟାଗ୍ରହୀ ମାନେ ପୋଲିସ ଉପରେ ଆକ୍ରମଣ କଲେ । ଜଣେ ପୋଲିସ ଅଧୂକାରୀ ଗୁରୁତର ଭାବରେ ଆହତ ହୋଇ ପାଣିପାଇଁ ଚିତ୍କାର କରୁଥିଲେ । ସେଠାକାର ସ୍ଥାନିୟ ବ୍ରାହ୍ମଣ ପାଣିଦେଇ ଜୀବନ ବଞ୍ଚାଇଥିଲେ । ପରେ ସେହି ବ୍ରାହ୍ମଣକୁ ଖଡିଆଳ ଜମିଦାର (ରାଜା) ଙ୍କ ଦ୍ଵାରା ସେହି ବ୍ରାହ୍ମଣକୁ ସମ୍ମାନିତ କରାଗଲା । ଏବଂ ପତରପାଲି ଗହଟିଆ ପଦବି ଦିଆଗଲା ଏବଂ ଉପହାର ସ୍ଵରୂପ ବହୁ ଜମି ଦାନ କରାଗଲା ।

ବର୍ତ୍ତମାନ ର ଖଡିଆଳ ର ୧୮ତମ ରାଜା ଜିତାମିତ୍ର ସିଂହ ଦେବ ଙ୍କ ମତରେ ବ୍ରଜକିଶୋର ପାଢୀଙ୍କ ଦ୍ବାରା ଦିଆଯାଇଥିବା ସାଲିହା ଗୁଲିକାଣ୍ଡର ବିବରଣୀ ଲୋକ କଥୁତ ଏବଂ ଅର୍ଧ ସତ୍ୟ ଅଟେ । କୌଣସି ସତ୍ୟାଗ୍ରହୀ ଏହି ଗୁଳିକାଣ୍ଡ ରେ ମୃତ୍ୟୁବରଣ କରିନଥିଲେ । ଏବଂ କେଳୁଦାସ ବାବାଙ୍କୁ ସାତ ଗୋଟି ବନ୍ଧୁକ ଗୁଲିରେ ଆହତ ହୋଇ ନଥିଲେ । ମଧ୍ୟପ୍ରଦେଶ ରାୟପୁର ଜିଲ୍ଲା ଗେଜେଟିଅର ରୁ ମଧ୍ୟ ଜଣାପଡେ ଯେ, ଦୁଇଜଣ ସତ୍ୟାଗ୍ରହୀ ଆହତ ହୋଇଥିଲେ ଓ କାହାର ମୃତ୍ୟୁ ହୋଇନଥିଲା । ୧୯୭୭ ମସିହାରେ ରାଜା ଜିତାମିତ୍ର ସିଂହ ଦେବ ସାଲିହା ଗ୍ରାମକୁ ଯାଇ ଏହି ଘଟଣାର ଅନୁଧ୍ୟାନରୁ ଯଣାପଡେ ଯେ, କେଳୁଦାସ ବାବା ଏବଂ କାର୍ତ୍ତିକ ଶବର ନାମକୁ ଦୁଇ ସତ୍ୟାଗ୍ରହୀ ପୋଲି ଗୁଲିକାଣ୍ଡରେ ଗୁରୁତର ଭାବରେ ଆହତ ହୋଇଥିଲେ । ସାଲିହା ଗ୍ରାମର ଗୁଲିକାଣ୍ଡର ସତ୍ୟତା ଉଜାଗର ହେଲା ପରେ । “ ସାଲିଆ ଫାଏରି ଙ୍ଗି” ନାମକ ଗୋଟିଏ ଲେଖା ଲେଖାଗଲା । ସେହି ସମୟର ନୂଆପଡା ଜିଲ୍ଲାର ଜିଲ୍ଲାପାଳ ସତ୍ୟବ୍ରତ ସାହୁ ଭାରତର ସ୍ଵତନ୍ତ୍ରତା ର ସ୍ଵର୍ଣ୍ଣଜୟନ୍ତୀ ଅବସର ମଧ୍ୟରେ ୩୦ ସେପ୍ଟେମ୍ବର ୧୯୯୭ ମସିହାକୁ ସାଲିହା ସମାରୋହ ଭାବରେ ପାଳନ କଲେ । ଏହି ଅବସରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶେଖ୍ ମତଲବ ଅଲ୍ଲି ଏବଂ ରାଜ୍ୟ ସରକାରଙ୍କ ରାଜସ୍ବ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ମୁଖ୍ୟ ଅତିଥୁ ଭାବରେ ଯୋଗ ଦେଇଥିଲେ । ଏହି ସମାରୋହରେ ବିଶୁ ଶବର ନାମକ ସତ୍ୟାଗ୍ରହୀ ବର୍ଣ୍ଣନା କରିଥିଲେ ଯେ, ୩୦ ସେପ୍ଟେମ୍ବର ୧୯୩୦ ମସିହାରେ ସାଲିହା ଗ୍ରାମଠାରେ ଜଙ୍ଗଳ ସତ୍ୟାଗ୍ରହ ସଭା ଆୟୋଜନ ହୋଇଥିଲା । ଏଥିରେ ୧୦୦ ରୁ ଅଧିକ ସତ୍ୟାଗ୍ରହୀ ଏକତ୍ରିତ ହୋଇଥିଲେ । ଏବଂ ସେମାନେ କାଠ କର, ଚରା କର, ପିଣ୍ଡାରି କର ନ ଦେବା ପାଇଁ ନିଷ୍ପତି ନେଇଥିଲେ । ଏହି ସଭାକୁ ଦବାଇବା ପାଇଁ ନୂଆପଡା ପୋଲିସ ସେଠାରେ ପହଞ୍ଚି ସଭାକୁ ଘେରି ସମସ୍ତଙ୍କୁ ଚାଲିଯିବା ପଇଁ ଆଦେଶ ଦେଇଥିଲେ ।

ପୋଲିସର ଆଦେଶକୁ ସତ୍ୟାଗ୍ରହୀମାନେ ଅମାନ୍ୟକରି ସଭା ଜାରି ରଖିଲେ । ପୋଲିସ ସାଙ୍ଗେ ସାଙ୍ଗେ ସଭା ଉପରେ ଲାଠିଚାର୍ଜ କରି ମାରପିଟ କରିବାରେ ଲାଗିଲା । ସ୍ଥିତି ଅନିୟନ୍ତ୍ରୀତ ହେବାରୁ ପୋଲିସ ବନ୍ଧୁକରୁ ଗୁଳିଚାଳନା କଲା । ସେହି ସ୍ଥଳରେ କାର୍ତ୍ତିକ ଶବରଙ୍କ ଝିଅ ଦେମାତି ଶବର ଘଟଣାକୁ ବୁଝି ଅନୁଧ୍ୟାନକରି ଜଣାଇଲେ ଯେ, ପୁଲିସ ଗୁଲିକାଣ୍ଡରେ ତାଙ୍କ ପିତା କାର୍ତ୍ତିକ ଶବର ଏବଂ କେଳୁଦାସ ବାବା ଗୁରୁତର ଆହତ ହୋଇଛନ୍ତି । ଜଙ୍ଗଳ ସତ୍ୟାଗ୍ରହୀ ମାନେ ଛିନ୍ନଭିନ୍ନ ହୋଇ ଏପଟେ ସେପଟେ ହେଇଗଲେ । ଦୁଇ ସତ୍ୟାଗ୍ରହୀ ଲହୁ ଲୁହାଣ ହୋଇ ସେଠାରେ ପଡିଗଲେ ଏହି ଘଟଣା ପରେ ପୋଲିସଫୋର୍ସ ନୂଆପଡା କୁ ଫେରିଗଲେ । ସଭାସ୍ଥଳରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ସାଲିହା ଗ୍ରାମବାସି ସ୍ଥାନୀୟ ଚିକିତ୍ସା ସୁବିଧା ଯୋଗାଇଲେ । ଦୁଇ ଆହତ ବ୍ୟକ୍ତି ପୁରା ରାତି ଗ୍ରାମରେ ବିତାଇଲେ । ଆରଦିନ ୧ ଅକ୍ଟୋବର ୧୯୩୦ ମସିହାରେ ନୂଆପଡା ପୋଲିସ ପୁଣିଥରେ ଆସି ଆହତ ବ୍ୟକ୍ତିମାନଙ୍କୁ ଚିକିତ୍ସା ପାଇଁ ରାୟପୁର ନେଲେ । ସମ୍ପୂର୍ଣ୍ଣ ଚିକିତ୍ସା ହେଲାପରେ ସତ୍ୟଗ୍ରହୀ କାର୍ତ୍ତିକ ଶବର ଘରକୁ ଫେରିଥିଲେ ଏବଂ କେଳୁଦାସ ବାବା ବହୁ ସମୟ ଧରୀ ରାୟପୁର ଏବଂ ରାୟପୁର ରେ ରହି ଦୁଇବର୍ଷ ପରେ ଘରକୁ ଫେରିଥିଲେ ।

୧୯୩୦ ମସିହାରେ ଖଡିଆଳ ଜମିଦାରୀ ର ଜମିଦାର (ରାଜା) ଆର୍ତ୍ତତ୍ରାଣ ଦେବ (୧୯୨୧୧୯୪୬) ମସିହା ସମୟରେ ଲକ୍ଷ୍ମଣ ପଟ୍ଟନାୟକ ଖଡିଆଳ ଜମିଦାରୀ ର ଦିୱାନ ଥିଲେ । ସେହି ସମୟରେ ଖଡିଆଳ ଜମିଦାରୀ ମଧ୍ୟରେ ଚାଲୁଥିବା ଭାରତର ସ୍ଵାଧୂନତା ସଂଗ୍ରାମ ଆନ୍ଦୋଳନ ବିଷୟରେ ଦିନ ଲକ୍ଷ୍ମଣ ପଟ୍ଟନାୟକ ରାଜାଙ୍କୁ ସୂଚନା ଦେଇନଥିଲେ । ଫଳରେ ସ୍ଥିତି ଗମ୍ଭୀର ହେବାକୁ ଲାଗିଲା ସେହି ସମୟରେ ଖଡିଆଳ ଜମିଦାରୀର କାମଦା (ପର୍ଯ୍ୟବେକ୍ଷକ) ପ୍ରତାପ ସିଂ ଆର୍ତ୍ତତ୍ରାଣ ସିଂହ ଦେବ ଙ୍କୁ ସୂଚିତ କଲେ ଫଳରେ ରାଜା ଆର୍ତ୍ତତ୍ରାଣ ଦେବ ନୂଆପଡା ପୋଲିସକୁ ସୂଚିତ କଲେ ସେହି କାରଣରୁ ସାଲିହା ଗୁଲିକାଣ୍ଡ ଘଟିଥିଲା । ଯଦି ଦିନ ଲକ୍ଷ୍ମଣ ପଟ୍ଟନାୟକ ଜଙ୍ଗଳର ସତ୍ୟାଗ୍ରହୀ ମାନଙ୍କ ଅଭିଯୋଗ ବିଷୟରେ ରାଜାଙ୍କୁ ଆଗରୁ ସୂଚିତ କରିଥିଲେ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ ହୋଇଥାନ୍ତା । ସେହି ସମୟର ମଧ୍ୟପ୍ରଦେଶ ରାୟପୁର ର ଇଂରେଜ ଡେପୁଟି କମିସନର ଖଡିଆଳ ଜମିଦାରୀର ଦିନ ଲକ୍ଷ୍ମଣ ପଟ୍ଟନାୟକଙ୍କୁ ବରଖାସ୍ତ କରିବା ପାଇଁ ରାଜା ଆର୍ତ୍ତତ୍ରାଣ ଦେବ ଙ୍କୁ ଆଦେଶ ଦେଲେ ଫଳରେ ଳକ୍ଷ୍ମଣ ପଟ୍ଟନାୟକଙ୍କୁ ଦିୱାନ ପଦବିରୁ ଜମିଦାର ରାଜା ବରଖାସ୍ତ କରିଥିଲେ । ଭାରତର ସ୍ଵାଧ୍ଵନତା ସଂଗ୍ରାମ ମଧ୍ୟରେ ଖଡିଆଳ ଜମିଦାରୀ (ବର୍ତ୍ତମାନ ନୂଆପଡା ଜିଲ୍ଲା ଅଞ୍ଚଳ ) ରେ ହୋଇଥିବା ଜଙ୍ଗଳ ସତ୍ୟାଗ୍ରହୀ ମାନଙ୍କ ଉପରେ ହୋଇଥିବା ଗୁଲିକାଣ୍ଡ ଘଟଣା ଆଜି ପର୍ଯ୍ୟନ୍ତ ଓଡିଶାର ଆଧୁନିକ ଇତିହାସରେ ସମ୍ମିଳିତ ହୋଇପାରି ନାହିଁ ।

ପ୍ରତ୍ନତତ୍ଵବିଦ୍
ଖଡିଆଳ, ବ୍ରାହ୍ମଣପଡା ଜିଲ୍ଲା- ନୂଆପଡା
ପିନ- ୭୬୬୧୦୭, ମୋ- ୬୩୭୦୭୨୨୧୨୪

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.