ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ବୈଷ୍ଣବୀ ଧାମରେ ରବିବାର ଠାରୁ ଆରମ୍ଭ ହୋଇଯାଇଛି ନବରାତ୍ରୀ ଦୁର୍ଗାପୂଜା । ଏଥିରେ ପୂଜକ ଭାବେ ଆଲ୍ହାବାଦ ଳରୁ ଆସିଥିବା ପଣ୍ଡିତ ଜତିନ ପାଣ୍ଡେ ଓ ବନାରସର ମଣିଶଙ୍କର ପାଣ୍ଡେ ପୂଜନ କାର୍ଯ୍ୟ ପରିଚାଳନା କରୁଛନ୍ତି । ରୁପ୍ରାରୋଡ଼ ହାଡୋଦିଆ ପରିବାରର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୂଜା ଚାଲିଥିବା ବେଳେ ବରିଷ୍ଠ ସଦସ୍ୟ ଅନୀଲ କୁମାର ଅଗ୍ରୱାଲ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଜଣାପଡିଛି । ସମସ୍ତ ରୀତିନୀତି ଅନୁସାରେ ପୂଜନ କାର୍ଯ୍ୟ ଚାଲିଥିବା ବେଳେ ପ୍ରତ୍ୟହ ସନ୍ଧ୍ୟା ୬.୩୦ ରେ ସାନ୍ଧ୍ୟ ଆଳତୀ ଅନୁଷ୍ଠିତ ହେଉଛି । ସାନ୍ଧ୍ୟ ଆଳତୀ ସମୟରେ ରୁପ୍ରାରୋଡ଼ ତଥା ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଜମୁଛି । ବୈଷ୍ଣବୀ ଧାମ ରୁପ୍ରାରୋଡ଼ର ନବରାତ୍ରୀ ପୂଜାରେ ସୁନୀଲ ହାଡୋଦିଆ ଓ ତାଙ୍କ ଧରପତ୍ନୀ ସୀମା ହାଡୋଦିଆ ପୂଜା କର୍ତ୍ତା ଭାବରେ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ପ୍ରତ୍ୟହ ରାତି ୮ ଘଣ୍ଟା ସମୟରେ ସଂକୀର୍ତ୍ତନ ପରିବେଷଣ ଓ ରାତି ୯ ଘଣ୍ଟା ସମୟରେ ଦାଣ୍ଡିଆ ନୃତ୍ୟ ସମସ୍ତଙ୍କର ମନ ମୋହୁଛି । ରୁପ୍ରାରୋଡ଼ ବସ୍ତି ମଧ୍ୟସ୍ଥ ଦୁର୍ଗା ମଣ୍ଡପ, ଦେବସର ଧାମରେ ମଧ୍ୟ ନବରାତ୍ରୀ ଦୁର୍ଗାପୂଜା ଅନୁଷ୍ଠିତ ହୋଇଥିବା ବେଳେ ବୈଷ୍ଣବୀ ଧାମ ନବରାତ୍ରୀ ଦୁର୍ଗାପୂଜା ପାଇଁ ପରିବେଶ ଉତ୍ସଵ ମୁଖର ହୋଇଉଠିଛି । ରୁପ୍ରାରୋଡ଼ ବୈଷ୍ଣବୀ ଧାମ ନବରାତ୍ରୀ ଦୁର୍ଗା ପୂଜାକୁ ଅଞ୍ଚଳବାସୀ ଅଧିକରୁ ଅଧିକ ସଂଖାରେ ଆସି ମା ବୈଷ୍ଣବୀ ଦେବୀଙ୍କ ଆଶିଷ ଲାଭ କରନ୍ତୁ ବୋଲି ହାଡୋଦିଆ ପରିବାରର ବରିଷ୍ଠ ସଦସ୍ୟ ଅନୀଲ କୁମାର ଅଗ୍ରୱାଲ ସମସ୍ତଙ୍କୁ ନିବେଦନ କରିଛନ୍ତି ।