କଳାହାଣ୍ଡିର ୫ ଆସନରୁ ହୋଇନାହାନ୍ତି ବିଧାୟିକା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାର ୫ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା ନର୍ଲା, ଭବାନୀପାଟଣା, ଜୁନାଗଡ଼, ଧର୍ମଗଡ଼ ଓ ଲାଞ୍ଜିଗଡ଼ରେ ବର୍ତ୍ତମାନ ସୁଦ୍ଧା ଜଣେ ମଧ୍ୟ ବିଧାୟିକା ନିର୍ବାଚିତ ହୋଇନାହାନ୍ତି। ପୂର୍ବରୁ କେବଳ କୋକସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ରୋସନୀ ସିଂଦେଓ ବିଧାୟିକା ଭାବେ ୨ଥର ନିର୍ବାଚିତ ହୋଇଥିଲେ, ତେବେ ସେହି ନିର୍ବାଚନ ମଣ୍ଡଳୀ ଏବେ ଆଉ ନାହିଁ। ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଆସୁଥିବାରୁ  ଏହି ଆସନଗୁଡ଼ିକରେ ବିଜେଡି ପକ୍ଷରୁ ମହିଳାଙ୍କୁ ପ୍ରାର୍ଥୀ କରାଯିବାକୁ ଦଳର ମହିଳା ସଂଗଠନର ନେତ୍ରୀ ଓ ସକ୍ରିୟ କର୍ମୀଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ନାମ ଗୋପନ ରଖି କେତେଜଣ ନେତ୍ରୀ କହିଛନ୍ତି, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କୁ ଗୁରୁତ୍ୱ ଦେଇ ଜାତୀୟ ରାଜନୀତିରେ ଚର୍ଚ୍ଚିତ ହୋଇଛନ୍ତି। ତେଣୁ ସୁଯୋଗ ମିଳିବା ଆଶା ଥିବା କହିଛନ୍ତି। ସୂଚନାଯୋଗ୍ୟ, ଲୋକସଭା ଓ ବିଧାନସଭାରେ ୩୩% ସ୍ଥାନ ମହିଳାଙ୍କ ପାଇଁ ସଂରକ୍ଷଣ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପ୍ରଥମେ ପ୍ରସଙ୍ଗ ଉଠାଇଥିଲେ। ଏହାକୁ ସମର୍ଥନ ନିମନ୍ତେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହଯୋଗ ଲୋଡ଼ିଥିଲେ। ବିଳମ୍ବରେ ହେଲେ ମଧ୍ୟ କେନ୍ଦ୍ରା ଏନଡିଏ ସରକାର ଆଇନ ପ୍ରଣୟନ କରିଛନ୍ତି। ଅନ୍ୟପକ୍ଷରେ ମହିଳା ବିଧାୟିକା ହୋଇ ନଥିବା ଉପରୋକ୍ତ ନିର୍ବାଚନ ମଣ୍ଡଳୀ ଗୁଡ଼ିକରୁ ଅନ୍ତତଃପକ୍ଷେ ବିଜେଡି ସୁଯୋଗ ସୃଷ୍ଟି କରିବା ନିମନ୍ତେ ମହିଳା ସଂଗଠନ ଗୁରୁତ୍ୱ ଦେଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.