ଛତର ବିଜୟ ଯାତ୍ରା ମାଧ୍ୟମରେ ଭକ୍ତଜନଙ୍କୁ ଦର୍ଶନ ଦେଲେ ମାଁ ମାଣିକେଶ୍ବରୀ

ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମାଁ ମାଣିକେଶ୍ଵରୀଙ୍କ ଛତର ଯାତ୍ରା-୨୦୨୩

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସହରରେ ଆଜି ୨୨ ଅକ୍ଟୋବର ରବିବାର ଦିନ ଅନୁଷ୍ଠିତ ହୋଇଛି ମାଁ ମାଣିକେଶ୍ବରୀଙ୍କ ବିଶ୍ବ ପ୍ରସିଦ୍ଧ ଛତର ଯାତ୍ରା । ଏନେଇ ଭବାନୀପାଟଣା ସହରରେ ପ୍ରବଳ ଜନସମାଗମ ହୋଇଛି । ଭକ୍ତଜନଙ୍କୁ ଦର୍ଶନ ଦେଇଛନ୍ତି କଳାହାଣ୍ଡିର ଇଷ୍ଟଦେବୀ ମାଁ ମାଣିକେଶ୍ଵରୀ । ଘୁମୁରା, ଘଣ୍ଟ, ଗଣାବଜା ଓ ବିଭିନ୍ନ ବାଦ୍ୟନାଦରେ ପ୍ରକମ୍ପିତ ହୋଇ ଉଠିଛି ଗଗନ ପବନ । ବର୍ଷକୁଥରେ ମାଁ ମାଣିକେଶ୍ବରୀ ଛତର ବିଜୟ ଯାତ୍ରା ମାଧ୍ୟମରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଦେବୀଙ୍କ ପ୍ରତିକ ଛତରକୁ ଦର୍ଶନ କରିବାକୁ ଛୁଟିଥାଏ ଜନ ସମୁଦ୍ର ‌। ମାନସୀକଧାରିମାନେ ଦେବୀଙ୍କ ଉଦ୍ଦେଶ୍ୟରେ ବଳି ଅର୍ପଣ କରିଛନ୍ତି । ରକ୍ତ ରଞ୍ଜିତ ହୋଇ ଉଠିଛି ରାଜପଥ । କଳାହାଣ୍ଡି ଜନମାନସର ଆରାଧ୍ୟ ଦେବୀ ମାଣିକେଶ୍ଵରୀଙ୍କୁ ଭକ୍ତି ନୈବେଦ୍ୟ ଅର୍ପଣ କରୁଛନ୍ତି ଜନତା । ଭବାନୀପାଟଣା ସ୍ଥିତ ରାଜବାଟିରେ ମାଁ ମାଣିକେଶ୍ବରୀଙ୍କ ଏକ ଭବ୍ୟ ମନ୍ଦିର ରହିଛି । ଶାରଦୀୟ ପାର୍ବଣର ଅଷ୍ଟମୀ ନିଶାର୍ଦ୍ଧରେ ଦେବୀ ଜେନାଖାଲକୁ ଯାଇଥାନ୍ତି, ସେଠାରେ ଗୁପ୍ତପୂଜା ବିଧି ସଂପନ୍ନ ହେବାପରେ ପ୍ରାତ କାଳରେ ସେଠାରୁ ନିଜ ମନ୍ଦିରକୁ ପ୍ରତ୍ୟାଗମନ କରନ୍ତି । ମାଁଙ୍କ ଦର୍ଶନ ନିମିତ୍ତ ରାସ୍ତାର ଦୁଇପାର୍ଶ୍ବରେ ହଜାର ହଜାର ଜନତା ଚାତକ ପରି ଅପେକ୍ଷା କରି ରହିଥାନ୍ତି । ମାଣିକେଶ୍ବରୀଙ୍କ ଛତର ଯାତ୍ରାର ସାଂସ୍କୃତିକ ବିଭବ ଏହାର ଗାରିମାକୁ ଅଧିକ ରୁଦ୍ଧିମନ୍ତ କରି ଗଢି ତୋଳିଥାଏ । ମାଁଙ୍କ ଯାତ୍ରା ବିନା ବାଧାବିଘ୍ନରେ କିପରି ସଂପନ୍ନ ହେବ ସେଥିପାଇଁ କଳାହାଣ୍ଡି ଆରକ୍ଷ ଅଧିକ୍ଷକଙ୍କ ପ୍ରତ୍ୟକ୍ଷ୍ୟ ତତ୍ତ୍ବାବଧାନରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମାଁ ମାଣିକେଶ୍ଵରୀଙ୍କ ଛତର ଯାତ୍ରା । ଭକ୍ତ ଓ ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ଛତର ଯାତ୍ରାର ସାମିଲ ହୋଇ ମାଁ ମାଣିକେଶ୍ବରୀଙ୍କ ଆଶିଷ ଲାଭ କରୁଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.