କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନାକୁ ତୃଣମୂଳସ୍ତରେ ପଂହଚାଇବା ଲକ୍ଷ୍ୟ
୨୦୨୪ ସାଧାରଣ ନିର୍ବାଚନରେ ଜନ ପ୍ରତିନିଧିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହରର ସେରିଗଡା ସ୍ଥିତ ଜିଲ୍ଳା ଭାରତୀୟ ଜନତା ପାର୍ଟି (ବିଜେପି)ର ନୂତନ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ଠାରୁ ଦୁଇ ଦିନିଆ ଗ୍ରାମାଂଚଳ ଜନ ପ୍ରତିନିଧି ପ୍ରଶିକ୍ଷଣ ବର୍ଗ -୨୦୨୩ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ବର୍ଗ ଉଦଘାଟନୀ କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟ ସଭାପତି ତଥା ବରଗଡ ସାଂସଦ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ପ୍ରଶିକ୍ଷଣ ବର୍ଗରେ ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଏବଂ ରାୟଗଡା ଭଳି ୮ଟି ଜିଲ୍ଳାରେ ଥିବା ବିଜେପି ସମର୍ଥିତ ଜିଲ୍ଳା ପରିଷଦ ସଭ୍ୟସଭ୍ୟା,ସରପଂଚ ଓ ସମିତି ସଭ୍ୟସଭ୍ୟାମାନେ ଯୋଗ ଦେଇଛନ୍ତି । ନିର୍ବାଚନରେ ନିର୍ବାଚିତ ହେବା ପରେ ଏମାନଙ୍କୁ ଦଳ ତରଫରୁ ପ୍ରଥମ ଥର ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । କେନ୍ଦ୍ର ସରକାରଙ୍କ ତରଫରୁ କୋଟି କୋଟି ଟଙ୍କାର ଅନୁଦାନ ରାଜ୍ୟକୁ ଆସୁଥିବା ବେଳେ ସେ ଅର୍ଥଗୁଡିକର ଠିକ୍ ବିନିଯୋଗ କିପରି ଭାବେ ପଂଚାୟତସ୍ତରରୁ ହୋଇପାରିବ ଏବଂ ଏଥିରେ ଦୁର୍ନୀତି ତଥା ବାଟମାରଣା ହେବ ନାହିଁ ସେ ଦିଗରେ ସଚେତନ ହେବା ପାଇଁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ନେଇ ରାୟଗଡା ଜିଲ୍ଳା ବିଜେପି ସଭାପତି ଶିବ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏଥିସହ ଏହି ୮ଟି ଜିଲ୍ଳାକୁ ନେଇ ଗୋଟିଏ ଗୋଟିଏ ଏମପି କ୍ଳଷ୍ଟର ଗଠନ ହୋଇଥିବା ମଧ୍ୟ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ମୁଖ୍ୟ ଅତିଥି ସାଂସଦ ସୁରେଶ ପୂଜାରୀ ପ୍ରଶିକ୍ଷଣରେ ଯୋଗ ଦେଇଥିବା ଜନ ପ୍ରତିନିଧିମାନଙ୍କୁ ଗ୍ରାମ ପଂଚାୟତ ଏକ୍ଟରେ ତାଙ୍କର କ୍ଷମତା ଓ କର୍ତବ୍ୟ ତଥା ଭୂମିକା ସଂପର୍କରେ ଏବଂ ପଂଚାୟତ ସମିତି ଏକ୍ଟରେ ସମିତି ସଭ୍ୟସଭ୍ୟାଙ୍କ କ୍ଷମତା ବିଷୟରେ ଆଲୋକପାତ କରିବା ସହ କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନାଗୁଡିକରୁ ବଂଚିତ ହୋଇଥିବା ଗରିବଙ୍କ ଠାରେ ତୃଣମୂଳସ୍ତରରେ ଯୋଜନା ପଂହଚାଇ ପାରିବା ଦିଗରେ ବିସ୍ତୃତ ଭାବେ ବୁଝାଇଥିଲେ । ସେହିପରି କେନ୍ଦ୍ର ସରକାରଙ୍କ ଯୋଜନାକୁ ପଂହଚାଇବାରେ ପ୍ରଶାସନିକ ତଥା ଅନ୍ୟ ରାଜନୈତିକ ଦଳୀୟ ନେତାଙ୍କ ପ୍ରତିବନ୍ଧକ ରହୁଛି ଏବଂ ଯୋଜନାର ସଫଳ ରୂପାୟନକୁ ରୋକିବାକୁ ଯେଉଁ ପ୍ରୟାସ ହେଉଛି ତାହାକୁ ମୁକାବିଲା କରିବା ପାଇଁ ଏହି ଦୁଇ ଦିନିଆ ପ୍ରଶିକ୍ଷଣ ବର୍ଗ କାର୍ଯ୍ୟକ୍ରମ ହେଉଥିବା ନେଇ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି । ଆସନ୍ତା ସାଧାରଣ ନିର୍ବାଚନରେ ପୁଣି ଥରେ କେନ୍ଦ୍ରରେ ମୋଦି ସରକାରଙ୍କ ଏବଂ ଓଡିଶାରେ ବିଜେପିର ନିଜସ୍ୱ ସରକାର ଗଠନ କରିବା ପାଇଁ ସରପଂଚ, ସମିତି ସଭ୍ୟା, ଜିଲ୍ଳା ପରିଷଦ ସଭ୍ୟସଭ୍ୟାଙ୍କ ମୁଖ୍ୟ ଭୂମିକା ରହିଥିବାରୁ ସେମାନଙ୍କୁ ନେଇ ଡବଲ ଇଂଜିନ୍ ସରକାର ଏଥର ଚାଲିବ ବୋଲି ଶ୍ରୀ ପୂଜାରି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉମରକୋଟ ବିଧାୟକ ତଥା ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ପୂର୍ବତନ ସାଂସଦ ବଳଭଦ୍ର ମାଝି, ରାଜ୍ୟ ବିଜେପି ସାଧାରଣ ସଂପାଦିକା ପୂର୍ଣ୍ଣିମା କେରକେଟା, ରାଜ୍ୟ ସଂପାଦିକା ପୂର୍ଣ୍ଣିମା ନାୟକ,ରାଜ୍ୟ ସଂପାଦକ ରମେଶ ସାହୁ, ରାଜ୍ୟ ଉପସଭାପତି ରବି ନାୟକ, କୋରାପୁଟ ଜିଲ୍ଳା ସଭାପତି ସୁମନ୍ତ ପ୍ରଧାନ,ରାଜ୍ୟ ବିଜେପି ସାଂଗଠନିକ ସାଧାରଣ ସଂପାଦକ ମାନସ ରଂଜନ ମହାନ୍ତି, ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ବେହେରା, ରାୟଗଡା ଜିଲ୍ଳା ଉପସଭାପତି ପଦ୍ମନାଭ ଦାଶ, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ରଜତ ମାଦଳା, ଜିଲ୍ଳା ଯୁବ ମୋର୍ଚ୍ଚା ସଭାପତି ଉମେଶ ଖୋସଲା, ଜିଲ୍ଳା ମହିଳା ମୋର୍ଚ୍ଚା ସଭାନେତ୍ରୀ ବୁରୁଡି ଲକ୍ଷ୍ମୀ, ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ବସନ୍ତ ଉଲାକା, କେ.ଶ୍ରୀନୁ, ପ୍ରତାପ ପୁଆଲା, କୃଷ୍ଣଚନ୍ଦ୍ର ପଣ୍ଡା, ହରେକୃଷ୍ଣ ପାଢୀ, ମଂଜୁଳା ମିଣିଆକାଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତାମାନେ ଉପସ୍ଥିତ ରହିଥିବା ବେଳେ ଜିଲ୍ଳା ସାଧାରଣ ସଂପାଦକ କିଶୋର ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଶିକ୍ଷଣ ବର୍ଗ ଉଦଯାପନୀ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଜୁଏଲ ଓରାମ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ନେଇ ଜିଲ୍ଳା ସଭାପତି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।