ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁରର ଇତିହାସ ପ୍ରସିଦ୍ଧ ପାତାଳୀ ଶ୍ରୀକ୍ଷେତ୍ର ଠାରେ ଦୁଇଦିନିଆ ଆଧ୍ୟାତ୍ମିକ ଚିତ୍ରକଳା ଶିବିର ଅନୁଷ୍ଠିତ ହୋଇଯାଇଛି। ଶ୍ରୀଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା, ନୈବେଦ୍ୟ ଅର୍ପଣ ଓ ଆଳତି ପରେ ଏହି ଶିବିରର ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ଆୟୋଜିତ ଉଦଘାଟନୀ ସଭାରେ ସ୍ଥାନୀୟ ଉଲୁଣ୍ଡା ବ୍ଲକ ଉନ୍ନୟନ ଅଧିକାରୀ କରିଶ୍ମା ବେଶ୍ରା ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପୀ ଶିବିରର ଅଧ୍ୟକ୍ଷ ତଥା ବିଶିଷ୍ଟ ଚିତ୍ରଶିଳ୍ପୀ ବଳଦେବ ମହାରଥା, ବିଷୟ ବିଶେଷଜ୍ଞ ଅସିତ ମହାନ୍ତି, ସଂଯୋଜକ ତଥା ସୁଖ୍ୟାତ ଚିତ୍ରଶିଳ୍ପୀ ପ୍ରଦୋଷ ସ୍ୱାଇଁ, ପାତାଳୀ ଶ୍ରୀକ୍ଷେତ୍ର ଟ୍ରଷ୍ଟର ସାଧାରଣ ସଂପାଦକ ଉତ୍ତର କୁମାର ପାତ୍ର ଉପସ୍ଥିତ ଥିଲେ। ଟ୍ରଷ୍ଟର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ସଭାର ସଂଯୋଜନା କରିଥିଲେ। ସୋନପୁରର ଏହି ପାତାଳୀ ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥଙ୍କ ଇତିହାସର ଏକ ଛିନ୍ନ ପୃଷ୍ଠା ‘ମାଦଳା ପାଞ୍ଜି’ ଅନୁସାରେ, ରକ୍ତବାହୁର ଆକ୍ରମଣ ସମୟରେ ଶ୍ରୀଜଗନ୍ନାଥଙ୍କୁ ଶ୍ରୀକ୍ଷେତ୍ରରୁ ଏଠାକୁ ସ୍ଥାନାନ୍ତରିତ କରାଯାଇଥିଲା। ଶ୍ରୀଜଗନ୍ନାଥ ଏଠାର ଏକ ମଣ୍ଡପରେ ପ୍ରଥମେ ୪୫ ବର୍ଷ ପୂଜିତ ହେବାପରେ ପରବର୍ତ୍ତୀ କାଳରେ ୯୯ ବର୍ଷ ପାତାଳୀ ହୋଇ ରହିଥିଲେ। ସୋମବଂଶୀ ରାଜା ଯଯାତି କେଶରୀଙ୍କ ସମୟରେ ତାଙ୍କ ପାତାଳୀ ସ୍ଥଳର ଦିଅଁବର କଟାଇ, ତାହାର ମୂଳ ଖୋଳି ବ୍ରହ୍ମଙ୍କୁ ଉଦ୍ଧାର କରାଯାଇଥିଲା। ସେହି ବ୍ରହ୍ମଙ୍କ ସଂସ୍ଥାପନରେ ତାଙ୍କର ନବକଳେବର କରାଯାଇ ଶ୍ରୀବିଗ୍ରହମାନଙ୍କୁ ଶ୍ରୀମନ୍ଦିରରେ ପୁନଃ ପ୍ରତିଷ୍ଠିତ କରାଯାଇଥିଲା। ସେହି ଇତିହାସ ଆଧାରରେ ଏହି ପୁଣ୍ୟ ସ୍ଥଳ ଏବେ ଏକ ଲୀଳାକ୍ଷେତ୍ର ରୂପେ ବିକଶିତ ହୋଇଛି ବୋଲି ଅତିଥିମାନେ ତାଙ୍କର ବକ୍ତବ୍ୟରେ କହିଥିଲେ। ତାହାରି ସ୍ମୃତିରେ, ଇତିହାସର ସେହି ଛିନ୍ନ ପୃଷ୍ଠାକୁ ପୁନର୍ଜୀବିତ କରିବା ପାଇଁ ଏଠାରେ ଏହି ଆଧ୍ୟାତ୍ମିକ ଶିଳ୍ପୀ ଶିବିର ଆୟୋଜିତ ହୋଇଛି ବୋଲି ଶିବିରର ଅଧ୍ୟକ୍ଷ ଶ୍ରୀ ମହାରଥା ସୂଚନା ଦେଇଥିଲେ। ବିଷୟ ବିଶେଷଜ୍ଞ ଶ୍ରୀ ମହାନ୍ତି ଏକ ପ୍ରସିଦ୍ଧ ବିଷ୍ଣୁକ୍ଷେତ୍ର ଭାବରେ ସୋନପୁର କିପରି ଶ୍ରୀଜଗନ୍ନାଥଙ୍କ ସହିତ ଐତିହାସିକ କାଳରୁ ସଂପୃକ୍ତ ସେ ସଂପର୍କରେ ଆଲୋକପାତ କରିଥିଲେ। ଏହି ଶିବିର ସୁଖ୍ୟାତ କଳା-ସଂସ୍କୃତି ଅନୁଷ୍ଠାନ ‘ଉତ୍କୃଷ୍ଟ’ ଶକୁନ୍ତଳା ଆର୍ଟ ଗ୍ୟାଲେରୀ, ଚନ୍ଦ୍ରମା ଆର୍ଟ ଫାଉଣ୍ଡେସନ ଓ ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍ଥାନ ସହଯୋଗରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଶିବିର ଆୟୋଜନରେ ସକ୍ରିୟ ସହଯୋଗ ପାଇଁ ସୁବାସ ପୂଜାହାରୀ, ଶ୍ୟାମସୁନ୍ଦର ମେହେର ଓ ସରୋଜ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଶିବିରରେ ବଳଦେବ ମହାରଥା, ପ୍ରଦୋଷ ସ୍ୱାଇଁ, ପ୍ରଦୀପ ପାଣ୍ଡେ, ନିବେଦିତା ପଟ୍ଟନାୟକ, ଅରୁଣ କୁମାର ଜେନା, ମମତା ସାମନ୍ତରାୟ, ଲିପିଶ୍ରୀ ନାୟକ, ପ୍ରିୟଦର୍ଶିନୀ ମହାନ୍ତି, ଜ୍ୟୋତିର୍ମୟ ପଟ୍ଟନାୟକ, ନମିତା ସାହୁ, ସୁବାସ ଚନ୍ଦ୍ର ପୂଜାହାରୀ, ଜନାର୍ଦ୍ଦନ ପରମଗୁରୁ, ସ୍ଥିତଧୀ ରଥ, ରାଜେଶ ନାୟକ, ସନ୍ତୋଷ କୁମାର ମହାରଣା, ସରୋଜ କୁମାର ମହାପାତ୍ର, ଅଶୋକ କୁମାର ବେହେରା, ରାଜକିଶୋର ମହାରଣା, ଶ୍ୟାମସୁନ୍ଦର ମେହେର, ବିଭୂତି ଦାଶ ଓ ରୋଜି ପାଣ୍ଡେ ପ୍ରମୁଖ ଚିତ୍ରଶିଳ୍ପୀ ଯୋଗ ଦେଇଥିଲେ। ସଂଯୁକ୍ତା ମହା୍ରଥା, ମାମା ପରମଗୁରୁ, ପ୍ରଭାସିନୀ ଅଧିକାରୀ ଓ ସ୍ମାରକୀ ଦାସ ପ୍ରମୁଖ ଶିବିର ଆୟୋଜନରେ ସହଯୋଗ କରିଥିଲେ। ସକ୍ରିୟ ସହଯୋଗ ପାଇଁ ଅନୁପସ୍ଥିତି ସତ୍ତ୍ୱେ ପୀତବାସ ରାଉତରାୟଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଶିବିରର ଉଦଯାପନ ଉତ୍ସବରେ ଶିଳ୍ପୀମାନଙ୍କ ଦ୍ଵାରା ଅଙ୍କିତ ଚିତ୍ର ଗୁଡ଼ିକର ଏକ ଭବ୍ୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ଉଦଯାପନୀ ସଭାରେ ସୁବର୍ଣ୍ଣପୁର ଜିଲ୍ଲା ର ଜିଲାପାଳ ବିମଳେନ୍ଦୁ ରାୟ, ବୀରମହାରାଜପୁରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ଅତିଥି ଭାବେ ଯୋଗ ଦେଇ ଏପରି କାର୍ଯ୍ୟକ୍ରମ ପାଇଁ ଆୟୋଜକ ଅନୁଷ୍ଠାନ, ବ୍ୟକ୍ତିବିଶେଷ ଓ ଶିଳ୍ପୀମାନଙ୍କୁ ସାଧୁବାଦ ଜଣାଇଥିଲେ। ଅତିଥି ମାନଙ୍କ ଦ୍ବାରା ସଂପୃକ୍ତ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।