କୃତ୍ରିମ ବୁଦ୍ଧିମତ୍ତା ଯୁଗରେ ସାମ୍ବାଦିକ ମାନଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ
ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ପ୍ରେସ କାଉନସିଲ ଅଫ୍ ଇଣ୍ଡିଆର ପ୍ରତିଷ୍ଠା ଦିବସ ଅବସରରେ ଆଜି ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗୋରେଖନାଥ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ମୁଖ୍ଯ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ, ଜିଲ୍ଲା ଉନ୍ନୟନ ଅଧିକାରୀ ଅଶ୍ଵିନି ମେହେର, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିରେନ୍ଦ୍ର ନାଏକ ଏବଂ ମୁଖ୍ୟବକ୍ତା ଭାବେ ପ୍ରମେୟ ସମ୍ବାଦପତ୍ରର ଡେପୁଟି ଜେନେରାଲ୍ ମ୍ୟାନେଜର ଅଖିଳ ଚନ୍ଦ୍ର ହୋତା ଯୋଗ ଦେଇଥିଲେ। ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ଵଳନ ଏବଂ ପୁଷ୍ପମାଲ୍ୟ ଅର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। କୋଶଳ ଆବାସିକ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ମୁଖ୍ୟବକ୍ତା ଏବଂ ନିମନ୍ତ୍ରିତ ଅତିଥିମାନେ କୃତ୍ରିମ ବୁଦ୍ଧିମତ୍ତା ଯୁଗରେ ଗଣମାଧ୍ୟମ ଏବଂ ସାମ୍ବାଦିକ ମାନଙ୍କ ଭୂମିକା ସମ୍ବନ୍ଧରେ ବିଷଦ ଭାବେ ଆଲୋଚନା କରିଥିଲେ। ଜିଲ୍ଲାପାଳ ଜିଲ୍ଲାର ଉନ୍ନତିରେ ସାମ୍ବାଦିକ ମାନଙ୍କ ଗଠନମୂଳକ ସହଯୋଗ କାମନା କରିଥିଲେ। ସଭାପତି ଗୋରେଖନାଥ ସାହୁ କୃତ୍ରିମ ବୁଦ୍ଧିମତ୍ତା ଯୁଗରେ ସମୟର ଆହ୍ଵାନକୁ ସ୍ୱୀକାର କରି କର୍ତ୍ତବ୍ୟ ପଥରେ ଆଗେଇ ଯିବାପାଇଁ ସାମ୍ବାଦିକ ମାନଙ୍କୁ ଆହ୍ଵାନ ଦେଇଥିଲେ। ମଧ୍ଯପ୍ରାଚ୍ୟ ସଂଘର୍ଷରେ ପ୍ରାଣ ହରାଇଥିବା ସାମ୍ବାଦିକ ତଥା ମିଡିଆ ସହାୟକମାନଙ୍କ ଅମର ଆତ୍ମାର ସଦଗତି ପାଇଁ ସମସ୍ତେ ନୀରବ ପ୍ରାର୍ଥନା କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାକୁ ବିଦ୍ୟାପତି ପଣ୍ଡା ସଂଯୋଜନା କରିଥିଲେ। ଏହି ସମାବେଶରେ ଜିଲ୍ଲାର ସମସ୍ତ ବ୍ଲକର ଶତାଧିକ ସାମ୍ବାଦିକ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।