ସାହିତ୍ୟ ଅକାଦେମିର ବୃତ୍ତଚିତ୍ରକୁ ମଣିପୁର ରାଜ୍ୟ ଫିଲ୍ମ ପୁରସ୍କାର

• ମଣିପୁରୀ ଲେଖକ ଖୁମନ ପ୍ରକାଶ ସିଂହଙ୍କୁ ନେଇ ନିର୍ମିତ ବୃତ୍ତଚିତ୍ର

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ସାହିତ୍ଯ ଅକାଦେମି ଦ୍ଵାରା ନିର୍ମିତ ଏବଂ ଅରିବମ୍ ଶ୍ୟାମ୍ ଶର୍ମାଙ୍କ ନିର୍ଦ୍ଦେଶିତ ବୃତ୍ତଚିତ୍ର ‘ଖୁମନ ପ୍ରକାଶ ସିଂହ’କୁ ୨୦୨୩ ମସିହା ପାଇଁ ‘ସର୍ବଶ୍ରେଷ୍ଠ ଜୀବନୀ/କଳା ଓ ସଂସ୍କୃତି ଚଳଚ୍ଚିତ୍ର’ ବର୍ଗରେ ୧୫ଶ ମଣିପୁର ରାଜ୍ୟ ଫିଲ୍ମ ପୁରସ୍କାର ପ୍ରଦାନ କରିବା ପାଇଁ ମନୋନୀତ କରାଯାଇଛି। ଏହି ବୃତ୍ତଚିତ୍ର ସାହିତ୍ଯ ଅକାଦେମିର ଭାରତୀୟ ସାହିତ୍ୟ ଅଭିଲେଖାଗାର ପରିଯୋଜନା ଅଧୀନରେ ନିର୍ମାଣ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଏକ ପ୍ରେସ୍ ବିଜ୍ଞପ୍ତିରେ ଅକାଦେମିର ସଚିବ କେ. ଶ୍ରୀନିବାସରାଓ କହିଛନ୍ତି ଯେ ସାହିତ୍ଯ ଅକାଦେମି ଦ୍ଵାରା ୧୯୯୭ରୁ ଆରମ୍ଭ କରା ଯାଇଥିବା ଭାରତୀୟ ସାହିତ୍ୟ ଅଭିଲେଖାଗାର ପରିଯୋଜନାର ଉଦ୍ଦେଶ୍ୟ ହେଲା ମହତ୍ତ୍ଵପୂର୍ଣ୍ଣ ଲେଖକ ଓ ସାହିତ୍ୟ ସହିତ ଜଡ଼ିତ ବହୁମୂଲ୍ୟ ସାମଗ୍ରୀକୁ ଏକତ୍ରୀକରଣ କରିବା ଓ ସଂରକ୍ଷଣ କରିବା ସହିତ ଅକାଦେମି ଦ୍ଵାରା ମାନ୍ୟତାପ୍ରାପ୍ତ ସବୁ ଭାଷାର ବିକାଶ ପାଇଁ ମହତ୍ତ୍ଵପୂର୍ଣ୍ଣ ଯୋଗଦାନ ରହିଥିବା ପ୍ରତିଷ୍ଠିତ ଭାରତୀୟ ଲେଖକ ଓ ବିଦ୍ୱାନଙ୍କ ଉପରେ ବୃତ୍ତଚିତ୍ର ନିର୍ମାଣ କରିବା। ଅକାଦେମି ଅଦ୍ୟାବଧି ଅମୃତା ପ୍ରୀତମ, ବିନ୍ଦା କରନ୍ଦିକର୍, ଗୋପାଳକୃଷ୍ଣ ଅଡିଗା, ଡି. ଜୟକାନ୍ତନ୍, ଧରମବୀର୍ ଭାରତୀ, ବିଜୟ ଦାନ୍ ଦେଥା, ମୁଲକରାଜ୍ ଆନନ୍ଦ୍, କୁର୍ତ୍ତୁଲେନ୍ ହାଇଦର୍, ବୈକେମ୍ ମହମ୍ମଦ ବସୀର୍, ରହମନ୍ ରାହୀ, ମହାଶ୍ୱେତା ଦେବୀ, ଏମ୍. କେ. ବିନୋଦିନୀ, ଅଶୋକ ମିତ୍ରନ୍, ନିର୍ମଲ୍ ବର୍ମା, ମନୋହରଲାଲ୍ ସରଦେଶାଈ, ରସ୍କିନ୍ ବଣ୍ଡ୍, ସି. ନାରାୟଣ ରେଡ୍ଡି ପ୍ରଭୃତି ସମେତ ଅନେକ ପ୍ରଖ୍ୟାତ ଭାରତୀୟ ଲେଖକଙ୍କ ଉପରେ ଅନ୍ୟୂନ ୧୬୯ ବୃତ୍ତଚିତ୍ର ନିର୍ମାଣ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.