ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ‘ପରୋପକାରାୟ ସ୍ବାର୍ଗାୟ ପାପାୟ ପରପିଡନମ୍’ ଭାବନାରେ ସତତବ୍ରତୀ କାଳୀକୃଷ୍ଣ ସଂଘର ପ୍ରତିଷ୍ଠାତା ସଦଗୁରୁଦେବ ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ କାଳୀକୃଷ୍ଣ ସଂଘର ଏକ ଶାଖା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରଠାରେ ଗଠନ ହୋଇଯାଇଛି। କାଳୀକୃଷ୍ଣ ସଂଘ ପରିଚାଳକ ପୂଜ୍ୟଶ୍ରୀ ଜଗଦାନନ୍ଦଜୀ ପୁରୁଷୋତ୍ତମପୁର ଠାରେ ଉପସ୍ଥିତ ରହି ଉପସ୍ଥିତ ଭାଇ, ଭଉଣୀ ଓ ଶୁଭେଚ୍ଛୁ ମାନଙ୍କୁ କାଳୀକୃଷ୍ଣ ତତ୍ତ୍ୱ, କାଳୀକୃଷ୍ଣ ମେଳା ମହିମା, କାଳୀକୃଷ୍ଣ ସଂଘର ସାମାଜିକ କାର୍ଯ୍ୟକ୍ରମ, ସଂଘ ମାଧ୍ୟମରେ ଆୟୋଜିତ ମହାବିଷ୍ଣୁ ଯଜ୍ଞ ସମୟରେ ନିଶୁଳ୍କ ସେବା ସଂପର୍କରେ ଅବଗତ କରାଇ ସତ୍ୟାନନ୍ଦ ସରସ୍ୱତୀ ମହାରାଜାଙ୍କ ଆଧ୍ୟାତ୍ମିକ ବିଚାର ଧାରାକୁ ଧାରଣ କଲେ ପ୍ରକୃତ ସୁଖ, ଶାନ୍ତି ଓ ଆନନ୍ଦ ପାଇପାରିବେ ବୋଲି କହିଥିଲେ। ପୁରୁଷୋତ୍ତମପୁର ଶିଷ୍ୟଶିଷ୍ୟା ମାନଙ୍କ ଆଗ୍ରହ, ଉତ୍ସାହର ସହ ଶାଖା ସଂଘ ଗଠନ ପାଇଁ ଆବେଦନକୁ ସହର୍ଷ ଗ୍ରହଣ କରିଥିଲେ। ସୁଦୂର ଜୟପୁର ଠାରୁ ପୂଜ୍ୟଶ୍ରୀ ଜଗଦାନନ୍ଦଜୀ ଆସି ପୁରୁଷୋତ୍ତମପୁର ଠାରେ ପହଞ୍ଚିଲା ପରେ ଭବ୍ୟ ସ୍ବାଗତ କରାଯାଇଥିଲା। ପରେ ପରେ ତାରାତାରିଣୀ ପୀଠ ଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ କାଳୀକୃଷ୍ଣ ସଂଘର ସଂପାଦକ ମୋହନ ଚରଣ ବିଷି, କୋଷାଧ୍ୟକ୍ଷ ଲକ୍ଷୀକାନ୍ତ ଖମାରୀ, ସକ୍ରିୟ ସଦସ୍ୟ ଗଣେଷ ଗଉଡ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପଦ୍ମଚରଣ ମହାନ୍ତି ଓ ସ୍ଥାନୀୟ ଭାଇ ଭଉଣୀ ସହଯୋଗ କରିଥିଲେ।