ଡିସେମ୍ବର ୩ ରେ ନର୍ଲାରେ ଖୋଲିବ ଧାନ ମଣ୍ଡି

ଚାଷୀ କେବଳ ଅଖା ବସ୍ତାରେ ମଣ୍ଡିକୁ ଧାନ ଆଣିବେ

ମଣ୍ଡିରେ ଚାଷୀ ରାତ୍ରୀ ଯାପନ କରିବେ ନାହିଁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ୭ ଗୋଟି ସମବାୟ ସମିତି (ପ୍ୟାକ୍ସ) ଗୁଡିକରେ ମଣ୍ଡି ଖୋଲିବା ପାଇଁ ଗୁରୁବାର ଅପରାହ୍ନ ୩ ଘଣ୍ଟା ସମୟରେ ନର୍ଲା ତହସିଲଦାର ବିଶ୍ୱରଞ୍ଜନ କଅଁରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ନଭେମ୍ବର ମାସ ମଧ୍ୟ ଭାଗରୁ ମଣ୍ଡି ଖୋଲି ଧାନ କିଣା ଆରମ୍ଭ ହୋଇଯାଇଥାଏ । ହେଲେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖା ଦେଇଛି । ଅନ୍ୟପକ୍ଷେ ନର୍ଲା ଅଞ୍ଚଳର ପ୍ରାୟ ୮୦ ପ୍ରତିଶତ ଚାଷୀଙ୍କ ଧାନ ଅମଲ ପ୍ରକ୍ରୀୟା ସରି ସାରିଲାଣି । ଧାନ ଗଚ୍ଛିତ ରଖିବାରେ ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ନର୍ଲା ଅଞ୍ଚଳର ସମସ୍ତ ୭ ଗୋଟି ପ୍ୟାକ୍ସ ଓ ଏହାର ଉପମଣ୍ଡିକୁ ମିଶାଇ ୨୨ ଗୋଟି ଚାଲୁଥିବା ବେଳେ ଭାନପୁର, ତୁଳାପଡା ଓ ଶାନ୍ତପୁରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଧାନ କିଣୁଛନ୍ତି । ଏଣୁ ନର୍ଲା ବ୍ଲକ ଅଞ୍ଚଳରେ ମୋଟ ୨୫ ଗୋଟି ମଣ୍ଡି ଖୋଲାଯିବ । ହେଲେ ଡିସେମ୍ବର ୩ ରୁ ୫ ମଧ୍ୟରେ ସମସ୍ତ ମଣ୍ଡି ଉଦ୍ଘାଟନ କରାଯାଇ ଧାନ କିଣା ଆରମ୍ଭ ହୋଇଯିବ ବୋଲି ଜଣାପଡିଛି । ଗୁରୁବାର ବ୍ଲକ ସମ୍ମେଳନ କକ୍ଷରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସମସ୍ତ ପ୍ୟାକ୍ସର ସମ୍ପାଦକ, ସହକାରୀ ସମ୍ପାଦକ, ଡାଟାଏଣ୍ଟ୍ରି ଅପରେଟର, ଧାନ କିଣାରେ ନିୟୋଜିତ ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ତହସିଲଦାର ଶ୍ରୀ କଅଁର ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଚଳିତ ବର୍ଷ ନର୍ଲା ଅଞ୍ଚଳରେ ଧାନ ଚାଷ ଖୁବ ଭଲ ହୋଇଛି । ଚାଷୀଙ୍କ ଠାରୁ କିଭଳି ସହଜ ଓ ସରଳ ଉପାୟରେ ଧାନ କିଣା୍‌ାଇ ପାରିବ । ଦଲାଲ ମାନଙ୍କ ପ୍ରାଦୁର୍ଭାବ କେମିତି ରୋକାଯାଇ ପାରିବ । ମଣ୍ଡି ଗୁଡିକରେ ଚାଷୀ ଯେମିତି ହଇରାଣ ହରକତ ନହୁଅନ୍ତି ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ନର୍ଲା ଯୋଗାଣ ଅଧିକାରୀ ଶିବପ୍ରସାଦ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ସରକାର ମଣ୍ଡିରେ ଧାନ କିଣିବା ସମୟରେ କନ ସବୁ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଧ୍ୟାନ ଦିଆଯିବ ସେ ବିଷୟରେ ବିସ୍ତୃତ ଭାବରେ ବୁଝାଇଥିଲେ । ବିଶେଷ କରି ପ୍ରତିଦିନ ମଣ୍ଡିକୁ ଧାନ ନେଇ ଆସିଥିବା ସମସ୍ତ ଚାଷୀଙ୍କ ଧାନ ଉଠିବ । କୌଣସୀ ବି ଚାଷୀ ମଣ୍ଡିରେ ରାତ୍ରୀ ଯାପନ କରିବେ ନାହିଁ । ସେ ବିଷୟରେ ରାଜ୍ୟ ସରକାର କଡା କଡି ନିର୍ଦ୍ଦେଶ ଦେଇ ଗାଇଡଲାଇନ ଜାରିି କରିଥିବା ଯୋଗାଣ ଅଧିକାରୀ ଶ୍ରୀ ମହାନ୍ତି କହିଥିଲେ । ଟୋକନ ତାରିଖ ଅନୁଯାୟୀ ମଣ୍ଡିକୁ ଧାନ ନେଇ ଆସିଥିବା ଚାଷୀଙ୍କ ପ୍ରଥମେ ରେଟିନା ସ୍କାନ କରି ଧାନ ମଣ୍ଡିକୁ ଏଣ୍ଟ୍ରି କରାଯିବ । ଯେଉଁ ଚାଷୀର ଧାନରେ ଆଦ୍ରତା ବେଶୀ ପରିମାଣ ରହିଥିବ କିମ୍ବା ଅନ୍ୟ କୌଣସୀ କାରଣରୁ ରିଜେକ୍ଟ କରାଯିବ କ୍ରମରେ ରହିଥିବା ଦ୍ୱିତୀୟ ଚାଷୀଙ୍କ ଠାରୁ ଧାନ କିଣାଯିବ । ମିଲର୍ସ ପର୍ଯ୍ୟାପ୍ତ ପରିମାଣରେ ଅଖାବସ୍ତା ଆଣି ଗଚ୍ଛିତ ରଖିଛନ୍ତି । ଏଣୁ ଅଖା ବସ୍ତାରେ ହିଁ ଚାଷୀ ମଣ୍ଡିକୁ ଧାନ ଆଣିବେ । ମଣ୍ଡିକୁ ପ୍ଲାଷ୍ଟିକ ବସ୍ତାରେ ଧାନ ଆଣିବା ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଯଦି ମଣ୍ଡିରେ ରାତିରେ ଧାନ ପଡି ରହିଛି ତାହେଲେ ପ୍ରଶାସନ ସକାଳୁ ଉକ୍ତ ଧାନକୁ ଜବତ କରିବ ବୋଲି ଶ୍ରୀ ମହାନ୍ତି କହିଥିଲେ । ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରି ପ୍ୟାକ୍ସ ସମ୍ପାଦକ ମାନେ ଗତ ବର୍ଷର ଧାନକିଣା ସ୍ଥିତି ଓ ସମସ୍ୟାକୁ ଜାହିର କରିଥିଲେ । ଗତବର୍ଷର ନିୟମାନୁଯାୟୀ କ୍ରମାନ୍ୱୟରେ ପ୍ରଥମେ ମଣ୍ଡିକୁ ଧାନ ଆଣିଥିବା ଚାଷୀର ରେଟିନା ସ୍କାନ କରିବା ପରେ କୋଣସି କାରଣରୁ ଯଦି କମ୍ପ୍ୟୁଟର ଗ୍ରହଣ କଲାନାହିଁ । ତାହେଲେ ତା ପର କ୍ରମାନ୍ୱୟର ଚାଷୀଙ୍କ ଧାନ ମଧ୍ୟ କିଣିବା ସମ୍ଭବ ହେଉନଥିଲା । ଏଣୁ ମଣ୍ଡିରେ ଚାଷୀଙ୍କ ଧାନକିଣା ଆରମ୍ଭ ହେଲେ ହିଁ ଏବର୍ଷର ସମସ୍ତ ଟେକ୍ନିକାଲ ଜିନିଷ ଜାଣିହେବ ବୋଲି କହିଥିଲେ । ଏଥିରେ ନର୍ଲା ପ୍ୟାକ୍ସ ସମ୍ପାଦକ ଲବକାନ୍ତ ସା, ରୁପ୍ରାର କୁମୁଦଚନ୍ଦ୍ର ମହାନନ୍ଦ, ରୁପ୍ରାରୋଡ ସୁବାସ ଗହୀର, ଶାନ୍ତପୁର ସୁଶାନ୍ତ ବିଶି, ଭାନପୁର ସୁଧିର ନାଏକ, ଥବିର ରଣା, ପଲମ ପ୍ୟାକ୍ସରୁ କୁମୁଦ ସାହୁ ପ୍ରମୁଖ ଉପସ୍ଥିତ ରହି ମଣ୍ଡିରେ ଉପୁଜୁଥିବା ବିଭିନ୍ନ ସମସ୍ୟା ଗୁଡିକ ଓ ଧାନକିଣା ପ୍ରକ୍ରୀୟା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଯୋଗାଣ ଅଧିକାରୀ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.