ଓଡ଼ିଆ ବାର୍ତ୍ତା/ ବୁର୍ଲା: ବୁର୍ଲା ସହରରେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ବେଆଇନ୍ ଉଛେଦ ପ୍ରକ୍ରିୟା ଯୋଗୁଁ ଲୋକେ ନିଜର ରୋଜଗାର ହରାଇବା ସହିତ ବେଘର ହେଲେ। ବୁର୍ଲା ସହରରେ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ପରିବାର ବର୍ଗଙ୍କୁ ପଟ୍ଟା ଦେବା ବଦଳରେ ଉଛେଦ କରାଯାଉଥିବା ଯୋଗୁଁ ବୁର୍ଲା ବାସିନ୍ଦା ଙ୍କୁ ନ୍ୟାୟ ପ୍ରଦାନ କରିବା ସହିତ ଉଚିତ୍ କ୍ଷତି ପୂରଣ ଦାବୀରେ ଆଜି ବୁର୍ଲା ଦୁର୍ଗା ମଣ୍ଡପ ଠାରେ ବୁର୍ଲା ବାସିନ୍ଦାଙ୍କ ପକ୍ଷରୁ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବେରୋଜଗାର ଏବଂ ବେଘର ହୋଇଥିବା ବାସିନ୍ଦା କିଭଳି ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ନିଜର ନିଜର ଅସୁବିଧାକୁ କୋହ ଭରା ଆଖିରେ ଉପସ୍ଥାପନ କରିଥିଲେ। ବୁର୍ଲା ସହରରେ ବହୁତ ପରିବାର ବର୍ଗଙ୍କ ନାମ ବନ୍ଦୋବସ୍ତ ଆଇନ୍ ଅନୁଯାୟୀ ରେକର୍ଡ ଭୁକ୍ତ ହୋଇସାରିଛି। ଦୀର୍ଘ ବର୍ଷ ରହି ଆସୁଥିବା ପରିବାର ସମସ୍ତ ଟେକ୍ସ ପୈଠ କରି ଆସୁଥିବା ବେଳେ ପଟ୍ଟା ନ ମିଳିବା ଅତ୍ଯନ୍ତ ପରିତାପର ବିଷୟ ବୋଲି ଉପସ୍ଥିତ ବାସିନ୍ଦା ମାନେ ମତବ୍ୟକ୍ତ କରିଥିଲେ। ଭାରତ ବର୍ଷରେ ଯେଉଁ ଅଞ୍ଚଳରେ ଓ ସ୍ଥାନରେ ନୂଆ ପ୍ରକଳ୍ପ କିମ୍ବା ବିକାଶ କାର୍ଯ୍ୟ ରେ କ୍ଷତି ହେଇଥିବା ବ୍ୟକ୍ତି କିମ୍ବା ପରିବାର ବର୍ଗଙ୍କୁ ପ୍ରଥମେ ଥଇଥାନ କରିବାର ଦୃଷ୍ଟାନ୍ତ ରହିଥିବା ବେଳେ ନିକଟରେ ସମଲେଶ୍ବରୀ ମନ୍ଦିର ଯୋଜନାରେ ସମସ୍ତଙ୍କୁ ଉଚିତ୍ ଥଇଥାନ କରା ଯାଇଥିବା ବେଳେ ବୁର୍ଲା ରେ ଏହାର ବ୍ୟତିକ୍ରମ ଦେଖାଦେଇଥିବାରୁ ଉପସ୍ଥିତ ବାସିନ୍ଦା କ୍ଷୋଭ ପ୍ରକାଶ କରିଥିଲେ। ଉଛେଦ ପ୍ରକ୍ରିୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଘର ଓ ଦୋକାନି ଙ୍କୁ ଶୀଘ୍ର ଥଇଥାନ କରାଯିବା ସହ ଅନ୍ୟ ସ୍ଥାନରେ ଯୋଗାଇ ଦିଆଯାଉଥିବା ୪ ଡେସିମିଲ ଲେଖାଏଁ ଜମି ଓ ଉଚିତ୍ ଅର୍ଥ ବ୍ୟବସ୍ଥା ବୁର୍ଲା ରେ ମଧ୍ଯ କାର୍ଯ୍ୟକାରୀ କରାଯାଇ ଦିଆଯିବା ସହ କ୍ଷତିଗ୍ରସ୍ତ ଦୋକାନି ଙ୍କୁ ଉଚିତ୍ କ୍ଷତିପୂରଣ ସହ ଦୋକାନ ଯୋଗାଇ ଦେବା ସକାଶେ ଉପସ୍ଥିତ ବାସିନ୍ଦା ପ୍ରସ୍ତାବ ଦେଇଥିଲେ। ବୁର୍ଲା ଜନସାଧାରଣଙ୍କୁ ବିଶ୍ଵାସକୁ ନେଇ ଶୁଣାଣି କରି ଆଗକୁ କାର୍ଯ୍ୟ କରିବାକୁ ପ୍ରସାଶନକୁ ଆଜିର ସମାବେଶରେ ନିବେଦନ କରାଯାଇଛି। ମହାନଗର ନିଗମ ବୁର୍ଲା ବାସିନ୍ଦାଙ୍କୁ ମୌଳିକ ସେବା ଯୋଗାଇ ଦେବାରେ ବିଫଳ ହୋଇଥିଲା ବେଳେ ଲୋକଙ୍କ ବାସସ୍ଥାନ ଏବଂ ରୋଜଗାର ନେବା କାର୍ଯ୍ୟରେ ବ୍ୟସ୍ତତାକୁ ସମାବେଶରେ ଉପସ୍ଥିତ ବାସିନ୍ଦା ମାନେ ନିନ୍ଦା କରିଥିଲେ। ବୁର୍ଲା ବାସିନ୍ଦାଙ୍କୁ ପଟ୍ଟା ଦେବା, ଆଗକୁ କୌଣସି ଘର ନ ଭାଙ୍ଗିବା କିମ୍ବା ଉଛେଦ ନ କରିବା, କ୍ଷତି ଗ୍ରସ୍ତ ଙ୍କୁ ଜମି, ଆର୍ଥିକ ସହଯୋଗ ଏବଂ ଦୋକାନୀଙ୍କୁ ଦୋକାନ ଏବଂ ଆର୍ଥିକ ସହଯୋଗ ଦେବାକୁ ଦାବି କରାଯାଇଥିଲା। ନିର୍ଭର ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ବୁର୍ଲା ବାସିନ୍ଦାଙ୍କ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବାକୁ ଏହି ସମାବେଶରେ ନିଷ୍ପତ୍ତି ନିଆଯାଇଥିଲା। ବୁର୍ଲାର ସାଧାରଣ ଜନତାଙ୍କ ସହିତ ବିଭିନ୍ନ ଅନୁଷ୍ଠାନ, ବୁର୍ଲା କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା, ବୁର୍ଲାର ବିଭିନ୍ନ ବ୍ୟବସାୟ ସଂଘ ତଥା ଶତାଧିକ ମହିଳା ଓ ପୁରୁଷ ଓ ଯୁବା ଶକ୍ତି ଉପସ୍ଥିତ ଥିଲେ।