ସୁବର୍ଣ୍ଣପୁରରେ ଓବିସି ଜନଜାଗରଣ ରଥକୁ ବିପୁଳ ସ୍ବାଗତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ନଭେମ୍ବର ୨୬ ତାରିଖ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗରରୁ ବାହାରି ପର୍ଯ୍ୟାୟ କ୍ରମେ ସାରା ଓଡିଶା ପରିକ୍ରମା କରୁଥିବା ଓବିସି ଜନଜାଗରଣ ରଥଯାତ୍ରା ମଙ୍ଗଳବାର ସୁବର୍ଣ୍ଣପୁର ସହରର ବୁଢ଼ାରଜା ଛକରେ ପହଞ୍ଚିବା ପରେ ଜିଲ୍ଲା ଓବିସି ମଞ୍ଚ ତରଫରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ପରେ ସଂକିର୍ତ୍ତନ୍ୟ ମଣ୍ତଳି ସହ ଏକ ବିଶାଳ ରାଲିରେ ସହରର ବ୍ଲକ ଛକ, ଘୋଡାଘାଟ ପଡା, ବସ ଷ୍ଟାଣ୍ଡ, ବଡ଼ ବଜାର ଦେଇ ସାପ୍ତାହିକ ବଜାର ପରିକ୍ରମା କରି ଜନସାଧାରଣଙ୍କ ମଧ୍ୟରେ ଓବିସି ମଞ୍ଚର ଆଭିମୁଖ୍ୟ ବାବଦରେ ସଚେତନତା ସୁଷ୍ଟି କରାଯାଇଥିଲା। ବିଶେଷ କରି ଓଡ଼ିଶାରେ ବସବାସ କରୁଥିବା ୫୨% ଓବିସିଙ୍କ ପାଇଁ ଶିକ୍ଷା, ନିଯୁକ୍ତି ଓ ରାଜନୈତିକ କ୍ଷେତ୍ରରେ ସଂରକ୍ଷଣ ଦେବା ସହ ଓବିସି ବର୍ଗଙ୍କୁ ସାମାଜିକ, ଅର୍ଥନୈତିକ ଓ ଶିକ୍ଷାର ବିକାଶ ପାଇଁ ସ୍ଵତନ୍ତ୍ର ନିଗମ ଓ ମନ୍ତ୍ରଣାଳୟ ଗଠନ କରିବା ତଥା ଓବିସିଙ୍କୁ ରାଷ୍ଟ୍ରୀୟ ମୂଳ ସ୍ରୋତରେ ସାମିଲ କରିବା ପାଇଁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରୁ ଆରମ୍ଭ କରି ବିଧାନସଭା, ଲୋକସଭା ଓ ରାଜ୍ୟସଭାରେ ମଧ୍ୟ ସମାନୁପାତିକ ପ୍ରତିନିଧିତ୍ଵ ଦେବାସହ ଓବିସିଙ୍କ ସଶକ୍ତିକରଣ ପାଇଁ ଜାତିଭିତ୍ତିକ ଜନଗଣନା କରିବା ପ୍ରଭୃତି ଦାବି ସବୁ ସରକାର ଅତିଶିଘ୍ର ପୁରଣ କରିବାକୁ ଓବିସି ମଞ୍ଚ ପକ୍ଷରୁ ଦାବି କରାଯାଇ ବିଭିନ୍ନ ନାରା ଦେଇ ସହର ପରିକ୍ରମା କରିଥିଲେ। ବିଭିନ୍ନ ସ୍ଥାନରେ ଓବିସି ସଂପ୍ରଦାୟର ବିଭିନ୍ନ ନେତୃମଣ୍ଡଳୀ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଇବା ସହ ହଜାର ସଂଖ୍ୟାରେ ଓବିସି ଜନସାଧାରଣ ରାଲିରେ ଯୋଗଦେଇ ଥିବା ଦେଖିବାକୁ ମିଳିଥିଲା। ଏହି ରାଲିରେ ଓଡ଼ିଶା ଓବିସି ମଞ୍ଚର ସଭାପତି ଶଙ୍କର କୁମାର ପାତ୍ର, ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଦେବାର୍ଚ୍ଚନ ଚାଉଳିଆ, କାର୍ଯ୍ୟକାରୀ ସଭାପତି ପ୍ରିୟବ୍ରତ ସାହୁ, ଜିଲ୍ଲା ସଂଯୋଜକ ଶିବରାମ ସାହୁ, କୋଷାଧ୍ୟକ୍ଷ ପରଦେଶୀ ବିଶ୍ଵାଳ, ପୂର୍ବତନ ପୌରାଧ୍ୟକ୍ଷା ସିମନ୍ତିନୀ ନାୟକ, ନାଟ୍ୟଶ୍ରୀ ଗଦାଧର ବାରିକ, ଦିଲିପ ପାତ୍ର, ଶେଷଦେବ ମେହେର, ରାମ ନାରାୟଣ ଭୋଇ, ଉମାକାନ୍ତ ବିଶି, ଶଙ୍କର ବିଶି, କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସହର ପରିକ୍ରମା ପରେ ଓବିସି ଜନଜାଗରଣ ରଥ ଜିଲ୍ଲାର ବିନିକା, ଡୁଙ୍ଗୁରିପାଲି ଆଞ୍ଚଳକୁ ଯାତ୍ରା କରିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.