ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ରାଜ୍ୟ ସରକାରଙ୍କ “ନୂଆ ଓଡିଶା” କାର୍ଯ୍ୟକ୍ରମ ଅନ୍ତର୍ଗତ ସାମାଜିକ କର୍ମ ଓ ଗତିବିଧିର ଅଂଶ ଭାବେ ତାରା ତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ବିଦ୍ୟାଳୟର ମିନି ଷ୍ଟାଡିୟମରେ “ଦିନିକିଆ ଯୋଗ ଶିବିର” କାର୍ଯ୍ୟକ୍ରମ ବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ସୀମାଞ୍ଚଳ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୁରୁଷୋତ୍ତମପୁର ବ୍ଳକ, ଆଞ୍ଚଳିକ ସାଧନ କେନ୍ଦ୍ର, କନକା କ୍ଳଷ୍ଟରର ସଂଯୋଜକ ତଥା ଯୋଗ ଶିକ୍ଷକ ହେମନ୍ତ କୁମାର ବେହେରା ମୁଖ୍ଯ ଅତିଥି ରୂପେ ଯୋଗଦେଇଥିଲେ। ଶ୍ରୀଯୁକ୍ତ ବେହେରା ନିଜର ବକ୍ତବ୍ୟ ମାଧ୍ୟମାରେ ଛାତ୍ରଛାତ୍ରୀମାନଙ୍କୁ ଯୋଗ ଶିକ୍ଷା, ଯୋଗର ଉପକାରିତା ଏବଂ ପ୍ରତ୍ୟେକ ଦିନ ଯୋଗ କରିବା ପାଇଁ ଉତ୍ସାହିତ କରିଥିଲେ। ଏଥିସହ ବିଭିନ୍ନ ପ୍ରକାରର ଯୋଗାସନ ତଥା; ସୂର୍ଯ୍ୟ ନମସ୍କାର, ପଦ୍ମାସନ, ଚକ୍ରାସନ, ଧନୁରାସନ, ବଜ୍ରାସନ, ମଣ୍ଡୁକାସନ,ଶଶାଙ୍କାସନ, ଭୂଜଙ୍ଗାସନ, ଶୀର୍ଷାସନ ଇତ୍ୟାଦି ଯୋଗାସନ ସହ କପାଳଭାତି, ଭତ୍ରିକା ଓ ଅନୁଲୋମବିଲୋମ ଆଦି ପ୍ରାଣାୟାମ ଜନସାଧାରଣ ଏବଂ ଛାତ୍ର ଛାତ୍ରୀମାନଙ୍କ ଆଗରେ ପ୍ରଦର୍ଶନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ପଟ୍ଟନାୟକ ନିଜର ବକ୍ତବ୍ୟରେ ଛାତ୍ର ଛାତ୍ରୀମାନଙ୍କୁ ସୁନ୍ଦର ଏବଂ ସୁସ୍ଥ ଜୀବନଶୈଳୀ ପାଇଁ ଯୋଗ ଓ ପ୍ରାଣାୟମ ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି ଉପଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ ଡ଼କ୍ଟର ସୁବ୍ରତ କୁମାର ଷଡଙ୍ଗୀ, ସାମାଜିକ କାର୍ଯ୍ୟକଳାପ ଶାଖା ସହଯୋଗୀ ଡକ୍ଟର ବିପ୍ଳବ ରଞ୍ଜନ ପ୍ରଧାନ, ନମ୍ରତା ମିଶ୍ର, ଡକ୍ଟର ସୁଧାଂଶୁ ଶେଖର ମିଶ୍ର, ପ୍ରକାଶ ଚନ୍ଦ୍ର ପଣ୍ଡା, ପିଟି ଶିବ ପ୍ରସାଦ ବେହେରା ଆଦି ସମ୍ମାନିତ ଅତିଥିବୃନ୍ଦ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମଟି ସାମାଜିକ କାର୍ଯ୍ୟକଳାପ ଶାଖା ଅଧିକାରୀ ବନିତା ଖଟେଇଙ୍କ ପୌରୋହିତ୍ୟରେ ଆୟୋଜିତ ହୋଇଥିଲା। ଏଥିରେ ଗଞ୍ଜାମ ଜିଲ୍ଲା ତରଫରୁ ଆୟୋଜିତ ଜିଲ୍ଲା ସ୍ତରୀୟ ଯୋଗ ଶିବିରରେ ଚୟନ ହୋଇଥିବା ଛାତ୍ରୀ ଏଲିନା ମୁଦୁଲି, ଛାତ୍ର ପ୍ରକାଶ ବେହେରାଙ୍କ ଯୋଗାସନ ଓ ପ୍ରାଣାୟାମ ପ୍ରଦର୍ଶନ, ସମସ୍ତଙ୍କୁ ପ୍ରେରଣା ଦେଇଥିଲା। ଏହି ଅଭିଯାନରେ ପୁରୁଷୋତ୍ତମପୁର ସହରର କିଛି ଯୁବଗୋଷ୍ଠୀ, ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ପ୍ରମୁଖ ୩୦୦ ଜଣ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ପରିଶେଷରେ ପ୍ରକାଶ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।