୧୯୯୩ ମସିହାରେ ବିଜୁ ପଟ୍ଟନାୟକଙ୍କ ଅମଳରେ ଓଡ଼ିଶାର ୧୩ ଜିଲ୍ଲା ୩୦କୁ ବୃଦ୍ଧି ପାଇଥିଲା। ସେତିକିବେଳେ ଆଉ କିଛି ନୂଆ ଜିଲ୍ଲାର ଦାବି ଉଠିଥିଲେ ବି ବିଭିନ୍ନ କାରଣରୁ ହୋଇପାରି ନଥିଲା। ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର ଭଳି ୩ଟି ବଡ଼ ଜିଲ୍ଲା ଆଦୌ ଭାଗ ନହୋଇ ରହି ଯାଇଥିଲା। ଭାଗ ହୋଇଥିବା ଜିଲ୍ଲା ଗୁଡ଼ିକରେ ବି କିଛିକିଛି ବଡ଼ ଅଞ୍ଚଳ ରହିଥିଲା ଯାହା ସ୍ବତନ୍ତ୍ର ଜିଲ୍ଲା ହେବାର ଅପେକ୍ଷା ରଖୁଥିଲା। ତେବେ ଦୀର୍ଘ ୩୦ ବର୍ଷ ପରେ ନବୀନ ପଟ୍ଟନାୟକଙ୍କ ଅମଳରେ ପୁଣିଥରେ ଏହି ଜିଲ୍ଲା ପୁନର୍ଗଠନ ଚର୍ଚ୍ଚା ରାଜ୍ୟର ବିଭିନ୍ନ ଆଶାୟୀ ଅଞ୍ଚଳବାସୀଙ୍କୁ ଉତ୍ସାହିତ କରିଛି। ଖାସ୍ କରି ପଦ୍ମପୁର ନୂଆ ଜିଲ୍ଲା ଘୋଷଣା ପରେ ରାଜ୍ୟର ଆଉ ପ୍ରାୟ ୧୫ଟି ଅଞ୍ଚଳବାସୀ ନୂଆ ଜିଲ୍ଲା ଦାବି କରୁଛନ୍ତି। ଉପନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଗସ୍ତରେ ଆସି ସ୍ବତନ୍ତ୍ର ଜିଲ୍ଲା ଘୋଷଣା ପାଇଁ ଦେଇଥିବା ପୂର୍ବ ପ୍ରତିଶ୍ରୁତି ଦୋହରାଇଥିଲେ। ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ନୂଆ ପଦ୍ମପୁର ଜିଲ୍ଲା ରୂପ ନେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଜିଲ୍ଲା ଗଠନ ପ୍ରାୟ ଗୋଟିଏ ବର୍ଷର ପ୍ରକ୍ରିୟା ହୋଇଥାଏ। ତେବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସରକାର ରାଜ୍ୟର ଜିଲ୍ଲା ସଂଖ୍ୟା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିବା ପରି ପ୍ରତୟମାନ ହେଉଛି। ପୂର୍ବରୁ ସମ୍ବଲପୁର ଜିଲ୍ଲା ଭାଗ ହୋଇ ସୃଷ୍ଟି ହୋଇଥିବା ବରଗଡ଼ ଜିଲ୍ଲା ପୁଣି ଦୁଇ ଭାଗ ହୋଇ ନୂଆ ପଦ୍ମପୁର ଜିଲ୍ଲା ହେବ। ପୁଣି ଜିଲ୍ଲା ପୁନର୍ଗଠନ ହେଲେ ୧୯୯୩ ମସିହାରେ ବିଭାଜନରୁ ବାଦ ପଡ଼ିଥିବା ତିନି ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଭାଗ ହେବା ଏକପ୍ରକାର ନିଶ୍ଚିତ। ମୟୂରଭଞ୍ଜ ଭାଗ ହୋଇ ନୂଆ ରାଇରଙ୍ଗପୁର ଜିଲ୍ଲା ଗଠନ ହୋଇପାରେ। ସେହିପରି କେନ୍ଦୁଝରରୁ ଅଲଗା ହୋଇ ନୂଆ ଆନନ୍ଦପୁର ଜିଲ୍ଲା ଗଠନ ସମ୍ଭାବନା ରହିଛି। ସୁନ୍ଦରଗଡ଼ ଜିଲ୍ଲା ଭାଗହେଲେ ରାଉରକେଲା ନୂଆ ଜିଲ୍ଲା ହେବା ଏକପ୍ରକାର ନିଶ୍ଚିତ। ବଲାଙ୍ଗୀରକୁ ପୁଣିଥରେ ଭାଗ କରି ନୂଆ ଟିଟିଲାଗଡ଼ ଜିଲ୍ଲା ଗଠନର ବହୁ ପୁରୁଣା ଓ ଯୁକ୍ତିଯୁକ୍ତ ଦାବିକୁ ସରକାର ଗ୍ରହଣ କରିବା ସମ୍ଭାବନା ଅଧିକ। ପୂର୍ବରୁ ଗଜପତି ଗଞ୍ଜାମରୁ ଅଲଗା ହୋଇଥିଲେ ବି ଏହା ଲୋକସଂଖ୍ୟା ଦୃଷ୍ଟିରୁ ଏବେ ବି ରାଜ୍ୟର ସବୁଠୁ ବଡ଼ ଜିଲ୍ଲା। ଏହି ଜିଲ୍ଲାକୁ ଭାଗ କରି ସ୍ବତନ୍ତ୍ର ଘୁମୁସର (ଭଞ୍ଜନଗର ସଦର ମହକୁମା) ଜିଲ୍ଲା ଗଠନ ପାଇଁ ୧୯୯୩ ମସିହାରୁ ଲଗାତାର ଦାବି ହୋଇ ଆସୁଛି। ତେଣୁ ଜିଲ୍ଲା ପୁନର୍ଗଠନ ହେଲେ ଏହା ମଧ୍ୟ ନୂଆ ଜିଲ୍ଲା ହେବା ଏକପ୍ରକାର ନିଶ୍ଚିତ। ସେହିପରି ଅନଗୁଳରୁ ଅଲଗା ହୋଇ ତାଳଚେର ଏକ ନୂଆ ଜିଲ୍ଲା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାଛଡ଼ା ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ ଥିବା ରାଜଧାନୀ ଭୁବନେଶ୍ବରକୁ ଏକ ସ୍ବତନ୍ତ୍ର ଜିଲ୍ଲା କରିବାର ବିଭିନ୍ନ ଦୃଷ୍ଟିକୋଣରୁ ଜରୁରୀ ଆବଶ୍ୟକତା ରହିଛି। ତେଣୁ ସହର ସଂଲଗ୍ନ ୨ଟି ବ୍ଲକ୍ ଓ ଚନ୍ଦକା ଅଞ୍ଚଳକୁ ନେଇ ଭୁବନେଶ୍ବର ଜିଲ୍ଲା ଗଠନ ପାଇଁ ଦାବି ହେଉଛି। ଜିଲ୍ଲା ପୁନର୍ଗଠନ ହେଲେ ଉପରୋକ୍ତ ୮ଟି ନୂଆ ଜିଲ୍ଲାର ସର୍ବାଧିକ ସମ୍ଭାବନା ରହିଛି। ଏହାଛଡ଼ା ବଣେଇଗଡ଼ (ସୁନ୍ଦରଗଡ଼), କୁଚିଣ୍ଡା (ସମ୍ବଲପୁର), କଣ୍ଟାବାଞ୍ଜି/ପାଟଣାଗଡ଼ (ବଲାଙ୍ଗୀର), ବାଙ୍ଗିରିପୋଷି (ମୟୂରଭଞ୍ଜ), ଚଣ୍ଡିଖୋଲ (ଯାଜପୁର), ଜଳେଶ୍ବର (ବାଲେଶ୍ବର), ଗୁଣୁପୁର (ରାୟଗଡ଼), ଧର୍ମଗଡ଼ (କଳାହାଣ୍ଡି), ବ୍ରହ୍ମପୁର (ଗଂଜାମ) ଆଦି ୧୫ରୁ ଅଧିକ ନୂଆ ଜିଲ୍ଲା ଗଠନ ପାଇଁ ଦାବି ହେଉଛି। ହେଲେ ନିର୍ବାଚନ ପୂର୍ବରୁ ସବୁ ଅଞ୍ଚଳକୁ ସନ୍ତୁଷ୍ଟ କରି ସରକାର କିପରି ଏହି ଜିଲ୍ଲା ପୁନର୍ଗଠନର ସମୀକରଣ କରୁଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ। ପଦ୍ମପୁର ହେବ ଜିଲ୍ଲା। ପଦ୍ମପୁରରୁ ଏଭଳି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଦ୍ମପୁର ଭଳି ରାଜ୍ୟରେ ଆଉ କେତୋଟି ନୂଆ ଜିଲ୍ଲା ପାଇଁ ଦାବି ମିଳିଛି ଓ ରାଜ୍ୟ ସରକାର ନୂଆ ରାଜସ୍ୱ ଜିଲ୍ଲା ପାଇଁ କିଛି ବିଚାର କରୁଛନ୍ତି କି? ଯଦି ବିଚାର କରୁଥାନ୍ତି ତେବେ କେଉଁ ସମୟସୀମା ମଧ୍ୟରେ ନୂଆ ରାଜସ୍ୱ ଜିଲ୍ଲା ଘୋଷଣା ହେବ। କଂଗ୍ରେସ ବିଧାୟକ ସନ୍ତୋଷସିଂ ସାଲୁଜା ଏନେଇ ବହୁ ପୂର୍ବରୁ ବିଧାନସଭାରେ ପ୍ରଶ୍ନ କରିଥିଲେ। ଯାହାର ଉତ୍ତର ରଖିଥିଲେ ତତ୍କାଳୀନ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ବିଧାନସଭାରେ ଲିଖିତ ଉତ୍ତର ରଖି ପ୍ରମିଳା କହିଥିଲେ ଯେ, ରାଜ୍ୟରେ ନୂତନ ରାଜସ୍ୱ ଜିଲ୍ଲା ଗଠନ ପାଇଁ ବିଭିନ୍ନ ସମୟରେ ଦାବିପତ୍ର ହସ୍ତଗତ ହୋଇଛି। ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି, ଟିଟିଲାଗଡ, ବରଗଡ ଜିଲ୍ଲାର ପଦ୍ମପୁର, କଳହାଣ୍ଡି ଜିଲ୍ଲାର ଧର୍ମଗଡକୁ ନୂଆ ରାଜସ୍ୱ ଜିଲ୍ଲା କରିବାକୁ ଦାବି ରାଜସ୍ୱ ବିଭାଗର ହସ୍ତଗତ ହୋଇଛି। ସମସ୍ତ ମାନଦଣ୍ଡକୁ ବିଚାରକୁ ନେଇ ପ୍ରଚଳିତ ନୀତିନିୟମ ଆଧାରରେ ଉପଯୁକ୍ତ ସମୟରେ ନୂତନ ଜିଲ୍ଲା ଗଠନ ପାଇଁ ଆସିଥିବା ଦାବି ଗୁଡିକ ଉପରେ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ। ତେବେ ଜିଲ୍ଲା ପୁନର୍ଗଠନ ସଂପୂର୍ଣ୍ଣଭାବେ ରାଜ୍ୟ ସରକାରଙ୍କ କ୍ଷମତାଭୁକ୍ତ। ବିଗତ ୬୦ ବର୍ଷ ମଧ୍ୟରେ ଭାରତରେ ୪୧୮ଟି ନୂଆ ଜିଲ୍ଲା ଗଠନ ହୋଇ ସାରିଛି। ନୂଆ ଜିଲ୍ଲା ଗଠନ ପାଇଁ ରାଜ୍ୟ ସରକାରଙ୍କ ପାଖରେ ୨ଟି ଉପାୟ ରହିଛି। ସବୁଠୁ ସହଜ ଓ ସରଳ ଉପାୟ ହେଲା ଗ୍ୟାଜେଟ୍ ବିଜ୍ଞପ୍ତି ଜରିଆରେ ନୂଆ ଜିଲ୍ଲା ଗଠନ କରିବା। ଦ୍ବିତୀୟ ଉପାୟଟି ରାଜ୍ୟ ବିଧାନସଭାରେ ପ୍ରସ୍ତାବ ପାରିତ କରାଇବା। ବର୍ତ୍ତମାନ ବିଧାନସଭାରେ ସରକାରୀ ଦଳର ସ୍ପଷ୍ଟ ବହୁମତ ଥିବାରୁ ଓଡ଼ିଶାରେ ଉଭୟ ଉପାୟରେ ଜିଲ୍ଲା ପୁନର୍ଗଠନ କରାଯାଇ ପାରିବ। ଅନ୍ୟପକ୍ଷରେ ଏସବୁ ଭିତରେ ଆଶା ଆଶଙ୍କାର ଦୋ ଛକିରେ ରହିଛନ୍ତି ନୂତନ ଜିଲ୍ଲା ଗଠନ ଦାବି କରୁଥିବା ଆଶାୟୀ ଅଞ୍ଚଳବାସୀ।