ପୁଣି ତେଜିଲା ଟିଟିଲାଗଡ଼ ଜିଲ୍ଲା ଦାବୀ: ଆନ୍ଦୋଳନକୁ ଶାଣିତ କରିବାକୁ ସଇଁତଳାରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ବୈଠକ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ପୁଣି ସଇଁତଳା ପଞ୍ଚାୟତ କାର୍ଯ୍ୟାଳୟ ପରିସରରଠାରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ସଇଁତଳା ସରପଞ୍ଚ ସୁବ୍ରତ ନାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଟିଟିଲାଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆବାହକ କୃଷ୍ଣ ଚନ୍ଦ୍ର ସାହୁ ଓ ଯୁଗ୍ମ ଆବାହକ ମହେଶ ମହାନ୍ତିଙ୍କ ଉପସ୍ଥିତରେ ଜିଲ୍ଲା ଦାବୀ ପ୍ରତି ସରକାରଙ୍କ ଉଦାସୀନତାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା। ଏହି ଜିଲ୍ଲା ଦାବୀ ଦୀର୍ଘ ୩୩ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ଦାବୀ ପ୍ରତି ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନ ଥିବା ଦୁର୍ଭାଗ୍ୟଜନକ ବୋଲି ସାମୁହିକ ଭାବେ ମତ ପ୍ରକାଶ ପାଇଥିଲା। ଜିଲ୍ଲା ଘୋଷଣା ହେଲେ ୩୧ତମ ଜିଲ୍ଲା ଭାବରେ ଟିଟିଲାଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପ୍ରଦାନ କରିବାକୁ ପ୍ରତିଶୁତି ଦିଆଯାଇଥିବା ବେଳେ ପଦ୍ମପୁର ଉପନିର୍ବାଚନ ସମୟରେ ଅନୁରୂପ ଭାବରେ ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ମଧ୍ୟ ୩୧ତମ ଜିଲ୍ଲା ଘୋଷଣା କରାଯିବାକୁ ସବୁଜ ସଙ୍କେତ ଦେଇଥିଲେ। ବର୍ତ୍ତମାନ ପଦ୍ମପୁରକୁ ଜିଲ୍ଲା ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ବେଳେ ନିର୍ଦ୍ଧିଷ୍ଟ କିଛି ଗଣମାଧ୍ୟମ ଆସନ୍ତା ୩୦ ତାରିଖରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକରେ ପଦ୍ମପୁର ଜିଲ୍ଲା ଗୋଷଣା ସମ୍ଭାବନା ପ୍ରକାଶ କରିଛନ୍ତି। ତେବେ ଟିଟିଲାଗଡ ଜିଲ୍ଲା ଦାବୀ ବର୍ତ୍ତମାନ ଏକ ଜନ ଆନ୍ଦୋଳନର ପରିଣତ ହୋଇଥିବା ବେଳେ ଏହାକୁ ନେଇ ଅଞ୍ଚଳର ଲୋକ ପ୍ରତିନିଧିଙ୍କ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତା ୨୩ ତାରିଖ ଦିନ ଟିଟିଲାଗଡ଼ଠାରେ ଏକ ବୈଠକ ଆୟୋଜିତ ହେବ ବୋଲି ଆଲୋଚନା ହୋଇଥିଲା। ବୈଠକରେ ଜିଲ୍ଲା ଦାବୀ ନେଇ ବ୍ଲକ କମିଟି ଗଠନ କରାଯାଇଥିଲା। ଏଥିରେ ସଂଯୋଜକ ଭାବରେ ଓକିଲ ସଂଘ ସଭାପତି ମାନଭଞ୍ଜନ ପାଣିଗ୍ରାହୀ ଓ ଯୁଗ୍ମ ସଂଯୋଜକ ଭାବେ ଆଇନଜୀବି ପ୍ରୀତିସାଗର ମହାନନ୍ଦଙ୍କୁ ମନୋନୀତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଟିଟିଲାଗଡ଼ ଗରିବ ସେନା ସଭାପତି ବୀରେନ୍ଦ୍ର ବାଗ, ବଣିକ ସଂଘ ସଭାପତି ଶମ୍ବୁ ଗୋଏଲ, ବିଜେଡି ନେତା ସୁରେନ୍ଦ୍ର ସାହୁ, ବିଜେପି ନେତା ମହେନ୍ଦ୍ର ଠାକୁର, ବ୍ଲକ କଂଗ୍ରେସ ସଭାପତି ଗୁଣସାଗର ମାଝୀ, ଆଇନଜୀବି ରାଧେଶ୍ୟାମ ସାହୁ, ଦେବରାଜ ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ ଭୋଇ, ଅମିତ ରଥ, ଟଙ୍କଧର ସାହୁ, ଗୌତମ କ୍ଷେତି, କୃଷ୍ଣ ଚନ୍ଦ୍ର ସାହୁ, ଅର୍ଜୁନଲାଲ ଅଗ୍ରୱାଲ, ଶ୍ରୀକିଷାନ ଅଗ୍ରୱାଲ, ବିଜୟ ରଥ, ବୁଲୁ ବଗର୍ତି, ଭୀମସେନ ସ୍ୱାଇଁ ପ୍ରମୁଖଙ୍କ ସହ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.