ସରପଞ୍ଚ ଓ ସମିତିଙ୍କ ସମ୍ମିଳନୀ ପର୍ବ: ବେଦାନ୍ତ ବିରୋଧରେ ଗର୍ଜଲେ ଜନପ୍ରତିନିଧି

ବିକାଶ ନାମରେ ବିନାଶ କରୁଛି ବେଦାନ୍ତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପର୍ଯ୍ୟଟନ ସ୍ଥଳୀ ଟଙ୍ଗନକୋଣା ଠାରେ ସରପଞ୍ଚ ଓ ସମିତି ସଂଘ ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଦୁର୍ଗମ ଅଞ୍ଚଳ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ହୋଇଥିଲା। ବିଭିନ୍ନ ସମସ୍ୟା ମଧ୍ୟରୁ ମୂଖ୍ୟତଃ ବେଦାନ୍ତ କମ୍ପାନୀ ଦ୍ବାରା ହେଉଥିବା ବିକାଶ ମୂଳକ କାର୍ଯ୍ୟକୁ ନେଇ ହୋ ହାଲ୍ଲା ସୃଷ୍ଟି ହୋଇଥିଲା ଏହି କାର୍ଯ୍ୟକ୍ରମରେ। ୨୦୦୨ ମସିହାରୁ ଲାଞ୍ଜିଗଡ଼ ଅଞ୍ଚଳରେ ବେଦାନ୍ତ କମ୍ପାନୀ ଗଢି ଉଠିଥିଲା। ଯେତେବେଳେ ବେଦାନ୍ତ କାରଖାନା ସ୍ଥାପନ ହୋଇଥିଲା ସେହି ସମୟରେ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳବାସୀଙ୍କୁ ଅନେକ ସ୍ବପ୍ନ ଦେଖାଇଥିଲେ ବେଦାନ୍ତ କତୃପକ୍ଷ। ତେବେ ଦୀର୍ଘବର୍ଷ ପରେ ମଧ୍ୟ ଅଞ୍ଚଳରେ ବିକାଶର ଚିହ୍ନିବର୍ଣ୍ଣ ନାହିଁ। ହେଲେ କେବଳ ବିଜ୍ଞାପନ ଓ ହୋଡିଙ୍ଗ୍ ମାଧ୍ୟମରେ ବିକାଶର ଗାଥା ଗାଉଛି ବେଦାନ୍ତ କମ୍ପାନୀ। ଲାଞ୍ଜିଗଡ଼ ଅଞ୍ଚଳରେ ବେଦାନ୍ତ କମ୍ପାନୀ ସ୍ଥାପିତ ହୋଇଛି ସତ ହେଲେ ଏହି ଅଞ୍ଚଳର ଶିକ୍ଷିତ ଯୁବକ, ଯୁବତୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ କିଏ ଶବ ହୋଇ ଫେରୁଛି ତ କିଏ ପଙ୍ଗୁ ହୋଇ ଫେରୁଛି। ଅଞ୍ଚଳର ଅନ୍ୟତମ ସମସ୍ୟା ହେଉଛି ସ୍ବାସ୍ଥ୍ୟସେବା ସମସ୍ୟା ସ୍ଵାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ବେଦାନ୍ତ ପକ୍ଷରୁ ଏକ ୨୦ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ନିର୍ମାଣ ହୋଇଥିଲା। ଏଥିରେ ଲାଞ୍ଜିଗଡ଼ ବ୍ଲକର ୨୬ ଗୋଟି ପଞ୍ଚାୟତର ଜନସାଧାରଣ ସ୍ବାସ୍ଥ୍ୟସେବା ପାଇପାରୁଥିଲେ। ତେବେ ବର୍ତ୍ତମାନ କେବଳ ବେଦାନ୍ତର ପାରିପାର୍ଶ୍ବିକ ଅଞ୍ଚଳର ୭ଗୋଟି ଗ୍ରାମ ପଞ୍ଚାୟତର ଜନସାଧାରଣ ସ୍ବାସ୍ଥ୍ୟସେବା ପାଇପାରୁଥିବା ବେଳେ ୧୯ ଗୋଟି ପଞ୍ଚାୟତବାସୀଙ୍କୁ ଟଙ୍କା ଦେଇ ଚିକିତ୍ସା ହେବାକୁ ପଡୁଛି। ଏହିଭଳି ବିଭିନ୍ନ ସମସ୍ୟା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଲାଗିରହିଥିବା ବେଳେ ଜନସାଧାରଣ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖିବାକୁ ମିଳିଛି। ଏହାକୁ ନେଇ ବୈଠକରେ ବେଦାନ୍ତ କମ୍ପାନୀ ଅଞ୍ଚଳର ବିକାଶକୁ ନେଇ ପ୍ରତିଶ୍ରୁତି ପରେ ପ୍ରତିଶୃତି ଦେଇ ଚାଲିଥିବା ବେଳେ ଏ ପଯ୍ୟନ୍ତ କୌଣସି ପ୍ରତିଶୃତି ପାଳନ କରିନାହାନ୍ତି ବୋଲି ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ପ୍ରକାଶ କରିଥିବା ବେଳେ ବେଦାନ୍ତ ଏକ ଠକ କମ୍ପାନୀ ବୋଲି ତାଛଲ୍ୟ କରିଥିଲେ ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାଏକ। ଲାଞ୍ଜିଗଡ଼ ବ୍ଲକର ପାରିପାର୍ଶ୍ବିକ ଅଞ୍ଚଳର ଅନେକ ଗାଁ ବେଦାନ୍ତ କାରଖାନାର ବିଷାକ୍ତ ବଳୟ ଭିତରେ ଅଛି। ବେଦାନ୍ତ କାରଖାନାରୁ ନିର୍ଗତ ହେଉଥିବା ରେଡମଡ ପଣ୍ଡ ଓ ଆସ୍ ପଣ୍ଡର ବିଷାକ୍ତ ଧୁଳି ଉଡ଼ି ପାରିପାର୍ଶ୍ବିକ ଗାଁ ସବୁକୁ ପ୍ରଦୁଷିତ କରୁଛି। ଏହାକୁ ନେଇ ଅଞ୍ଚଳବାସୀ ବେଦାନ୍ତ କତୃପକ୍ଷ ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ଦେଖ, ଶୁଣ, ଚୁପ୍ ରୁହ ନୀତିରେ ରହୁଛନ୍ତି ବୋଲି ବେଦାନ୍ତ କାରଖାନାର ନିକଟରେ ଥିବା ବସନ୍ତପଡ଼ା ସରପଞ୍ଚ ଚାଞ୍ଚେର ମାଝୀ ପ୍ରକାଶ କରିଛନ୍ତି। ଏହି ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ବେଦାନ୍ତ କାରଖାନା ଗେଟ୍ ସମୁଖରେ ଆନ୍ଦୋଳନ କରାଯିବ ବୋଲି ଲାଞ୍ଜିଗଡ଼ ବ୍ଲକ ସରପଞ୍ଚ ସଂଘ ସଭାପତି ସାନ୍ଦୁରୁ ମାଝୀ ଓ ସମିତି ସଭ୍ୟ ସଂଘ ସଭାପତି ଜଗଦୀଶ ବେନିଆଁ ଚେତାବନୀ ଦେଇଛନ୍ତି। ଆଜି ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇ ବେଦାନ୍ତ କମ୍ପାନୀ ବିକାଶରେ ବାଧକ ସାଜିଛି ବୋଲି କହିଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାଏକ, ସରପଞ୍ଚ ସଂଘ ସମ୍ପାଦିକା ମମତା ଶବର ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, କାନକୁଟ୍ରୁ ସମିତି ସଭ୍ୟ ମନୋହର ହରପାଲ, କାନକୁଟ୍ରୁ ସରପଞ୍ଚ ବନମାଳୀ ମାଝୀ, ବସନ୍ତପଡ଼ ସରପଞ୍ଚ ଚାଞ୍ଚେର ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ। ଲାଞ୍ଜିଗଡ଼ ବ୍ଲକ ସରପଞ୍ଚ ସଂଘ ସଭାପତି ସାନ୍ଦୁରୁ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସମିତି ସଭ୍ୟ ସଂଘ ସଭାପତି ଜଗଦୀଶ ବେନିଆଁ ପରିଚାଳନା କରିଥିଲେ। ଏଥିରେ ୨୬ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ରହି ବେଦାନ୍ତ କମ୍ପାନୀର ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.