ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଏବେ ଶୀତ ଧୀରେ ଧୀରେ ବଢ଼ି ଚାଲିଥିବା ବେଳେ ଆରମ୍ଭ ହେଲାଣି ପିକନିକ୍ ଋତୁ। ଶୀତୁଆ ସକାଳ ସହ ଜଙ୍ଗଲ ପରିବେଷ୍ଟିତ ଶାନ୍ତ ଓ ସବୁଜ ପରିବେଶରେ ଭରପୁର ମଜା ନେବା ସହ ବଣଭୋଜି କରିବାରେ ମିଳିଥାଏ ନିଆରା ଅନୁଭୂତି। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପ୍ରାକୃତିକ ସ୍ଥାନମାନଙ୍କରେ ବଣଭୋଜି ପାଇଁ ଲୋକଙ୍କ ସମାଗମ ଲାଗିରହିଛି। ଜିଲ୍ଲାର କୋକସରା ବ୍ଲକ ଖଳିଗଡ଼ ସହାଜଖୋଲ ସଂରକ୍ଷିତ ଜଙ୍ଗଳ ପଦଦେଶରେ ଥିବା ଅନ୍ୟତମ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ବହୁ ପ୍ରାଚୀନ ପର୍ଯ୍ୟଟନ ସ୍ଥଳି ଗୁଡହାଣ୍ଡି ଡୋକରୀ ଚଞ୍ଚରାରେ ସପ୍ତାହେ ହେବ ପିକ୍ନିକ୍ ପାର୍ଟିର ଭିଡ ଦେଖିବାକୁ ମିଲିଛି। କୋକସରା ବ୍ଲକ ସଦର ମହକୁମା ଠାରୁ ମାତ୍ର ୨୨. କିମି. ଅତିକ୍ରମ କଲାପରେ ଆଖି ଆଗରେ ଝଳସି ଉଠେ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ଦୁଇ ଜଳପ୍ରପାତ, ଡୋକରୀଦର ଓ ଭୈରବଧାର। ତା’ ସହିତ ଗୁଡହାଣ୍ଡିର ହଜାର ହଜାର ବର୍ଷତଲର କଳା-ଖଇ ଅନ୍ଧାରର ଶିଳାଲିପି, ଯୋନଚିତ୍ର ଓ ପ୍ରାକୃତିକ ବିଭବ, ଗୁମ୍ଫା ସହ ଜଳପ୍ରପାତର ଦୃଶ୍ୟ ସାଙ୍ଗକୁ ଚାରିଆଡ଼େ ବେଷ୍ଟିତ ପାହାଡ଼ର ମନୋରମା ଦୃଶ୍ୟ ବର୍ଷ ବର୍ଷ ଧରି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ରହି ଆସିଛି। ତେବେ ସପ୍ତାହେ ହେବ ବଣଭୋଜି ପାଇଁ ଏହି ସ୍ଥାନ ପର୍ଯ୍ୟଟକଙ୍କ ଆସର ପାଳଟିଛି। ଏହି ପର୍ଯ୍ୟଟନ ସ୍ଥଳୀର ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରାୟ ୨କିମି. ପାଖାପାଖି ଗଲାପରେ ପଡେ ଭୈରବଧାର। ଏହି ଝରଣାର ଭୟଙ୍କର ଦୃଶ୍ୟ ପ୍ରାୟ ୨ ଶହ ଫୁଟ୍ ରୁ ଉର୍ଦ୍ଧ। ଏଠାରେ ଶହଶ୍ର ମଧୁମଖିଙ୍କ ଫେଣ ସାଙ୍ଗକୁ ଜଙ୍ଗଲି ପକ୍ଷୀଙ୍କ କିଛିରି ମିଚିରି ଶବ୍ଦ ଦର୍ଶକଙ୍କ ମନରେ ଭରପୁର ଆନନ୍ଦ ଭରିଦେଇଥାଏ। ସେହିପରି ମନ୍ଦିର ପରିସରରେ ରହିଛି ଡୋକରୀ ଚଞ୍ଚରା ଏକ ପଥର ଶଯ୍ୟା। ପଥର ଶଯ୍ୟାରେ ଲାଗିକି ରହିଛି ପ୍ରାୟ ୨ଶହ ଫୁଟର ଜଳପ୍ରପାତ ଡୋକରୀଦର। ତା’ ସହିତ ବହୁ ଆକର୍ଷଣୀୟ ସ୍ଥାନ ରହିଥିବାବେଳେ ଏହାର ଚତୁଃପାର୍ଶ୍ଵରେ ବଣ ପାହାଡ଼ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ। ବର୍ଷସାରା ଏହି ପର୍ଯ୍ୟଟନ ସ୍ଥାନ ଦେଖିବା ପାଇଁ ହଜାର ହଜାର ପର୍ଯ୍ୟଟକ ଛୁଟିଆସୁଥିବା ବେଳେ ପ୍ରତି ବର୍ଷ ଏଠାରେ ଚୈତ୍ର ମାସରେ ୯ ଦିନ ଧରି ଲାଗିଥାଏ ରାମନବମୀ ଓ ଗୁଡ଼ହାଣ୍ଡି ମହୋତ୍ସବ। ଏହି ସମୟରେ ଜିଲ୍ଲା ତଥା ରାଜ୍ୟ ବାହରୁ ହଜାର ହଜାର ଶ୍ରଧାଳୁଙ୍କ ସୁଅ ଛୁଟିଥାଏ।
କଳାହାଣ୍ଡି ଜିଲ୍ଲା ସଦର ମହକୁମାରୁ ପାଖାପାଖି ୮୫ କି.ମି ଦୂରରେ ଡୋକରୀ ଚଞ୍ଚରା ଅବସ୍ଥିତ। ଏହି ସ୍ଥାନକୁ ଯିବାକୁ ହେଲେ ଭବାନୀପାଟଣାରୁ ଧର୍ମଗଡ଼ ଗୋଲେଇ ଛକରୁ ବିଜୁ ଏକ୍ସପ୍ରେସ ୱେ ରାସ୍ତା ପର୍ଲା, ବେହେରା, ଗୋତମୁଣ୍ଡା ଦେଇ ଘଣ୍ଟିଗୁଡା ଆସିବାକୁ ପଡୁଥିବାବେଳେ ୨୬ ନମ୍ବର ଜାତୀୟ ରାଜପଥ ଜୁନାଗଡ, ମୋଟେରରୁ କୋକସରା ପହଞ୍ଚି ବଙ୍ଗୋମୁଣ୍ଡା ପେଟ୍ରୋଲ ପମ୍ଫ ଛକ ଠାରୁ ଟେମରା, ମହିମା ଦେଇ ଘଣ୍ଟିଗୁଡା ଆସିବାକୁ ପଡେ। ଘଣ୍ଟିଗୁଡା ଛକ ଠାରୁ ପଶ୍ଚିମ ଦିଗକୁ ୧୨. କି.ମି ଗଲାପରେ ଡୋକରୀ ଚଞ୍ଚରା ପହଞ୍ଚି ପାରିବେ। ସେହିପରି ଅନ୍ୟ ଏକ ରାସ୍ତା କୋକସରାରୁ ବୋବରିଆ ଢାବା ଛକ ଠାରୁ ଡେଙ୍ଗାଗୁଡା, ଦର୍ଲିପଡା ଛକ ହୋଇ ଧୋବେନପାଡା ପରେ ଖଲିଗଡ଼ ଦେଇ ଡୋକରୀ ଚଞ୍ଚରାରେ ପହଞ୍ଚି ପାରିବେ। ସେହିପରି ପଡ଼ୋଶୀ ଜିଲ୍ଲା ନବରଙ୍ଗପୁର ପଟୁ ଆସୁଥାନ୍ତି ତେବେ ପାପଡାହାଣ୍ଡି, ମୈଦଳପୁର, ଆମପାଣି, ବଡକେନ୍ଦୁଗୁଡା, ଦର୍ଲିପଡା ଛକ ଠାରୁ ଧୋବେନପଡା, ଖଳିଗଡ଼ ଦେଇ ଡୋକରୀ ଚଞ୍ଚରା ପହଞ୍ଚି ପାରିବେ। ଶୀତ ଋତୁରେ ଏଠାରେ ବଣଭୋଜି କରିବା ପାଇଁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଲାଗିଥିବାବେଳେ ଏଠାକାର ମନରୋମ ଦୃଶ୍ୟକୁ ଉପଭୋଗ କରିବା ପାଇଁ ସକାଳୁ ସନ୍ଧ୍ୟା ଯାଏ ପ୍ରକୃତି ପ୍ରେମୀଙ୍କ ଭିଡ ଜମିଥାଏ। ଏଠିକାର ଜଙ୍ଗଳ ପରିବେଷ୍ଟିତ ଶାନ୍ତ ଓ ସବୁଜ ପରିବେଶରେ ପିକ୍ନିକ୍ କରିବାରେ ନିଆର ଅନୁଭୁତି ମିଲିଥାଏ ବୋଲି ପର୍ଯ୍ୟଟକ ମାନେ କୁହନ୍ତି। ଭୈରବଧାର ଓ ଡୋକରୀଦର ଜଳ ପ୍ରପାତ ଦ୍ୱୟ ନିକଟକୁ ଯିବା ପାଇଁ ସୁରକ୍ଷା ପାହାଚ, ବଣଭୋଜି ପିଣ୍ଡ, ଯାତ୍ରୀ ମାନଙ୍କ ସୁବିିଧା ପାଇଁ ଶୌଚାଳୟ, ପାନୀୟ ଜଳ, ବୈଦୁତି କରଣ ଭଲି ଅନେକ ବ୍ୟବସ୍ଥା କରିବା ପାଇଁ ଦାବି ହେଉଛି। ଏହି ସ୍ଥାନ ୨୦୦୭ ମସିହାରେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇ ସାରିଥିବାବେଳେ ପର୍ଯ୍ୟଟନ ବିଭାଗ ଓ ରାଜ୍ୟ ସରକାର ଏହାର ଉନ୍ନତି ପାଇଁ ୨ କୋଟି ଟଙ୍କା ପ୍ରଦାନ କରି ସାରିଛନ୍ତି। ତେବେ ବନ ବିଭାଗ ଦ୍ବାରା ବର୍ତ୍ତମାନ ଏହାର ଉନ୍ନତିକରଣ ଜାରି ରହିଛି। ତଥାପି ଏଠାରେ ଅନେକ ଉନ୍ନତି କାର୍ଯ୍ୟ ଆବଶ୍ୟକତା ରହିଛି। ପର୍ଯ୍ୟଟନ ବିଭାଗ ଏହାର ଉନ୍ନତି ଦିଗରେ ବ୍ୟାପକ ଦୃଷ୍ଟି ଦେବା ସହ ଏହାକୁ ଅଧିକ ଆକର୍ଷଣ କରାଯାଆନ୍ତା ତେବେ ଏହା ଅଧିକ ମନରୋମ ହୋଇ ପାରନ୍ତା ବୋଲି ଆଶା କରାଯାଉଛି। ଚଳିତବର୍ଷ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବାବେଳେ ସପ୍ତାହେ ହେବ ପର୍ଯ୍ୟଟକଙ୍କ ଆଗମନ ଆରମ୍ଭ ହେଲାଣି। ତେବେ ଡିସେମ୍ବର ୨୫ ତାରିଖରୁ ଏଠାରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ହେଉଥିବା ଦେଖିବାକୁ ମିଲୁଛି।