ଓଡ଼ିଆ ବାର୍ତ୍ତା/ ଭଦ୍ରକ: ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅଧିନସ୍ଥ ନିଳୋକ ଗ୍ରାମର ସଂଗ୍ରାମ କେଶରୀ ସେନାପତିଙ୍କୁ ୨୦୨୩ ମସିହା ପାଇଁ ଟାଇମ୍ପାସ୍ ପ୍ରକାଶନ ଦ୍ୱାରା ଆୟୋଜିତ ଉଦୟରାଗ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱର ସ୍ଥିତ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରଠାରେ ଆୟୋଜିତ ଉତ୍ସାହିତ୍ୟ କାର୍ଯ୍ୟକ୍ରମରେ ଉଦୟରାଗର ୫ମ ସଂସ୍କରଣର ଗଳ୍ପ ବିଭାଗରେ ସଂଗ୍ରାମଙ୍କୁ ଏହି ସମ୍ମାନ ମିଳିଛି । ଉକ୍ତ କାର୍ଯ୍ୟକ୍ରମରେ ଆୟୋଜକ ସରୋଜ ବଳ ଉତ୍ତରୀୟ ପ୍ରଦାନ କରିଥିଲେ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡ. ହୃଷିକେଶ ମଲ୍ଲିକ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ଏବଂ ଗୀତିକାର ବିଜୟ ମଲ୍ଲ ଏହି ସଭାର ଉଦ୍ଘୋଷକ ଥିଲେ । ଉଦୟ ସମ୍ମାନରେ ସମ୍ମାନିତ ୩୦ ଜଣ ନୂଆ ପ୍ରତିଭାଙ୍କୁ ସମ୍ମାନିତ କରାଯିବା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା, ଯେଉଁଥିରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ରାଜେଂଦ୍ର କେଶୋର ପଂଡା ଓ ଡ. ଆଶୁତୋଷ ପରିଡ଼ାଙ୍କ ସହିତ କଥାଚିତ୍ର ଅଭିନେତା ସ୍ୱରାଜ ବାରିକ, ବି.ଏମ୍. ବୈଶାଳୀ, ସ୍ଥିତ ପଟ୍ଟନାୟକ, ଅନୁପମ ପଟ୍ଟନାୟକ ପ୍ରଭୃତି ଉପସ୍ଥିତ ଥିଲେ । ସୂଚନା ଥାଉକି ସଂଗ୍ରାମ ୨୦୧୮ ମସିହାରୁ ଶୁଭପଲ୍ଲବ ନାମକ ଏକ ଓଡ଼ିଆ ପତ୍ରିକାର ପ୍ରତିଷ୍ଠା କରିବା ସହିତ ଏହାର ସମ୍ପାଦକ ଭାବରେ କାର୍ଯ୍ୟ କରୁଛନ୍ତି । ଜଣେ ଲେଖକ ଭାବରେ ଧରିତ୍ରୀ, ନିତିଦିନ ଭଳି ଖବର କାଗଜରେ ତାଙ୍କ ଲେଖାଗୁଡ଼ିକ ପ୍ରକାଶ ପାଇଛି ଏବଂ ଆଗାମୀ ଦିନରେ ତାଙ୍କର ପ୍ରଥମ ଉପନ୍ୟାସ ‘କଲେଜ ଡାଏରୀ’ ପ୍ରକାଶ ପାଇବାକୁ ଯାଉଛି । ଓଡ଼ିଆ ଉଇକିପିଡ଼ିଆର ନିୟମିତ ଭାବରେ ଲେଖିବା ପାଇଁ ସଂଗ୍ରାମ ପୂର୍ବରୁ ଏକ ବିଶ୍ୱରେକର୍ଡ଼ କରିଛନ୍ତି, ଯାହାକି ତାଙ୍କୁ ଉଇକିମିଡ଼ିଆ ସମୁଦାୟରେ ପରିଚିତ କରାଇଛି ।