ଓଡ଼ିଆ ବାର୍ତ୍ତା/ ଇଶିକାବା: ଜାପାନରେ ଭୟଙ୍କର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ଥିବା ଜଣାଯାଇଛି । ଭୂମିକମ୍ପରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଭୂକମ୍ପ ସୋମବାର ସ୍ଥାନୀୟ ସମୟ ସନ୍ଧ୍ୟା ୪ଟା ୧୦ ମିନିଟରେ ହୋଇଛି । ଜାପାନର ଇଶିକାବା ପ୍ରାନ୍ତର ନୋଟୋ ପ୍ରାୟଦ୍ୱୀପରେ ୧୦ କିମି ଗଭୀରତାରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ପ୍ରଭାବରେ ବଡ ବଡ କୋଠାଘର ଭୁଶୁଡି ପଡିଥିବାବେଳେ ରାସ୍ତାରେ ବିରାଟ ଫାଟମାନ ଦେଖିବାକୁ ମିଳିଛି । ସୁନାମୀ ଚେତାବନୀ ଦିଆଯାଇଛି। ଜାପାନର ଉପକୂଳ ଇଲାକାରେ ରହୁଥିବା ଲୋକଙ୍କୁ ସେହି ସ୍ଥାନ ଛାଡି ଚାଲି ଯିବାକୁ କୁହାଯାଇଛି । ଭୂକମ୍ପ ସହ ମଧ୍ୟ ଜାପାନର ବାଜିମା ସହରରେ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ପରେ ନିଆଁ ଲାଗି ଯାଇଥିଲା । ଏହି ଘଟଣାରେ ୧୦୦ରୁ ଅଧିକ ଘର ଜଳିପୋଡି ପାଉଁଶ ହୋଇ ଯାଇଥିବା ଜଣାଯାଇଛି । ଏହି ଖବର ଏନଏଚକେ ୱର୍ଲ୍ଡ ପକ୍ଷରୁ ଦିଆଯାଇଛି ।
ପରମାଣୁ ପ୍ରାଧିକରଣ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଇଶିକାବା ପ୍ରାନ୍ତରେ ଶିକା ନ୍ୟୁକ୍ଲିୟର ପାୱାରରେ ଏକ ବିସ୍ଫୋରଣ ହୋଇଥିଲା ଏବଂ ଜଳିବାର ଗନ୍ଧ ଆସିଥିଲା । ଟ୍ରାନ୍ସଫର୍ମର ଫେଲ ହୋଇଥିବା ଅନୁମାନ କରାଯାଉଥିଲା । ଯାହା ବି ହେଉ, ଏହି ବିସ୍ଫୋରଣ ପରେ ଭୂକମ୍ପ ପ୍ରଭାବିତ ଇଲାକାରେ ମୋବାଇଲ ସେବା ପ୍ରଭାବିତ ହୋଇଛି । ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାମ ଜାରି ରହିଛି । ସୁନାମୀ ବିପଦ ରହିଥିବାରୁ ଜାପାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏକ ଜରୁରୀକାଳୀନ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି।