ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦାଦନ ଖଟିବାକୁ ଯାଇ ଘରକୁ ଫେରିବା ବାଟରେ ହଠାତ୍ କୁଆଡ଼େ ନିଖୋଜ ହୋଇଗଲେ ଯୁବକ। ଆଜିକୁ ୧୦ ଦିନ ବିତିଗଲାଣି, ନା ମିଳୁଛି ପୁଅର ଖୋଜଖବର,ନା ଘରକୁ ଫେରୁଛି ତାଙ୍କ ପୁଅ। ପୁଅର ଅପେକ୍ଷାରେ ମାଆଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ପରିବାରର ପ୍ରତିଟି ଦିନ ଅସହ୍ୟ ଯନ୍ତ୍ରଣା ଓ ଆଶଙ୍କା ମଧ୍ୟରେ କଟୁଛି।ଏହାକୁ ନେଇ ପରିବାର ପକ୍ଷରୁ ଥାନାର ଦ୍ବାରସ୍ତ ହୋଇଥିବା ବେଳେ ଆଧାର କାର୍ଡ ନଥିବାରୁ ଥାନାରେ ଅଭିଯୋଗ ଗ୍ରହଣ କରିନଥିବା ପରିବାର ପକ୍ଷରୁ ସୂଚନା ମିଳିଛି।ଏଭଳି ଏକ ହୃଦୟବିଦାରକ ଘଟଣା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ଥାନା ଅଧୀନ ଲାଖବାହାଲି ପଞ୍ଚାୟତର ସିର୍କ୍ରିଝୋଲା ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ୨୫ ବର୍ଷୀୟ ଯୁବକ ଶାର୍ସ ମାଝୀ କିଛି ମାସ ପୂର୍ବେ ପରିବାର ପ୍ରତିପୋଷଣ ଆଶାରେ କେରଳକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ସେଠାରେ କିଛି ମାସ କାମ କରିବା ପରେ ଘରକୁ ଫେରୁଥିବା ସମୟରେ ବିଜୟୱାଡ଼ା ରେଳ ଷ୍ଟେସନରେ ଓହ୍ଲାଇଥିଲେ। ହେଲେ ସେଠାରୁ ସେ କେଉଁଆଡ଼େ ନିଖୋଜ ହୋଇଯାଇଥିବା ପରିବାର ପକ୍ଷରୁ ଜଣାପଡ଼ିଛି। ନିଖୋଜ ହେବାର ୧୦ଦିନ ବିତିଯାଇଥିଲେ ମଧ୍ୟ ଶାର୍ସଙ୍କ କୌଣସି ସନ୍ଧାନ ମିଳିପାରିନାହିଁ। ପରିବାର ଲୋକେ ତାଙ୍କ ଫେରିବା ବାଟକୁ ଚାହିଁ ବସିଥିବା ବେଳେ ପ୍ରତିଟି ଫୋନ୍ କଲ୍ରେ ପୁଅର ଖବର ମିଳିବ ବୋଲି ଆଶା ବାନ୍ଧି ରହିଛନ୍ତି। ଶେଷରେ ଅନ୍ୟ କୌଣସି ଉପାୟ ନପାଇ ପରିବାର ଲୋକେ ବିଜେପୁର ଥାନାକୁ ଯାଇ ଏକ ଲିଖିତ ଅଭିଯୋଗ କରିବାକୁ ଉଦ୍ୟମ କରିଥିଲେ। ହେଲେ ନିଖୋଜ ଯୁବକଙ୍କ ଆଧାର କାର୍ଡ ନଥିବାରୁ ଅଭିଯୋଗ ଗ୍ରହଣ କରାଯାଇପାରିବ ନାହିଁ ବୋଲି ଥାନା ପକ୍ଷରୁ କୁହାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଫଳରେ ନିରାଶ ହୋଇ ପରିବାର ସଦସ୍ୟମାନେ ଘରକୁ ଫେରି ଆସିଥିବା ଜଣାପଡ଼ିଛି।ଜଣେ ଯୁବକ ଦୀର୍ଘ ୧୦ ଦିନ ଧରି ନିଖୋଜ ଥିବାବେଳେ ତାଙ୍କ ପରିବାର ଲୋକେ ଗଭୀର ଚିନ୍ତା ଓ ଦୁଃଖରେ ଦିନ କାଟୁଛନ୍ତି। ଏଭଳି ସ୍ଥିତିରେ ଆଧାର କାର୍ଡ ନଥିବା କାରଣରୁ ଅଭିଯୋଗ ଗ୍ରହଣ ନହେବା ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଜଣେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ପ୍ରଥମେ ତାଙ୍କ ପରିବାରକୁ ନ୍ୟାୟ ଓ ସହଯୋଗ ମିଳିବା ଜରୁରୀ। ତେଣୁ ନିଖୋଜ ଶାର୍ସ ମାଝୀଙ୍କୁ ତୁରନ୍ତ ଠାବ କରିବା ସହ ତାଙ୍କୁ ସୁରକ୍ଷିତ ଭାବେ ପରିବାର ନିକଟକୁ ଫେରାଇ ଆଣିବା ପାଇଁ ପୁଲିସ ପ୍ରଶାସନ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ତୁରନ୍ତ ହସ୍ତକ୍ଷେପ ଲୋଡ଼ିଛନ୍ତି ପରିବାରବର୍ଗ। ମାଆଙ୍କ ଆଖିର ଲୁହ କେବେ ଶୁଖିବ ଏବଂ ହଜିଯାଇଥିବା ପୁଅ କେବେ ଘରକୁ ଫେରିବ, ତାହାକୁ ନେଇ ଏବେ ସମସ୍ତଙ୍କ ଅପେକ୍ଷା।





