ନର୍ଲା, ଘଣ୍ଟମାଳ ଓ ମାଣ୍ଡେଲ ମଣ୍ଡିରେ ପଡି ରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ

ବିଜେପିର କଳାହାଣ୍ଡି ବନ୍ଦ ଓ ଡ୍ରାଇଭର ସଂଘର ଆନ୍ଦୋଳନ ପାଇଁ ଏଭଳି ଦୂରାବସ୍ଥା -ନର୍ଲା ଯୋଗାଣ ଅଧିକାରୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପ୍ୟାକ୍ସ ଅଧିନସ୍ଥ ନର୍ଲା ଧାନ ମଣ୍ଡି ଓ ନର୍ଲାର ଦୁଇ ଉପମଣ୍ଡି ମାଣ୍ଡେଲ ଓ ଘଣ୍ଟମାଳରେ ଗତ ୪ ଦିନରୁ ଉର୍ଦ୍ଧ୍ୱ ହୋଇଗଲାଣି ପଡି ରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ । ଚାଷୀ ଟୋକନ ପାଇ ମଣ୍ଡିକୁ ଆଣିଥିବା ଧାନ ଉଠିନପାରି ଟୋକନ ଖାରଜ ହେବାକୁ ଯାଉଥିବା ବେଳେ ଅଦ୍ୟାବଧି ଧାନ ଉଠିନଥିବାରୁ ଚିନ୍ତାରେ ରହିଛନ୍ତି ଚାଷୀ । ଉପମଣ୍ଡି ଘଣ୍ଟମାଳରେ ୮,୦୦୦ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ, ନର୍ଲାରେ ୭,୦୦୦ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଓ ମାଣ୍ଡେଲ ମଣ୍ଡିରେ ୬,୦୦୦ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଏଭଳି ମୋଟ ୨୧,୦୦୦ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ପରିମାଣର ଧାନ ବସ୍ତା ଗୁଡିକ ପଲିଥିନ ଢଙ୍କା ହୋଇ ପଡିରହିଛି । ଚାଷୀଙ୍କ ଧାନ କଟନୀ ଛଟନୀ, କପାର ଅଭାବୀ ବିକ୍ରୀ ଭଳି ସମସ୍ୟା ଗୁଡିକୁ ନେଇ ଶୁକ୍ରବାର ବିଜେପି ଅଖଚକ ଜାମ ଧାରଣା ଦେଇ ଆନ୍ଦୋଳନ କରି କଳାହାଣ୍ଡି ବନ୍ଦ କରିଥିଲା । ଶନିବାର ଡ୍ରାଇଭର ମହାସଙ୍ଘର ଡାକରାରେ ଷ୍ଟିୟରିଂ ଛାଡ ଆନ୍ଦୋଳନ, ନୂଆବର୍ଷ ଛୁଟି ଯୋଗୁଁ ଏଭଳି ସମସ୍ୟା ଉପୁଜିଛି ବୋଲି ନର୍ଲା ଯୋଗାଣ ଅଧିକାରୀ ଶିବ ମହାନ୍ତି ମତବ୍ୟକ୍ତ କରିଥିବା ବେଳେ ନର୍ଲା ପ୍ୟାକ୍ତ ସମ୍ପାଦକ ଲବକାନ୍ତ ସା କହିଛନ୍ତି ମଣ୍ଡି ଆରମ୍ଭ ହେବା ଦିନଠୁଁ ପ୍ରତିଦିନ ମଣ୍ଡି ରୁ ସମସ୍ତ ଧାନବସ୍ତା ଉଠୁଥିଲା । ଆଜି ମଧ୍ୟ ଟୋକନ ଲେପସ୍ ହେବାକୁ ଯାଉଥିବା ଚାଷୀଙ୍କ ଧାନ ପ୍ରଥମେ ଉଠାଣ ହୋଇଯିବ । ଗତକାଲି ସୁଦ୍ଧା ସମସ୍ତ ଧାନବସ୍ତା ଉଠିଯିବ । ବିଭିନ୍ନ ଷ୍ଟ୍ରାଇକ ସମସ୍ୟା ଯୋଗୁଁ ଏଭଳି ବ୍ୟତିକ୍ରମ ଦେଖାଦେଲା ବୋଲି ଶ୍ରୀ ସା ତାଙ୍କ ମତାମତରେ କହିଛନ୍ତି । କେବଳ ନର୍ଲାର ଏହି ତିନି ଗୋଟି ଧାନ ମଣ୍ଡି ବୋଲି ନୁହଁ । ନର୍ଲା ବ୍ଲକ ଅଧିନସ୍ଥ ୭ ଗୋଟି ପ୍ୟାକ୍ସ ଓ ଏହାର ଅଧିନସ୍ଥ ୧୭ ଗୋଟି ଉପମଣ୍ଡିରେ ହଜାର ହଜାର କ୍ୱିଣ୍ଟାଲ ଧାନ ପଡିରହିଥିବା ଦେଖିବାକୁ ମିଳିଛି । ଏହାର ତୁରଂତ ଉଠାଣ ପାଇଁ ଚାଷୀମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.