ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): କେନ୍ଦ୍ର ସାହିତ୍ୟ ଏକାଡେମୀ ଓ କିସ୍ (ମାନିତ) ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ସାନ୍ତାଳୀ ଗୀତରେ ଧର୍ମୀୟ ଅବଧାରଣା ଶୀର୍ଷକ ଏକଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ l ସେ କହିଥିଲେ ଯେ, ସାନ୍ତାଳୀ ପାରମ୍ପରିକ ଗୀତରେ ପ୍ରକୃତି, ସଂସ୍କୃତି, ଜୀବନ ଦର୍ଶନ ଏବଂ ଆଧ୍ୟାତ୍ମିକତା ଭରି ରହିଛି l ଏଥିରେ ବିଶିଷ୍ଟ ସାନ୍ତାଳୀ ଲେଖକ ଗଙ୍ଗାଧର ହାଁସଦା ସଭାପତିତ୍ୱ କରିଥିବା ବେଳେ ପ୍ରାରମ୍ଭିକ ସୂଚନା ଦେଇଥିଲେ ସାନ୍ତାଳୀ ଉପଦେଷ୍ଟା ମଣ୍ଡଳୀର ଆବାହକ ଚୈତନ୍ୟ ପ୍ରସାଦ ମାଝୀ l ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ କିସ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରା l ମୂଳ ଭାଷଣ ପ୍ରଦାନ କରିଥିଲେ ପ୍ରଫେସର ନାକୁ ହାଁସଦା l ଧନ୍ୟଵାଦ ଅର୍ପଣ କରିଥିଲେ କିସ୍ ବିଶ୍ୱବିଦ୍ୟାଳୟର ଉପ ନିର୍ଦ୍ଦେଶକ କାଡ଼େ ସୋରେନ l ଅନ୍ୟ ଦୁଇଟି ଅଧିବେଶନରେ ବିଶିଷ୍ଟ କବି ଭୁଜଙ୍ଗ ଟୁଡୁ ଓ ରୂପଚନ୍ଦ ହାଁସଦାଙ୍କ ସଭାପତିତ୍ୱରେ ପ୍ରବନ୍ଧ ଉପସ୍ଥାପନ କରିଥିଲେ ଯତୀନ୍ଦ୍ରନାଥ ବେଶ୍ରା, ଶୁକଚନ୍ଦ ସୋରେନ, ସିଦ୍ଧିଲାଲ ମୁର୍ମୁ, ଧନେଶ୍ୱର ମାଝୀ, ଅଞ୍ଜନ କର୍ମକାର ଏବଂ ଲାଲଚାନ୍ଦ ସୋରେନ l କାର୍ଯ୍ୟକ୍ରମ ଆରମ୍ଭରେ କିସ୍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଓଡିଶା, ଝାଡ଼ଖଣ୍ଡ ଏବଂ ପଶ୍ଚିମଵଙ୍ଗର ସାନ୍ତାଳୀ ଲେଖକ ଓ ଗବେଷକ ମାନେ ଯୋଗ ଦେଇଥିଲେ l