ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଓଡ଼ିଶା ସରକାରଙ୍କ ମୋ ସ୍କୁଲ ପରିଚାଳନା ସଙ୍ଗଠନ ତରଫରୁ ଚଳିତ ବର୍ଷ ମୂଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା ଅଧୀନରେ ସମଗ୍ର ଓଡ଼ିଶାର ୨୭୧୧୮ ପ୍ରାଥମିକ ଓ ୪୩୦୪୩ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ରୁ ୫୦ ଟି ବିଦ୍ୟାଳୟ,୫୦ ଜଣ ପ୍ରଧାନ ଶିକ୍ଷକ,୪ ଜଣ ଜିଲ୍ଲା ଶିକ୍ଷା ଅଧିକାରୀ,୬ ଜଣ ଗୋଷ୍ଟି ଶିକ୍ଷା ଅଧିକାରୀ,୫୮ ଜଣ ସି ଆର ସି ସି ଓ ବିଭିନ୍ନ ବର୍ଗର ପୁରସ୍କାର ପାଇବେ। ଆସନ୍ତା କାଲି ବୁଧବାର ଏହି କାର୍ଯ୍ୟକ୍ରମ ମହାସମାରୋହର ସହିତ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ। ତେବେ ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ସର୍ବ ମୋଟ ୯୯ ଗୋଟି ପୁରସ୍କାର ହାତେଇଛି।
ସର୍ବ ଶ୍ରେଷ୍ଟ ଜିଲ୍ଲା ଶିକ୍ଷାଧିକାରୀ ଭାବେ କଳାହାଣ୍ଡି ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ କୁମାର ଚୋପଦାର ମନୋନୀତ ହୋଇଥିବା ବେଳେ ସର୍ବ ଶ୍ରେଷ୍ଟ ଗୋଷ୍ଟି ଶିକ୍ଷା ଅଧିକାରୀ ଭାବରେ ନର୍ଲା ବ୍ଲକ ଗୋଷ୍ଟୀ ଶିକ୍ଷା ଅଧିକାରୀ ତପିମନି ଜାନୀ ପୁରସ୍କୃତ ହେବେ। ଠିକ ସେହିଭଳି ରାଜ୍ୟର ୫୮ ଟି ସି ଆର ସି ସି ପୁରସ୍କାର ମଧ୍ୟରୁ କଳାହାଣ୍ଡି ଜିଲ୍ଲାରୁ ୨ ଜଣ ସି ଆର ସି ସି ରାଜ୍ୟ ପୁରସ୍କାର ପାଇଁ ଚୂଡ଼ାନ୍ତ ତାଲିକାରେ ରହିଛନ୍ତି। ଗୋଲାମୁଣ୍ଡା ବ୍ଲକ ସି ଆର ସି ସି ଅଜିତ ପଧାନ ଓ ଭବାନପାଟଣାର ମିନତୀ କୁମାରୀ ପ୍ରଧାନଙ୍କୁ ପୁରସ୍କାର ପ୍ରଦାନ କରାଯିବ।
କଳାହାଣ୍ଡିରୁ ୮ ଗୋଟି ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟ ରାଜ୍ୟ ସ୍ତରୀୟ ମୂଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପୁଟିଆଚୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଡୁମେରଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସୁରସୁରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହିଞ୍ଜିଳି ବାହିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୁଡ଼ିଆଲି ପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାଙ୍କ ପାଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ କାନର୍ଲା ପ୍ରାଥମିକ ବିଦ୍ୟାଳୟ କୁ ଶ୍ରେଷ୍ଟ ବିଦ୍ୟାଳୟ ଭାବେ ଟ ୫୦୦୦୦୦ ଲେଖାଏଁ ପ୍ରଦାନ କରାଯିବ।
ଠିକ ସେହି ଭଳି ରାଜ୍ୟ ସ୍ତରରେ ଉଚ୍ଚ ବିଦ୍ୟାଳୟରୁ ତିନି ଜଣ ଶିକ୍ଷକ ରାଜ୍ୟ ସ୍ତରରେ ପୁରସ୍କୃତ ହେବେ ସନ୍ତୋଷ କର, ବିରେନ୍ଦ୍ର ଆଚରି ଓ ଯୁଧିଷ୍ଟିର ମୁଦୁଲି।ଶ୍ରେଷ୍ଟ ବ୍ଲକ ଭାବେ କେସିଙ୍ଗାକୁ ପୁରସ୍କାର ପ୍ରଦାନ କରାଯିବ। ତେବେ ଜିଲ୍ଲା ସ୍ତର ଓ ରାଜ୍ୟ ସ୍ତର ରେ ସର୍ବ ମୋଟ ୯୯ ଟି ପୁରସ୍କାର କଳାହାଣ୍ଡି ଜିଲ୍ଲାକୁ ଆସିବା ନେଇ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।