ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣାଠାରେ ଓଡିଶା ପ୍ରଶାସନିକ ସେବାର ପରୀକ୍ଷା କେନ୍ଦ୍ର କରିବା ଦାବିରେ ଆଶାୟୀ ପରୀକ୍ଷାର୍ଥୀମାନେ ମହାମହିମ ରାଜ୍ୟପାଳଙ୍କ କଳାହାଣ୍ଡି ଗସ୍ତ ସମୟରେ ତାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବ୍ରହ୍ମର୍ଷି ନାଏକ ଯାଦବଙ୍କ ନେତୃତ୍ୱରେ ଲୋକେଶ ହଂସ, ଜ୍ୟୋତି ପ୍ରକାଶ ନାୟକ, ଥବୀର ବାଗ, ହେମରାଜ ଛତ୍ରିଆ, ସୁଧାଂଶୁ ସାହୁ, ଭାଗବତ ମାଝୀ, ହିତେଶ ବେହେରା ଏବଂ ଅନ୍ୟମାନେ ଶହ ଶହ ପରୀକ୍ଷାର୍ଥୀଙ୍କ ସ୍ୱାକ୍ଷର ସମ୍ବଳିତ ୧୨ ପୃଷ୍ଠା ବିଶିଷ୍ଟ ଦାବିପତ୍ର ପ୍ରଦାନ କରିଥିଲେ । ଅବିଭକ୍ତ କେବିକେ ଜିଲ୍ଲାରେ ଗୋଟିଏ ମଧ୍ୟ ପରୀକ୍ଷା କେନ୍ଦ୍ର ନ ଥିବାରୁ ଏହି ଅଞ୍ଚଳର ପରୀକ୍ଷାର୍ଥିମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଭବାନୀପାଟଣାଠାରୁ ସମ୍ବଲପୁରର ଦୂରତା ୨୫୦ କି.ମି. ଏବଂ ବ୍ରହ୍ମପୁର ପାଖାପାଖି ୨୯୦ କିଲୋମିଟର । ଯେହେତୁ ଭବାନୀପାଟଣା ଅବିଭକ୍ତ କେବିକେ ଅଂଚଳର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏବଂ ଏଠାରେ ସରକାରୀ ଓ ବେସରକାରୀ ବଡ଼ ବଡ଼ ଶିକ୍ଷାନୁଷ୍ଠାନ ବହୁତ ସଂଖ୍ୟାରେ ରହିଛି ଏଣୁ ଏହା ଉପରୋକ୍ତ ପରୀକ୍ଷା ଆୟୋଜନ କରିବା ପାଇଁ ଏକ ପ୍ରକୃଷ୍ଟ ସ୍ଥାନ । ଏଠାରେ ପରୀକ୍ଷା କେନ୍ଦ୍ର ହେଲେ ସ୍ଥାନୀୟ ପରୀକ୍ଷାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ନିକଟସ୍ଥ ଜିଲ୍ଲା ଯଥା – ନୂଆପଡ଼ା, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ମାଲକାନଗିରି, କନ୍ଧମାଳର କିଛି ଅଞ୍ଚଳ ଏବଂ ବଲାଙ୍ଗୀରର ଟିଟିଲାଗଡ଼ ସବଡିଭିଜନର ପରୀକ୍ଷାର୍ଥୀମାନଙ୍କ ପାଇଁ ପରୀକ୍ଷା କେନ୍ଦ୍ର ନିକଟ ହେବ l ଏହା ଦ୍ବାରା ଏହି ଅଞ୍ଚଳର ଭିନ୍ନକ୍ଷମ, ମହିଳା ଏବଂ ଗରିବ ଶ୍ରେଣୀର ପରୀକ୍ଷାର୍ଥୀମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ l ପୁନଶ୍ଚ ଏହିଠାରେ ପ୍ରତିଯୋଗୀତାମୂଳକ ପରିବେଶ ସୃଷ୍ଟି ହେବ ଏବଂ ଏହି ଅଞ୍ଚଳରୁ ଅଧିକରୁ ଅଧିକ ସଂଖ୍ୟକ ପରୀକ୍ଷାର୍ଥୀମାନେ ସଫଳ ହୋଇପାରିବେ ।