ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୩-୨୪ ନିମନ୍ତେ ଅନୁଷ୍ଠିତ ହେଲା ପ୍ରସ୍ତୁତି ବୈଠକ

ମାର୍ଚ୍ଚ ୨ରେ ବାଲେଶ୍ଵର ଠାରୁ ୯୭୦ ବରିଷ୍ଠ ତୀର୍ଥଯାତ୍ରୀ ଯାତ୍ରା କରିବେ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା- ୨୦୨୩-୨୪ ଅନୁଯାୟୀ ଜିଲ୍ଲାସ୍ତରରେ ବରିଷ୍ଠ ନାଗରିକମାନଙ୍କର ଚୟନ କରାଯାଇ ତୀର୍ଥଯାତ୍ରା ଆୟୋଜନ କରାଯାଉଅଛି I ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଆଦି ୫ ଟି ଜିଲ୍ଲାର ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ମାର୍ଚ୍ଚ ୨ ତାରିଖ ଦିନ ସକାଳ ପ୍ରାୟ ଘ. ୧୧.୩୦ ମି ସମୟରେ ବାଲେଶ୍ଵର ରେଳ ଷ୍ଟେସନ ଠାରୁ ଆଗ୍ରା-ମଥୁରା ଅଭିମୁଖେ ଯାତ୍ରା କରିବେ I ଏହି ଯୋଜନା ଅନ୍ତର୍ଗତ ୯୭୦ ଜଣ ବରିଷ୍ଠ ତୀର୍ଥଯାତ୍ରୀ ଓ ସମ୍ମିଳିତ ଜିଲ୍ଲାଗୁଡିକର ୩୦ ଜଣ ଏସ୍କର୍ଟ ଅଧିକାରୀ ରେଳ ବିଭାଗ ଯୋଗାଇଦେଉଥିବା ସ୍ୱତନ୍ତ୍ର ରେଳ ଯୋଗେ ଯାତ୍ରା କରିବେ I

ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷ ଠାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା- ୨୦୨୩-୨୪ ନିମନ୍ତେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ନିଷ୍ପତ୍ତି ମୁତାବକ ଯାତ୍ରା ନିମନ୍ତେ ଚୟନ ହୋଇଥିବା ଯାତ୍ରୀମାନେ ମାର୍ଚ୍ଚ ୧ ତାରିଖରେ ଜିଲ୍ଲା ପ୍ରଶାସନର ସହାୟତାରେ ନିଜ ଗ୍ରାମରୁ ସଦର ମହକୁମା ଏବଂ ସେଠାରୁ ବାଲେଶ୍ୱରର ପଦ୍ମାବତୀ ପାର୍କକୁ ଅପରାହ୍ନ ଘ.୨ ଟା ସମୟରେ ଆସି ପହଞ୍ଚିବା ପରେ ସେଠାରେ ସେମାନଙ୍କର ପଞ୍ଜିକରଣ କରାଯାଇ ଭବ୍ୟ ସ୍ୱାଗତ କରାଯିବ I ଯାତ୍ରା ଦିନ ବାଲେଶ୍ୱର ଜିଲ୍ଲା ପ୍ରଶାସନ ବ୍ୟବସ୍ଥାରେ ତୀର୍ଥଯାତ୍ରୀମାନଙ୍କୁ ଷ୍ଟେସନ ଅଣାଯାଇ ପାରମ୍ପରିକ ନୃତ୍ୟ ବାଦ୍ୟ ମଧ୍ୟରେ ସେମାନଙ୍କର ବିଦାୟ କରାଯିବ I ଏହି ତୀର୍ଥଯାତ୍ରାର ଅବଧି ୫ ରାତ୍ରି ୬ ଦିନ ମଧ୍ୟରେ ସୀମିତ ଅଟେ I

ସୂଚନା ଯୋଗ୍ୟ ଯେ, ରାଜ୍ୟରେ ଆର୍ଥିକ ଅନଗ୍ରସର ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କର ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ ନିମନ୍ତେ ରାଜ୍ୟ ସରକାର ୨୦୧୬ ମସିହାରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରଣୟନ କରି ସେମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପ୍ରଦାନ କରିଆସୁଛନ୍ତି । ଏହି ଯୋଜନାରେ ୬୦ ରୁ ୭୫ ବର୍ଷ ବୟସ୍କ ନାଗରିକମାନଙ୍କୁ ଜାତି ଧର୍ମ ନିର୍ବିଶେଷରେ ଚୟନ କରାଯାଉଅଛି । ଏହି ଯୋଜନା ଅଧୀନରେ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ୧୦ଟି ଯାତ୍ରା ମଧ୍ୟରୁ ଏହା ହେଉଛି ଅନ୍ତିମ ଯାତ୍ରା I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.