ଫକୀରମୋହନ ବିଶ୍ବବିଦ୍ୟାଳୟରେ ପାଳିତ ହେଲା ଆନ୍ତର୍ଜାତିକ ମହିଳା ଦିବସ

ଛାତ୍ରୀମାନେ ସଂଗଠିତ ବାଇକ୍ ରାଲିରେ ପ୍ରଦର୍ଶନ କଲେ କଳାକୌଶଳ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): କର୍ମକ୍ଷେତ୍ରରେ ମହିଳାମାନଙ୍କୁ ସମାନୁପାତିକ ସମ୍ମାନ ଦେଇ ଆସୁଥିବା ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଶ୍ବବିଦ୍ୟାଳୟର ସ୍ନାତକ ପରିଷଦର ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକ, କୁଳସଚିବ କୁକୁମୀନା ଦାସ ଉପସ୍ଥିତ ହୋଇଥିଲେ। ଏଥିସହ ଆମନ୍ତ୍ରିତ ଅତିଥିମାନଙ୍କ ମଧ୍ଯରେ ଫକୀରମୋହନ ମେଡିକାଲ କଲେଜର କୁଳସଚିବ ଶ୍ରୀମତୀ ମନୋରମା ଭୂୟାଁ, ଆଇ ଏମ ଆଇ- ଭୁବନେଶ୍ବରର ପ୍ରଫେସର ଡ଼କ୍ଟର ସୁପ୍ରୀତି ମିଶ୍ର, ହରି ଗ୍ରୁପ ଅଫ କମ୍ପାନୀର ନିର୍ଦ୍ଦେଶିକା ଶ୍ରୀମତୀ ଅଲିଭା ଦାସ, ଇସିପି ଇଣ୍ଡଷ୍ଟ୍ରିଜ ଓ ଗ୍ଲେଜ୍ ଗ୍ରୁପର ନିର୍ଦ୍ଦେଶିକା ସୁପ୍ରୀତି ମିଶ୍ର ପ୍ରମୁଖ ଉପସ୍ଥିତ ହୋଇ ଏହି ବର୍ଷ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୪ ର ବିଷୟବସ୍ତୁ ‘ଇନଭେଷ୍ଟ ଇନ୍ ଓମେନ : ଆକ୍ସିଲରେଟ ପ୍ରୋଗ୍ରେସ’ (ମହିଳା ମାନଙ୍କ ଠାରେ ବିନିଯୋଗ: ତ୍ୱରାନ୍ୱିତ ପ୍ରଗତି) ସଂପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଜର ଉଦବୋଧନରେ ଉଲ୍ଲେଖ କରିଥିଲେ। ଏହି ଅବସରରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ବିଶ୍ବବିଦ୍ୟାଳୟର ସମସ୍ତ ମହିଳା ସହକର୍ମୀ, କର୍ମଚାରୀ ଓ ଛାତ୍ରୀମାନଙ୍କୁ ବିଶେଷ ସମ୍ମାନସ୍ପଦ ବାର୍ତ୍ତା ପ୍ରଦାନ କରିଥିଲେ। ମହିଳା ସୁରକ୍ଷା, ସଶକ୍ତୀକରଣ, ଓ ସମୃଦ୍ଧିର ଏକ ନୂତନ ଭାବଧାରା ସୃଷ୍ଟି ଓ ସମ୍ପର୍ଣ୍ଣ ଦିଗରେ ସମାଜ ସଚେତନ ହେଉଛି ତଥା ଏଥି ନେଇ ସମସ୍ତେ ଆତ୍ମବିଶ୍ୱାସ ସହ ଆଗେଇଯିବା ପାଇଁ ଉତ୍ସାହିତ କରିଥିଲେ। ପ୍ରଫେସର ଡ଼କ୍ଟର ସୁପ୍ରୀତି ମିଶ୍ର, ମହିଳାଙ୍କୁ ନିଜର ସ୍ବତନ୍ତ୍ର ପରିଚୟ ଗଠନ ଓ ସମସାମୟିକ ଜୀବନରେ ନିଜର ସଶକ୍ତିକରଣ ଦାୟିତ୍ବ ନେବା ଆବଶ୍ୟକ ବୋଲି ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ।

ମହିଳା ଶକ୍ତିର ପ୍ରତୀକ, ଏହି ବାର୍ତ୍ତା ନେଇ ବିଶ୍ବବିଦ୍ୟାଳୟର ଅଧ୍ୟାପିକା ଜିନା ପ୍ରିୟଙ୍କା, ରଶ୍ମିରେଖା ରାଉତଙ୍କ ନେତୃତ୍ବରେ ଛାତ୍ରୀମାନଙ୍କ ସହ ଏକ ସଂଗଠିତ ବାଇକ ରାଲିର ଆୟୋଜନ ହୋଇଥିଲା। ଏଥିସହିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଲାଭ କରିଥିବା ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସନ୍ଧ୍ଯାକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ଅଧ୍ୟାପିକା ଓ ଅଣଶିକ୍ଷକ ମହିଳା କର୍ମଚାରୀଙ୍କ ପ୍ରଯୋଜିତ ଓଡ଼ିଶୀନୃତ୍ୟ, ସଂଗୀତ, କ୍ଷୁଦ୍ର ନାଟକ, କ୍ଷୁଦ୍ରଗଳ୍ପ ପଠନ, ନାଚ, ଫେସନ ସୋ ଆଦି ପରିବେଷଣ କରାଯାଇଥିଲା। ବିଶ୍ବବିଦ୍ୟାଳୟର ସମସ୍ତ ବିଭାଗ ମୂଖ୍ଯ, ଅଣଶିକ୍ଷକ କର୍ମଚାରୀଙ୍କ ସହ ଛାତ୍ରଛାତ୍ରୀମାନଙ୍କର ଉପସ୍ଥିତି କାର୍ଯ୍ୟକ୍ରମକୁ ସଫଳ କରିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.