କ୍ୟାପଟେନ ଦିବ୍ୟଶଙ୍କର ଓ ନର୍ଲା ଭଣଜା ପ୍ରସଙ୍ଗ

ଯେ କୌଣସି ନିର୍ବାଚନ ଅନୁଷ୍ଠିତ ହେବା ପୂର୍ବରୁ ଚା ଖଟି, ଛକ ଓ ଗାଁ/ସହରର ମୁଖ୍ୟ ସ୍ଥାନ ମାନଙ୍କରେ ରାଜନୈତିକ ଚର୍ଚ୍ଚା ଆଲୋଚନା ଜୋରଦାର ହେବା ଏକ ସ୍ବଭାବିକ ପ୍ରକ୍ରିୟା। ଏଥିରେ କେତେ ସତ ତ କେତେ ଅର୍ଦ୍ଧ ସତ୍ୟ ପୁଣି କେତେ ମନଗଢା କଥା ରହିଥାଏ କିନ୍ତୁ ଏହା ରାଜନୈତିକ ପାଣିପାଗକୁ ନୂତନ ଦିଗନ୍ତ ଦେଖାଇବାରେ ସକ୍ଷମ ହୋଇଥାଏ। ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ନେଇ ଏବେ ସାରା ରାଜ୍ୟର ରାଜନୈତିକ ପାଣିପାଗ ସରଗରମ ରହିଛି। କିଏ କେଉଁ ଆସନରୁ ଟିକଟ ପାଇ ପାରନ୍ତି, କେଉଁ ଆସନରେ କେଉଁ ଦଳର ପଲ୍ଲା ଭାରି ରହିବ ଏମିତି ଆଲୋଚନା ଭିତରେ ଚା ଖଟିରେ ଚାଲିଛି ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ଚର୍ଚ୍ଚା। କଳାହାଣ୍ଡି ଜିଲ୍ଲାର ଏକ ଗୁରୁତ୍ବପୂର୍ଣ୍ଣ ଆସନ ନର୍ଲାରେ ଗତ ୨୦୧୪ ଓ ୨୦୧୯ ନିର୍ବାଚନ ପୂର୍ବରୁ ସ୍ଥାନୀୟ ପ୍ରାର୍ଥୀତ୍ଵ ପ୍ରସଙ୍ଗ ଜୋରଦାର ହୋଇଥିଲା। ସାଧାରଣ ଜନତା ନର୍ଲାର ଲୋକାଲ ନେତାଙ୍କୁ ଟିକଟ ଦେବାପାଇଁ ଦାବି କରିଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ବିଜେଡ଼ି, ବିଜେପି ଓ କଂଗ୍ରେସ କେହି ମଧ୍ୟ ସ୍ଥାନୀୟ ପ୍ରାର୍ଥୀଙ୍କୁ ଟିକଟ ନଦେଇ ବହିରାଗତ ନେତାଙ୍କୁ ଆଣି ନର୍ଲାରେ ଛିଡ଼ା କରାଇଲେ। ସେମାନଙ୍କ ମଧ୍ୟରୁ ବିଜେଡ଼ି ପ୍ରାର୍ଥୀ ଭୁପିନ୍ଦର ସିଂ ବିଜୟୀ ହୋଇ ନର୍ଲା ବିଧାୟକ ହେଲେ। ଏବେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ନର୍ଲାରେ ସ୍ଥାନୀୟ ପ୍ରାର୍ଥୀତ୍ଵ ପ୍ରସଙ୍ଗ ଜୋର ଧରିଛି। ଦଳମତ ନିର୍ବିଶେଷରେ ସମସ୍ତେ ଲୋକାଲ ନେତାଙ୍କୁ ଟିକଟ ଦେବାପାଇଁ ଦାବି କରୁଛନ୍ତି। ସ୍ଥାନୀୟ ମହିଳା ପ୍ରାର୍ଥୀତ୍ଵ କଥା ମଧ୍ୟ ଉଠିଛି।

Omkar Vasthu
Omkar Vasthu

ନର୍ଲା ନିର୍ବାଚନ ମଣ୍ଡଳୀରେ ଲଢେଇ କରିବାକୁ ଅନେକ ହେବିଓ୍ବେଟ ନେତାଙ୍କ ନାଁ ଚର୍ଚ୍ଚାର ପରିସରକୁ ଆସିଛି। କେବେ ମୁଖ୍ୟମନ୍ତ୍ରୀଙ୍କ ନାଁ ଆସୁଛି ତ କେବେ ବିଜେଡ଼ିର ସଂଗଠନ ସମ୍ପାଦକଙ୍କ ନାମ ଆସୁଛି। ଏହି ଆସନରେ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ସ୍ଥାନୀୟ ପ୍ରାର୍ଥୀତ୍ଵ ଦାବିକୁ ଅଣଦେଖା କରି ଆସୁଛନ୍ତି। ୨୦୨୪ ନିର୍ବାଚନରେ କେଉଁ ଦଳ ସ୍ଥାନୀୟ ପ୍ରାର୍ଥୀଙ୍କୁ ଟିକଟ ଦେବେ ନାଁ ଗତ ନିର୍ବାଚନ ପରି ବହିରାଗତ ନେତା ଆସି ନର୍ଲାରେ ଖେଳ କରିବେ ତାହାକୁ ନେଇ ଗାଁ ଗାଁ, ଗଳି କନ୍ଦିରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ଏହାରି ଭିତରେ ନର୍ଲା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଛିଡ଼ା କରିପାରେ ବୋଲି ଆଲୋଚନା ହେଉଛି। କ୍ୟାପଟେନ ଦିବ୍ୟଶଙ୍କର ବର୍ତ୍ତମାନ ଜୁନାଗଡ଼ ବିଧାୟକ ଥିବାବେଳେ ପୂର୍ବରୁ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ। ସେ ହଟାତ ଜୁନାଗଡ଼କୁ ଛାଡ଼ି ନର୍ଲାକୁ କାହିଁକି ଆସିବେ ସେନେଇ ମଧ୍ୟ ଚର୍ଚ୍ଚା ହେଉଛି।

Pearl dental clinic
Near Ashish Medical Store, Bhawanipatna

ବିଗତ ଦଶବର୍ଷ ମଧ୍ୟରେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ପ୍ରଭୃତ ବିକାଶ କରାଇବାରେ ସଫଳ ହୋଇଛନ୍ତି। ତେଲ ନଦୀରେ ୭ଟା ବ୍ରିଜ, ହାତୀ ନଦୀରେ ୪ଟା ବ୍ରିଜ, ଉଦନ୍ତି ନଦୀରେ ୪ଟା ବ୍ରିଜ ଓ ଶଗଡ଼ା ନଦୀରେ ୨ଟା ବ୍ରିଜ ନିର୍ମାଣ ହୋଇ ଗମନାଗମନ କ୍ଷେତ୍ର ସୁଗମ ହୋଇଛି। ନୂତନ ପିଡବ୍ଲୁଡି ରାସ୍ତା, ନୂତନ ବିଜୁ ଏକ୍ସପ୍ରେସ ଓ୍ବେ ଆଦି ନିର୍ମିତ ହୋଇଛି। ଜୁନାଗଡ଼ ଓ ଗୋଲାମୁଣ୍ଡାରେ ଇଣ୍ଡଷ୍ଟ୍ରିଆଲ ପାର୍କ ସ୍ଥାପନ, ସୁଷ୍କ ଅଞ୍ଚଳ ପାଇଁ ମେଗା ଲିପ୍ଟ ପରିଯୋଜନା, କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ଜଳ ସଂସାଧନ, ଅନେକ ଗ୍ରାମଦେବାଦେବୀ ପୀଠ ଓ ମଠ ମନ୍ଦିରର ପୁନଃରୁଦ୍ଧାର, ଅଢେଇ କୋଟି ଟଙ୍କାରେ ଲଙ୍କେଶ୍ୱରୀ ପୀଠର ରୂପାନ୍ତରଣ, ଡବ୍ଲୁଓଡ଼ିସି ପକ୍ଷରୁ ଜାତୀୟ ସ୍ତରୀୟ ବିଜୁ ପଟ୍ଟନାୟକ ଷ୍ଟାଡିୟମ ନିର୍ମାଣ, ସମସ୍ତ ପିଏଚସି ଓ ସିଏଚସିର ରୁପାନ୍ତରଣ, ଗାଁକୁ ବିଜୁଳି ଓ ପାନୀୟଜଳ ସୁବିଧା ଆଦି ଅନେକ କାର୍ଯ୍ୟ କ୍ୟାପଟେନଙ୍କ ଅମଳରେ ହୋଇଛି। ଜୁନାଗଡ଼ରୁ ବାଙ୍ଗଲାଦେଶକୁ କପା ରପ୍ତାନୀ ମଧ୍ୟ ଏକ ବିରାଟ ସଫଳତା ବୋଲି କୁହାଯାଉଛି। ଜୁନାଗଡ଼ ବିଧାୟକ କ୍ୟାପଟେନ ମିଶ୍ର ଜନସାଧାରଣଙ୍କ ସୁଖ ଦୁଃଖରେ ମଧ୍ୟ ସାମିଲ ହୋଇ ଆସୁଛନ୍ତି। ନିଜ ନିର୍ବାଚନ ମଣ୍ଡଳୀକୁ ଏପରି ସୁନ୍ଦର ଭାବେ ଗଢ଼ି ତୋଲିଥିବା ବିଧାୟକ କାହିଁକି ହଠାତ୍ ଜୁନାଗଡ଼ ଛାଡ଼ି ନର୍ଲା ଆସିବେ ବୋଲି ଆଲୋଚନା ହେଉଛି। ଏହାରି ଭିତିରି ରହସ୍ୟ କ’ଣ ତାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼।

Udyog Nursery
Udyogi Nursery

ନର୍ଲା ହେଉଛି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ମାମୁଁ ଘର। ମାମୁଁ ଘର ପ୍ରତି ସମସ୍ତ ଭଣଜାଙ୍କ ପ୍ରିତି ରହିଥାଏ। ସମୟ ପାଇଲେ ମାମୁଁ ଘର ପଟେ ଘେରାଏ ବୁଲିଦେଇ ଆସିଲେ ମନ ପ୍ରଫୁଲ୍ଲିତ ହୋଇଯାଏ। ଅକାଳେ ସକାଳେ ମାମୁଁ ଘରକୁ ଭଣଜା ଗଲେ କୁଣିଆ ମାଏନତା ପାଏ। ତେବେ ଜୁନାଗଡ଼ରେ ନିଜ ଦୁର୍ଗକୁ ମଜଭୁତ କରି ରଖିଥିବା କ୍ୟାପଟେନ କାହିଁକି ମାମୁଁ ଘର ମୁହାଁ ହେଉଛନ୍ତି ତାହା ଅସ୍ପଷ୍ଟ ରହିଛି। ଅନେକ ବିକାଶମୂଳକ କାମ ପରେ ମଧ୍ୟ କୌଣସି ଏକ ବିଶେଷ କାରଣ ପାଇଁ ସେ ଜୁନାଗଡ଼ରେ ହାରିଯିବାର ସମ୍ଭାବନା ରହିଛି ବୋଲି ଆଲୋଚନା ହେଉଛି। ତେବେ ବିଜେଡ଼ି ଟିକଟ ପାଇଲେ ମଧ୍ୟ ନର୍ଲା କ୍ୟାପଟେନଙ୍କ ପାଇଁ ଏତେ ସହଜ ହେବନାହିଁ। ଏପଟେ ନର୍ଲା ନିର୍ବାଚନ ମଣ୍ଡଳୀ ରାଜନୈତିକ ବ୍ୟକ୍ତିବିଶେଷ ମାନଙ୍କ ପାଇଁ ଏକ ପ୍ରୟୋଗଶାଳା ପାଲଟିଛି କହିଲେ ଅତ୍ୟୁକ୍ତି ହେବନାହିଁ। ନର୍ଲାରେ ସ୍ଥାନୀୟ ପ୍ରାର୍ଥୀତ୍ଵ ପ୍ରସଙ୍ଗ ଜୋର ଧରିଥିବାବେଳେ ଚଳିତ ନିର୍ବାଚନରେ ଏହାକୁ ଯେଉଁ ଦଳ ଗୁରୁତ୍ବ ଦେବ ସେହି ଦଳ ନିର୍ବାଚନ ବୈତରଣୀ ପାର ହୋଇ ପାରିବ ବୋଲି ଚର୍ଚ୍ଚା ହେଉଛି। ଅର୍ଥାତ୍ ନର୍ଲାରେ ବିଜେଡ଼ି ଯଦି ସ୍ଥାନୀୟ ପ୍ରାର୍ଥୀ ମାନଙ୍କ ମଧ୍ୟରୁ କାହାକୁ ବି ଟିକଟ ନଦିଏ ତେବେ ଦୁର୍ଗ ପତନ ହୋଇପାରେ। ଲୋକଙ୍କ କଥା ହେଲା ‘ପିଲା ଆଗେ, ଭଞ୍ଜା ପଛେ’। ‘ପିଲା ସିନା ମାଁ ବୁଆର କଥା ବୁଝସି, ଭଞ୍ଜା ତ ପାଏନ୍ ଗୋଡେକର ଲୋକ୍’। ସ୍ଥାନୀୟ ଅଞ୍ଚଳର କେତେକ ନେତୃ ସ୍ଥାନୀୟ ବ୍ୟକ୍ତି ନାମ ଗୋପନ ସର୍ତ୍ତରେ କହିଛନ୍ତି – କ୍ୟାପଟେନ ଯଦି ନର୍ଲାରେ ଭଣଜା ଭାଗ ଚାହୁଁଛନ୍ତି ତେବେ ମମିତା ରଥ ଘାଇଁ ଘାଇଁ ହୋଇ ଘୁରିବ। ତେବେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କେଉଁ ଆସନରୁ ଲଢ଼ିବେ କି ଲଢ଼ିବେ ନାହିଁ ସେନେଇ ଦଳ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୈାଣସି ସୂଚନା ଦିଆ ଯାଇନାହିଁ। ଯାହାବି ଚର୍ଚ୍ଚା ହେଉଛି ତାହା ଚାହା ଖଟିର ଚର୍ଚ୍ଚା। ଅନ୍ୟପକ୍ଷରେ ୨୦୨୪ ନିର୍ବାଚନ ପାଖେଇ ଆସୁଛି, କ୍ୟାପଟେନ କେଉଁ ଆସନରୁ ପ୍ରତିଦ୍ବନ୍ଦିତା କରିବେ ତାହା ସମୟ କହିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.