ଅଂଶ ନେଲେ ନେପାଳ, ଶ୍ରୀଲଙ୍କା, ବାଂଲାଦେଶ, ବ୍ରାଜିଲ, ଇଣ୍ଡୋନେସିଆ, ମିଆଁମାର ଏବଂ ଭାରତରୁ ୩୦୦+ ପ୍ରତିନିଧି
ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ଭୂଗୋଳ ବିଭାଗ ଦ୍ବାରା ଆୟୋଜିତ ତଥା ଜଳବାୟୁ ରେସିଲିଏଣ୍ଟ୍ ପର୍ଯ୍ୟବେକ୍ଷଣ-ସିଷ୍ଟମ୍ ପ୍ରମୋସନ୍ କାଉନସିଲ୍ (ସି.ଆର.ଓ.ପି.ସି) ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ସହଯୋଗରେ ଏକ ତିନିଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି। ୨୦ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀର ମୁଖ୍ଯ ପ୍ରସଙ୍ଗ ‘ବଜ୍ରପାତ ବିଜ୍ଞାନ ଏବଂ ନିରାପତ୍ତା ମାପ: ମନିଟରିଂ, ମିଟିଗେସନ୍ ଏବଂ ଦକ୍ଷିଣ ଏସିଆରେ ଶେଷ ମାଇଲ୍ ସଂଯୋଗ’ (ଏ ଏଲ ଏସ ଏ ଏସ ଏମ – ୨୦୨୪) ରଖାଯାଇଛି।
ଉଦଘାଟନୀ ସମାରୋହରେ ନେପାଳ, ଶ୍ରୀଲଙ୍କା, ବାଂଲାଦେଶ, ବ୍ରାଜିଲ, ଇଣ୍ଡୋନେସିଆ, ମିଆଁମାର, ଏବଂ ଭାରତରୁ ପ୍ରାୟ ୩୦୦ ରୁ ଅଧିକ ଅଂଶଗ୍ରହଣକାରୀ ଏକତ୍ରିତ ହୋଇଛନ୍ତି। ଏହି ସମ୍ମିଳନୀରେ ବିଜୁଳି-ଘଡଘଡି ବିପର୍ଯ୍ୟୟ ବିଷୟରେ ସଚେତନତା ସୃଷ୍ଟି କରିବା, ବଜ୍ରପାତ ଜନିତ ମୃତ୍ୟୁକୁ କମ୍ କରିବା ଏବଂ ବିଭିନ୍ନ ଗୋଷ୍ଠୀର ପାଖରେ ସଚେତନତାର ବାର୍ତ୍ତା ପହଞ୍ଚାଇବା ସହିତ ପରିସ୍ଥତି ବେଳେ ଉପସ୍ଥିତ ବୁଦ୍ଧି ସହ ସଜାଗ ରହିବାକୁ ଅବଗତ କରାଯାଇଛି। ସମ୍ମିଳନୀର ଅତିଥି ଏବଂ ପ୍ରସଙ୍ଗଗୁଡିକ ଭୁଗୋଳ ବିଭାଗର ମୁଖ୍ଯ ଡକ୍ଟର ନିହାର ରଂଜନ ରାଉତ ବୁଝାଇଥିଲେ ଓ ସହ-ସଂଯୋଜକ ପ୍ରଫେସର ଡକ୍ଟର ମନୋରଂଜନ ମିଶ୍ର ଏହି ସମ୍ମିଳନୀର ପ୍ରମୁଖ ଉଦ୍ଦେଶ୍ୟ ଏବଂ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। ବିଶ୍ବବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଏହି ସମ୍ମିଳନୀର ଅଧ୍ୟକ୍ଷତା କରି ଅଂଶଗ୍ରହଣକାରୀଙ୍କୁ ସମ୍ବୋଧନ କରି କହିଥିଲେ ଯେ, ବଜ୍ରପାତ ଅଭିଶାପ ବୋଲି ଭାବୁଥିବା ଚିନ୍ତାଧାରାରୁ ବାହାରି ଏହାର ବିଜ୍ଞାନକୁ ବୁଝିବା ଏବଂ ପୁରାଣ ସହ ବିଜ୍ଞାନଭିତ୍ତିକ କାରଣକୁ ଗ୍ରହଣ କରିବାର କ୍ରାନ୍ତିକାରୀ ପରିବର୍ତ୍ତନକୁ ସାମ୍ପ୍ରତିକ ସମୟରେ ଚିହ୍ନଟ କରାଯାଇଛି ଏବଂ ଏହାର ସଚେତନତା ପ୍ରଭାବକୁ ଅଧିକାଂଶ ଗୋଷ୍ଠୀମାନଙ୍କ ପାଖରେ ପହଞ୍ଚାଇବାର ଉଦ୍ୟମ କରାଯିବାକୁ ମତପୋଷଣ କରିଛନ୍ତି। ଏଥିସହ ଉଦ୍ଘାଟନୀ ଅଧିବେଶନରେ ମାନ୍ୟଗଣ୍ୟ ବ୍ୟକ୍ତିମାନେ “ଦକ୍ଷିଣ ଏସୀୟ ଦେଶର ସମ୍ମିଳନୀ ସ୍ମରଣିକା” ଏବଂ “ବଜ୍ରପାତ ଆଟଲାସ୍” ନାମକ ଦୁଇଟି ପୁସ୍ତକ ଉନ୍ମୋଚନ କରିଥିଲେ। ବିଶ୍ବବିଦ୍ୟାଳୟର ସ୍ନାତକ ପରିଷଦର ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକ, ବଜ୍ରପାତ ବିଜ୍ଞାନ ସମ୍ପର୍କିତ ଧାରଣା ଦେବା ସହ ଏଥିସହ ଜଡ଼ିତ ବିପଦରୁ ସୁରକ୍ଷା ନେବା ବିଷୟରେ ଅବଗତ କରିଥିଲେ। ସି.ଆର.ଓ.ପି.ସି.ର ଚେୟାରମ୍ୟାନ୍ କର୍ଣ୍ଣଲ ସଞ୍ଜୟ ଶ୍ରୀବାସ୍ତବ ବଜ୍ରପାତ ବିଜ୍ଞାନ ଠାରୁ ନାଗରିକ ବିଜ୍ଞାନ ସହ ସଂଯୋଗ ଉପରେ ବିଚାର ବିମର୍ଶ କରିଛନ୍ତି ଏବଂ ବଜ୍ରପାତ ବିପକ୍ଷରେ ସୁରକ୍ଷା ବ୍ୟବସ୍ଥାକୁ ନିଜ ଉଦବୋଧନରେ ସୂଚିତ କରିଛନ୍ତି। ଡକ୍ଟର କେ ଜେ ରମେଶ (ପୂର୍ବତନ ଡିଜି, ଆଇଏମଡି, ନୂଆଦିଲ୍ଲୀ) ଏହି ଅଧିବେଶନର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବଜ୍ରପାତ ବିଜ୍ଞାନ ଉପରେ ନିଜର ଅଭିଜ୍ଞତା ଓ ପର୍ଯ୍ୟବେକ୍ଷଣ ବାଣ୍ଟିଥିଲେ ଏବଂ ଦେଶର ବହୁ ପ୍ରଭାବିତ ଅଞ୍ଚଳରେ ବଜ୍ରପାତର ପ୍ରଭାବ ହ୍ରାସ କରିବାରେ ବହୁ ବିଶିଷ୍ଟ ବୈଜ୍ଞାନିକ ତଥା ଅନୁସନ୍ଧାନକାରୀଙ୍କ ଅବଦାନକୁ ପ୍ରଶଂସା କରିଥିଲେ।
ଏହି ଅବସରରେ ନେପାଳର ଥିରୁଭାନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଶ୍ରୀରାମ ଶର୍ମା, କିପରି ବ୍ୟକ୍ତିଗତ ସ୍ତରରେ ମଧ୍ୟ ବଜ୍ରପାତ ବିଜ୍ଞାନକୁ ସମାଜ ତଥା ଲୋକଲୋଚନକୁ ଆଣିବାରେ ସକ୍ଷମ ହେଇପାରିବା ସେ ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ। ଫାକୀର ମୋହନ ବିଶ୍ୱବିଦ୍ୟାଳୟ ଏବଂ ସଲନେଟ ମଧ୍ୟରେ ସହଯୋଗ ପାଇଁ ସେ ଏକ ପ୍ରସ୍ତାବ ମଧ୍ୟ ପ୍ରଦାନ କରିଛନ୍ତି। ଟାଟା ଫାଉଣ୍ଡେସନ, ଓଡିଶା ସିଏସଆର ହେଡ ଅମ୍ବିକା ପ୍ରସାଦ ନନ୍ଦ ତାଙ୍କ ଅଭିଜ୍ଞତାକୁ ନିଜ ଅଭିଭାଷଣରେ ଉଲ୍ଲେଖ କରିଥିଲେ ଏବଂ ସାଇକ୍ଲୋଥନ, ବଜ୍ରପାତ ଏବଂ ସାପ କାମୁଡ଼ିବା ଭଳି କୌଣସି ପ୍ରକାର ବିପର୍ଯ୍ୟୟରୁ ନିଜକୁ ରକ୍ଷା କରିବା ପାଇଁ ବ୍ୟକ୍ତିବିଶେଷ ଓ ଗୋଷ୍ଠୀଗୁଡ଼ିକ ସଚେତନ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।
ମୂଖ୍ଯ ଅତିଥି ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ବଜ୍ରପାତ ବିଜ୍ଞାନ ଉପରେ ଧାରଣା, ଏହାର କାରଣ ଏବଂ ଏହାଠାରୁ ସୁରକ୍ଷିତ ରହିବାର ସଚେତନତାର ଜ୍ଞାନ ଆହରଣ ପ୍ରତି ପଦକ୍ଷେପ ନେବା ଉଚିତ ବୋଲି ଉଲ୍ଲେଖ କରିଛନ୍ତି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ତ୍ରିପାଠୀ ବଜ୍ରପାତ ବିଜ୍ଞାନରେ ଅବଦାନ ପାଇଁ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଅତିଥିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସମ୍ମିଳନୀର ଆୟୋଜକ ସେକ୍ରେଟେରି ଡ଼କ୍ଟର ରବି ନାରାୟଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଉଦଘାଟନୀ ସମାରୋହକୁ ଭୂଗୋଳ ବିଭାଗର ସହକାରୀ ପ୍ରଫେସର ଡ଼କ୍ଟର ସସ୍ମିତା ରାଉତ ସଂଯୋଜନା କରିଥିଲେ। ଦ୍ୱିତୀୟ ଦିନର କାର୍ଯ୍ୟକ୍ରମରେ ଏକ ସ୍ଥାନୀୟ ଗୋଷ୍ଠୀଙ୍କ ସହ ବିଶେଷଜ୍ଞଗଣ ସହ ପାରସ୍ପରିକ ଆଲୋଚନାଚକ୍ରର କାର୍ଯ୍ୟକ୍ରମ ରହିଛି, ଯାହା ୨୧ତାରିଖ ରେ ଅନୁଷ୍ଠିତ ହେବ ଯେଉଁଠାରେ ଓଡିଶାର ବାଲେଶ୍ବର, ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାରେ ୧୦୦ ରୁ ଅଧିକ ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି ଆଶା କରାଯାଉଛି। ଏହା ପରେ ସ୍ଥାନୀୟ ଗୋଷ୍ଠୀ, ବିଦ୍ୟାଳୟ, ଏବଂ କଲେଜ ଛାତ୍ରମାନଙ୍କ ପାଇଁ ଏକ ପୋଷ୍ଟର ପ୍ରଦର୍ଶନୀ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି ଏବଂ ବିଜୁଳି ଜନିତ ବିପଦ ଏବଂ ସୁରକ୍ଷା ବ୍ୟବସ୍ଥା ବିଷୟରେ ଅଧିକ ସଚେତନତା ପାଇଁ ଏହାକୁ ଜନସାଧାରଣଙ୍କ ପାଇଁ ମଧ୍ଯ ପ୍ରସ୍ତୁତ କରାଯାଇଛି। ସମ୍ମିଳନୀର ତୃତୀୟ ତଥା ଶେଷ ଦିନ ୨୨ତାରିଖରେ, ହିତାଧିକାରୀଙ୍କ ସହ ପାରସ୍ପରିକ ଆଲୋଚନାଚକ୍ର, ବୁଦ୍ଧିଶିଳ୍ପ କାର୍ଯ୍ୟକ୍ରମ ଏବଂ ବଜ୍ରପାତରେ ଆହତଙ୍କ ସଂଖ୍ଯାକୁ ଶୂନ୍ଯ କରିବା ପାଇଁ ଏକ ନୀତିଗତ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ନେଇ ଲକ୍ଷ୍ୟ ରଖାଯାଇଛି ବୋଲି ବିଶ୍ଵବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।