ଫକୀରମୋହନ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହେଲା ଆନ୍ତର୍ଜାତିକ ମିଡ଼ିଆ କନକ୍ଲେଭ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ‘ଗଣମାଧ୍ୟମ, ରାଜନୀତି ଏବଂ ଗଣତନ୍ତ୍ର’କୁ ମୁଖ୍ଯ ପ୍ରସଙ୍ଗ ନେଇ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଏକ ଦୁଇଦିନିଆ ଆନ୍ତର୍ଜାତିକ ମିଡିଆ କନକ୍ଲେଭ୍ ଉଦଘାଟିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ନେତୃତ୍ବ ଓ ଅଧ୍ୟକ୍ଷତାରେ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା। ଏହି ଉତ୍ସବରେ ମୁଖ୍ଯ ସମ୍ମାନନୀୟ ଅତିଥି ଭାବେ ବଙ୍ଗଳାଦେଶର ପୂର୍ବତନ ମୁଖ୍ୟ ସୂଚନା କମିଶନର୍ ପ୍ରଫେସର ମହମ୍ମଦ ଗୁଲାମ ରେହମାନ ଉପସ୍ଥିତ ରହି ଉଦଘାଟନୀ ଉଦବୋଧନ ଦେଇଥିଲେ।

କାର୍ଯ୍ୟକ୍ରମର ପ୍ରଥମ ଦିନରେ କୁଳପତିଙ୍କ ସହ ପି.ଜି କାଉନସିଲର ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକ ଓ ୟୁନିଭରସିଟି ଅଫ ରାଜସ୍ଥାନର ଗଣଯୋଗାଯୋଗ କେନ୍ଦ୍ରର ପୂର୍ବତନ ମୁଖ୍ଯ ପ୍ରଫେସର ସଂଜୀବ ଭନୱାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ମୁଖ୍ଯବକ୍ତା ଭାବେ ଆସାମ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ତଥା ଗଣଯୋଗାଯୋଗ ବିଭାଗର ବରିଷ୍ଠ ପ୍ରଧ୍ୟାପକ ପ୍ରଫେସର କେ.ଭି ନାଗରାଜ ଓ ୟୁ.ଏସ୍. ସ୍ଥିତ ବୋଲିଙ୍ଗ ଗ୍ରୀନ ସ୍ଟେଟ ବିଶ୍ବବିଦ୍ୟାଳୟର ତତ୍ତ୍ବବାଦୀ ପ୍ରଫେସର ଶ୍ରୀନିବାସ ମେଲକୋଟ ଯୋଗ ଦେଇଥିଲେ। ଆମନ୍ତ୍ରିତ ପ୍ରମୁଖ ଅତିଥିମାନଙ୍କ ମଧ୍ଯରେ ନୂଆଦିଲ୍ଲୀ ସ୍ଥିତ ଜାମିଆ ମିଲିଆ ଇସ୍ଲାମିଆ ଅନୁଷ୍ଠାନର ସେଣ୍ଟର ଫର କଲଚର ମିଡ଼ିଆ ଆଣ୍ଡ ଗଭର୍ଣ୍ଣାସ୍ ର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ପ୍ରଫେସର ବିଶ୍ବଜିତ ଦାସ (ଆଭାସୀ ମାଧ୍ୟମରେ), ପି.ଟି.ଆଇ ର ସଂପାଦକ ତଥା ବିଜନେସ ଷ୍ଟାଣ୍ଡାର୍ଡ ଖବରକାଗଜର ଡେପୁଟି ନିଉଜ ଏଡିଟର ଥିରୁମୟ ବାନାର୍ଜୀ ଯୋଗ ଦେଇଥିଲେ । ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ମୁଖ୍ଯ ତଥା କାର୍ଯ୍ୟକ୍ରମର ଆବାହକ ଡକ୍ଟର ଭାରତୀ ବାଳା ପଟ୍ଟନାୟକ ପ୍ରାରମ୍ଭିକ ଉଦବୋଧନ ଦେବା ସହ ଏହି ସମ୍ମିଳନୀର ମୁଖ୍ଯ ଉଦ୍ଦେଶ୍ଯ ସଂପର୍କରେ ଅବଗତ କରାଇଥିଲେ।

ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସାଂପ୍ରତିକ ସମୟରେ ଗଣମାଧ୍ୟମର ଭୂମିକା ତଥା କାର୍ଯ୍ୟକଳାପକୁ ବ୍ୟାଖ୍ୟା କରିବା ସହ ଆଗାମୀଦିନରେ ଏହାକୁ ନିଜ ବୃତ୍ତିଗତ ଜୀବନରେ ଆପଣେଇବାରେ ଇଛୁକ ଛାତ୍ରଛାତ୍ରୀଙ୍କୁ ନୈତିକତା ସହ ସଂଲଗ୍ନ ରହିବା ଉଚିତ ବୋଲି ମତବ୍ୟକ୍ତ କରିବା ସହ ଏହି ଆନ୍ତର୍ଜାତିକ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ବିଭାଗର ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ପ୍ରଫେସର କେ.ଭି ନାଗରାଜ ବର୍ତ୍ତମାନର ରାଜନୀତିରେ କର୍ପୋରେଟ ହାଉସର ଓ ଅପରାଧିକ କାର୍ଯ୍ୟକଳାପ ସମ୍ପୃକ୍ତର ଅଧିକ ହସ୍ତକ୍ଷେପ ଅନୁଭୂତର ପ୍ରକାଶ କରିବା ସହ ରାଜନୀତି କ୍ଷେତ୍ରକୁ ବ୍ୟବସାୟୀକ କ୍ଷେତ୍ର ଭାବେ ପରିବର୍ତ୍ତିତ ହେବାକୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ। ପ୍ରଫେସର ସଂଜୀବ ଭାନୱତ ନିଜ ଉଦବୋଧନରେ ପ୍ରକୃତ ଖବରର ଆତ୍ମା ହଜିବାକୁ ଯାଉଛି କହି ଚିନ୍ତା ପ୍ରକଟ କରିଥିଲେ ଓ ଖବରରେ ପ୍ରକାଶିତ ଭାଷା ,ବ୍ୟବହୃତ ଶବ୍ଦ କୁ ନେଇ ସଚେତନଶୀଳ ହେବାକୁ ପରାମର୍ଶ ଦେଇଥିଲେ। ଗଣମାଧ୍ୟମ ଏକ ନିର୍ଦ୍ଦିଷ୍ଟ ଶକ୍ତିର ଏଜେଣ୍ଟ ନହୋଇ ସାଧାରଣ ଜନତାର ନିକଟବର୍ତ୍ତୀ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ଅଛି ବୋଲି ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ଗଣଯୋଗାଯୋଗ ବିଭାଗର ପୂର୍ବତନ ମୂଖ୍ଯ ପ୍ରଫେସର ଶିଶିର ବାସୁ ନିଜ ଉଦବୋଧନରେ ଉଲ୍ଲେଖ କରିଥିଲେ। ଏଥିସହିତ ଓଡ଼ିଶାର ପୂର୍ବତନ ମୁଖ୍ୟ ସୂଚନା କମିଶନର ଶ୍ରୀ ଦିଲ୍ଲୀପ କୁମାର ବିଷୋଇ ଓ କିଟ୍ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଗଣଯୋଗାଯୋଗ ବିଭାଗର ମୁଖ୍ଯଗଣ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ଦେଶର ପ୍ରମୁଖ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟର ଗବେଷଣାରତ ଛାତ୍ରଛାତ୍ରୀମାନେ ନିଜର ଗବେଷଣାର ସନ୍ଦର୍ଭ ଉପସ୍ଥାପନ କରିଥିଲେ।

କାର୍ଯ୍ୟକ୍ରମ ଶେଷରେ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଯାଇଥିଲା। କାର୍ଯ୍ୟକ୍ରମଟିକୁ ଆସିଷ୍ଟାଣ୍ଟ ପ୍ରଫେସର ସ୍ମିତି ପାଢୀ ସଂଚାଳନ କରିଥିଲେ ଓ ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଅଶେଷ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ଅନ୍ୟାନ୍ଯ ବିଭାଗର ମୁଖ୍ଯ ଓ ଛାତ୍ରୀମାନେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.