ନିର୍ବାଚନ ସମୟରେ କଡ଼ାକଡ଼ି ତଦାରଖ ପାଇଁ ଏନଫୋର୍ସମେଣ୍ଟ ଏଜେନ୍ସିର ନୋଡାଲ ଅଧିକାରୀଙ୍କ ସହ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଜିଲ୍ଲାପାଳ ଶ୍ରୀ ଆଶୀଷ ଠାକରେଙ୍କ ଅଧ୍ୟକ୍ଷତାରେ ବାଲେଶ୍ୱର ପାଇଁ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ବିକାଶ ସିଂ, ସୁଶ୍ରୀ ଅକ୍ଷତା ଶ୍ରୀନିବାସ, ଶ୍ରୀ ଅଙ୍କିତ ସୋମାନି ଏବଂ ଶ୍ରୀ ଜୀତେଶ କୁମାର ଯେନ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଗତକାଲି ବିଭିନ୍ନ ପ୍ରବର୍ତ୍ତନ ଏଜେନ୍ସିର ନୋଡାଲ ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି I

ଏହି ସମୀକ୍ଷା ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିରଞ୍ଜନ ବେହେରା, ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ନୀଳଗିରି ଉପଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ ଓ ପ୍ରମୁଖ ପ୍ରବର୍ତ୍ତନ ଏଜେନ୍ସିର ଅଧିକାରୀ ଯୋଗ ଦେଇଥିଲେ I

ଏହି ବୈଠକରେ ଆୟକର, ଅବକାରୀ, ପୋଲିସ, ଜିଏସଟି, ବ୍ୟାଙ୍କ କତୃପକ୍ଷ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ଏଜେନ୍ସିର ନୋଡାଲ ଅଧିକାରୀ ଯୋଗ ଦେଇ ନିର୍ବାଚନ ସମୟରେ ଖର୍ଚ୍ଚ ପ୍ରଭାବୀ ପ୍ରବର୍ତ୍ତକ ସାମଗ୍ରୀର ନିୟନ୍ତ୍ରଣ ନିମନ୍ତେ ସମସ୍ତ ପଦକ୍ଷପ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ I ନିର୍ବାଚନ ସମ୍ପର୍କିତ କୌଣସି ପ୍ରକାରର ଉଲ୍ଲଙ୍ଘନ ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅଧିକାରୀମାନେ ରିୟଲ ଟାଇମ୍ ରିପୋର୍ଟିଂ ବ୍ୟବସ୍ଥା ଏବଂ ପ୍ରୋଟୋକଲ୍ ଉପରେ ମଧ୍ୟ ଆଲୋଚନା କରିଥିଲେ। ଏନଫୋର୍ସମେଣ୍ଟ ଏଜେନ୍ସିର ନୋଡାଲ ଅଧିକାରୀମାନେ ସେମାନଙ୍କର ପରିଚାଳନାଗତ ଯୋଜନା ବିଷୟରେ ତଥ୍ୟ ପ୍ରଦାନ କରିଥିଲେ ଏବଂ ବେଆଇନ ଉପାୟରେ ନିର୍ବାଚନ ପ୍ରକ୍ରିୟାକୁ ଖରାପ କରିବାର କୌଣସି ପ୍ରୟାସ ବିରୋଧରେ କଡା ସତର୍କତା ଏବଂ ତ୍ୱରିତ କାର୍ୟ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

ଅବାଧ ଓ ସ୍ଵଚ୍ଛ ନିର୍ବାଚନରେ ଯେପରି କୌଣସି ବାଧକ ନ ଆସେ, ସେଥିପାଇଁ ସମସ୍ତ ପ୍ରବର୍ତ୍ତନ ଏଜେନ୍ସି ମିଳିତ ଭାବେ କାମ କରିବାକୁ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ଅନୁରୋଧ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.