ଜୀବନ, ସାହିତ୍ୟ ଓ ସଂଘର୍ଷକୁ ନେଇ ମତ ରଖିଲେ ଡ. ଇତି ସାମନ୍ତ
ଓଡିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଜୀବନଶୈଳୀ ଓ ସାହିତ୍ୟକୁ ନେଇ କାର୍ଯ୍ୟରତ ସଂସ୍ଥା ଲାଇଫରେଚର ଓ କଳାହାଣ୍ଡି ଲେଖିକା ସଂଘ ଆନୁକୁଲ୍ୟରେ ଭବାନୀପାଟଣା ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାଗୃହଠାରେ ଲାଇଫରେଚର ମିଳନ ମେହଫିଲ ‘ଇତି ଅଭିବ୍ୟକ୍ତି’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ‘କାଦମ୍ବିନୀ’ ପତ୍ରିକାର ସଂପାଦିକା ଡ. ଇତି ସାମନ୍ତ ଯୋଗଦେଇ ଜୀବନ, ସାହିତ୍ୟ, ସଂପାଦନା ଓ ସଂଘର୍ଷକୁ ନେଇ ନିଜ ଅନୁଭୂତି ବଖାଣିବା ସହ ଉପସ୍ଥିତ ସାହିତ୍ୟପ୍ରେମୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ଲାଇଫରେଚର୍ ଆବାହକ ସୁଧୀର କୁମାର ଧଙ୍ଗଡ଼ାମାଝୀ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ବିଶିଷ୍ଟ ଲେଖିକା ଡ. ପଲ୍ଲୀଶ୍ରୀ ପଟ୍ଟନାୟକ ‘ଇତି : ସଂକ୍ଷିପ୍ତ ପରିଚିତି’ ଏବଂ ବିଶିଷ୍ଟ ଲେଖକ ପରମେଶ୍ବର ମୁଣ୍ଡ ‘କାଦମ୍ବିନୀ@୨୫’ ଉପସ୍ଥାପନ କରିଥିଲେ। କଳାହାଣ୍ଡି ଲେଖିକା ସଂଘ ସଂପାଦିକା କଳ୍ପନା ରଥ ଓ ଅଧ୍ୟକ୍ଷା ସୁଦେଷ୍ଣା ପଣ୍ଡା କାଦମ୍ବିନୀକୁ ଅଭିନନ୍ଦନ ଜଣାଇଥିଲେ। ମଞ୍ଚ ପରିଚାଳନା କରିଥିଲେ ଲାଇଫରେଚର ଆବାହକ ଡିଲେଶ୍ୱର ରଣା। ଏହି ଅବସରରେ ‘କାଦମ୍ବିନୀ’ ପତ୍ରିକାର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଲାଇଫରେଚର ଓ କଳାହାଣ୍ଡି ଲେଖିକା ସଂଘ ପକ୍ଷରୁ ସଂପାଦିକା ଡ. ଇତି ସାମନ୍ତଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମାନପତ୍ର ପାଠ କରିଥିଲେ ଲାଇଫରେଚର ସଂପାଦକ ରଜତ ବଂଶଲ। ଯୁବ କଣ୍ଠଶିଳ୍ପୀ ଲିପ୍ସା ମହାରଣା ଓ ତ୍ରିନାଥ ଶ୍ୟାମ କୁମାର କଳାହାଣ୍ଡିଆ ଗୀତ ପରିବେଷଣ କରିଥିଲେ। ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ସାହିତ୍ୟ ପ୍ରେମୀ ଯୋଗଦେଇଥିଲେ।