କପଟ ପଶାଖେଳରେ ଧର୍ମ ନନ୍ଦନ ଯୁଧିଷ୍ଠିର ସର୍ବସ୍ବ ହରାଇ, ସର୍ତ୍ତ ଅନୁଯାୟୀ ପାଞ୍ଚାଳୀ ଓ ଭାଇ ମାନଙ୍କ ସହ ବାହାରିଲେ ବାରବର୍ଷ ବନବାସ ଓ ଏକବର୍ଷର ଅଜ୍ଞାତ ବାସ ପାଇଁ l ଧର୍ମଙ୍କ ଅବତାର ବନ ବାସକୁ ଯାଉଛନ୍ତି, ମୁନିଋଷି ମାନେ ବା ତାଙ୍କୁ ଛାଡ଼ି ରହନ୍ତେ କିପରି, ସେମାନେ ମଧ୍ୟ ତାଙ୍କସହ ଚାଲିଲେ ବନକୁ l ନିର୍ଧନ ଯୁଧିଷ୍ଠିର ଖୁବ୍ ଚିନ୍ତାରେ ପଡ଼ିଗଲେ ଆମେ ତ ଏବେ ଭିକାରୀ, ଏ ସମସ୍ତ ମୁନି ଋଷିଙ୍କୁ ପୁଣି କିପରି ଆପ୍ୟାୟିତ କରିବୁ ! ତେଣୁ ସେ ୠଷିମାନଙ୍କୁ ଯୋଡ଼ ହସ୍ତରେ ନିବେଦନ କଲେ,’ ଆପଣମାନେ ଦୟାକରି ଇନ୍ଦ୍ରପ୍ରସ୍ଥ ଫେରି ଯାଆନ୍ତୁ’ l ଋଷିମାନେ ଧର୍ମରାଜଙ୍କ ଶୋଚନାର କାରଣ ଜାଣି ପାରି ତାଙ୍କୁ କହିଲେ, ହେ ଧର୍ମରାଜ ! ତୁମେ ସୂର୍ଯ୍ୟଙ୍କୁ ପ୍ରାର୍ଥନାକର, ସେ ତୁମର ସମସ୍ୟା ସମାଧାନ କରିଦେବେ l
ଯୁଧିଷ୍ଠିର କଠୋର ତପସ୍ୟା ଆରମ୍ଭ କରି ଦେଲେ l ତାଙ୍କ ତପସ୍ୟାରେ ତୁଷ୍ଟ ହୋଇ ସୂର୍ଯ୍ୟଦେବତା ଆସି ପହଞ୍ଚିଲେ l ଯୁଧିଷ୍ଠିର, ତପସ୍ୟାରେ ଏତେ ମାତ୍ରାରେ ନିମଗ୍ନଥିଲେ ଯେ ସେ ଦିବାକରଙ୍କ ଉପସ୍ଥିତିକୁ ଜାଣି ପାରିଲେ ନାହିଁ l ସୂର୍ଯ୍ୟଦେବତା ଅତୀବ ପ୍ରିତହୋଇ ତାଙ୍କୁ ଏକ ପାତ୍ର ପ୍ରଦାନ କରି କହିଲେ, ନିଅ ବତ୍ସ ! ଏହାହେଉଛି ଅକ୍ଷୟପାତ୍ର l ତୁମ କ୍ଷୁଧାନିବାରଣରେ ଏହା ସହାୟକ ହେବ l ଏହି ଅକ୍ଷୟ ପାତ୍ରରୁ ତୁମେ ତୁମ ଇଚ୍ଛାନୁଯାୟୀ ଖାଦ୍ୟାନ୍ନ ଆହରଣ କରିପାରିବ l ଯଶଶ୍ଵିନୀ ଦ୍ରୌପଦୀ, ଏହି ପାତ୍ରରୁ ଶେଷ ଭକ୍ଷଣ ନ ସାରିଲା ପର୍ଯ୍ୟନ୍ତ, ଏଥିରୁ କେବେ ଅନ୍ନ ଶେଷ ହେବ ନାହିଁ l ଯୁଧିଷ୍ଠିରଙ୍କ ସହ ସମସ୍ତ ପାଣ୍ତବ ମାନେ ଖୁସି ହୋଇଗଲେ, “ଯାହା ହେଉ, ଆମେ ଏଥର ସମସ୍ତ ଅତିଥି, ଅଭ୍ୟାଗତଙ୍କୁ ସେବା କରିବାରେ ଆଉ କିଛି ଅସୁବିଧା ରହିବନାହିଁ “l ଭୋଜନପ୍ରୀୟ ବୃକୋଦର ସବୁଠାରୁ ବେଶି ଖୁସିହେଲେ l ବନ ବାସ କାଳରେ ପାଣ୍ଡବ ମାନଙ୍କ ନିକଟକୁ ବହୁ ମୁନିୠଷି ଅବଲୀଳା କ୍ରମେ ଆସୁଥିଲେ ଓ ସେମାନଙ୍କ ଆତିଥେୟତାରେ ତୃପ୍ତ ହେଉଥିଲେ l
ଯୁଧିଷ୍ଟିରଙ୍କ ଅକ୍ଷୟ ପାତ୍ର ପ୍ରାପ୍ତି ଖବର ହସ୍ତିନାରେ ପହଞ୍ଚିଲା l ଏହା ଶୁଣି ଦୁର୍ଯ୍ୟୋଧନ ଅତ୍ୟନ୍ତ ବିବ୍ରତ ହୋଇ ପଡ଼ିଲା l ଦିନକର କଥା l ସେତେ ବେଳେ ପାଣ୍ତବମାନେ ଦ୍ୱୈତବନରେ ବାସକରୁଥାନ୍ତି l ମନ୍ଦ ମତି ଦୁର୍ଯ୍ୟୋଧନ ଅତି ସୁଖରେ ରାଜ୍ୟଭୋଗ କରୁ ଥିଲେ ମଧ୍ୟ ସଦା ସର୍ବଦା ପାଣ୍ଡବ ମାନଙ୍କର ଅନିଷ୍ଟ ଚିନ୍ତାରେ ଥାଏ l ଭାଗ୍ୟକୁ, ଏହି ସମୟରେ ଦିନେ ମହାକ୍ରୋଧୀ ମହର୍ଷି ଦୁର୍ବାସା, ତାଙ୍କର ଦଶ ହଜାର ଶିଷ୍ୟଙ୍କ ଗହଣରେ ଆସି, ହସ୍ତିନାରେ ପହଞ୍ଚିଲେ l ତାଙ୍କ ଜିଭ ଅଗରେ ଅଭିଶାପ, ସତ୍କାରରେ ଟିକିଏ ତ୍ରୁଟି ହେଲେ କଣଯେ ପରିଣାମ ହେବ ତାହା କହି ହେବନାହିଁ l ଏକଥାକୁ ଧ୍ୟାନରେ ରଖି ଦୁର୍ଯ୍ୟୋଧନ ଦୁର୍ବାସାଙ୍କ ଯଥାରୀତି ଭବ୍ୟ ସତ୍କାର କଲେ l ଋଷି ଦୁର୍ବାସା ପରମ ତୃପ୍ତି ଲାଭ କରି ହସ୍ତିନାରୁ ବିଦାୟ ନେବାବେଳେ ଦୁର୍ଯ୍ୟୋଧନଙ୍କୁ ବରଯାଚିଲେ l ବର ପ୍ରାର୍ଥନାକରି ଦୁର୍ମତି ଦୁର୍ଯ୍ୟୋଧନ କହିଲା, ପ୍ରଭୋ ! ହସ୍ତିନାରେ ପଦାର୍ପଣ କରି, ଆମ ମାନଙ୍କୁ ଆପଣ ଅନୁଗ୍ରହ କରିଛନ୍ତି l ଆପଣଙ୍କ ଆଶୀର୍ବାଦରୁ ଆମ୍ଭ ମାନଙ୍କର ତିଳେ ମାତ୍ର ଦୁଃଖ ଦୈନ୍ୟ ନାହିଁ l ଆମ ବଂଶର ଜ୍ୟେଷ୍ଠ ହେଉଛନ୍ତି, ଭାଇ ଯୁଧିଷ୍ଠିର l ସେ ବର୍ତ୍ତମାନ ତାଙ୍କ ଭାଇ ଓ ପତ୍ନୀ ଦ୍ରୌପଦୀଙ୍କ ସହ ବନବାସ କରୁଛନ୍ତି l ଆମ ଇଚ୍ଛା, ଆପଣ ତାଙ୍କର ଆତିଥ୍ୟ ଗ୍ରହଣକରି ଆମ୍ଭମାନଙ୍କ ପରି ତାଙ୍କୁ ମଧ୍ୟ ଅନୁଗ୍ରହ କରନ୍ତୁ l କିନ୍ତୁ, ଆପଣ ସେଠାରେ ସେହି ସମୟରେ ପହଞ୍ଚିବେ ଯେତେବେଳେ ଯଶସ୍ବୀନୀ ଦ୍ରୌପଦୀ ଭୋଜନ କରି ସାରି ଥିବେ “l ଦୁର୍ବାସା ତାଙ୍କର ଏ ପ୍ରାର୍ଥନା ସ୍ୱୀକାର କଲେ l ଦୁର୍ଯ୍ୟୋଧନ ମନେ ମନେ ଚିନ୍ତା କଲେ ପାଣ୍ଡବଙ୍କର ଏହି ବାର ଆଉ ନିସ୍ତାର ନାହିଁ l ପାଣ୍ଡଵ ମାନେ ନିଜେ ବନ୍ୟ ଫଳମୂଳ ଖାଇ ଚଳୁଛନ୍ତି l କ୍ରୋଧୀ ଦୁର୍ବାସା ଯାଇ ପହଞ୍ଚିବେ, ଦ୍ରୌପଦୀଙ୍କ ଭୋଜନ ସରିଲା ପରେ l ତାଙ୍କ ଅକ୍ଷୟପାତ୍ର ମଧ୍ୟ ଅସମର୍ଥ ହେବ, ମହର୍ଷିଙ୍କୁ ତୃପ୍ତ କରିବା ପାଇଁ l ପାଣ୍ଡଵମାନେ ନିଶ୍ଚୟ ଏଥର ଦୁର୍ବାସାଙ୍କ କ୍ରୋଧର ଶିକାର ହୋଇ ଅଭିଶାପରେ ସମ୍ପୂର୍ଣ୍ଣ ରୂପେ ଭସ୍ମ ହେବେ l
ଦୁର୍ଯ୍ୟୋଧନ ଏମିତି ପାଣ୍ଡଵ ମାନଙ୍କ କ୍ଷତିକୁ ନିଜର ଲାଭ ବିଚାରି, ଆନନ୍ଦିତ ହେଲେ l ମହର୍ଷି ଦୁର୍ବାସା ତାଙ୍କ କଥା ଅନୁସାରେ ତାଙ୍କ ଦଶ ହଜାର ଶିଷ୍ୟଙ୍କ ମେଳରେ ଯାଇ ପାଣ୍ଡବ ମାନଙ୍କ ଶିବିରରେ ପହଞ୍ଚି ଗଲେ l ଧର୍ମରାଜ, ଦ୍ରୌପଦୀ ଓ ଭାଇମାନଙ୍କ ସହ ଆସି ତାଙ୍କର ପଦ ବନ୍ଦନା କରି କହିଲେ, ଆପଣ ସ୍ନାନ ସାରି ଆସି ଆମର ଆତିଥ୍ୟ ଗ୍ରହଣ କରନ୍ତୁ l ସେତେ ବେଳକୁ ଦ୍ରୌପଦୀ ଭୋଜନ ସାରି ଦେଇ ଥାନ୍ତି l ମହର୍ଷି ଶିଷ୍ୟ ମାନଙ୍କୁ ଧରି ସ୍ନାନ ନିମନ୍ତେ ଚାଲିଗଲେ l ଏଣେ ପାଣ୍ଡଵ ଶିବିରରେ ଭାଳେଣି ପଡ଼ିଲା, ୠଷିଙ୍କୁ କିପରି ତୃପ୍ତ କରାଯାଇ ପାରିବ l ଅକ୍ଷୟ ପାତ୍ର ଶୂନ୍ୟ !! ଦୁର୍ବାସାଙ୍କ କୋପରୁ ରକ୍ଷା ପାଇବା ପାଇଁ, ଦ୍ରୌପଦୀ ଅନନ୍ୟୋପାୟ ହୋଇ ଭଗବାନ୍ ଶ୍ରୀକୃଷ୍ଣଙ୍କୁ ସ୍ମରଣ କଲେ l
ଦ୍ରୌପଦୀଙ୍କ କାତର ପ୍ରାର୍ଥନା ଶୁଣି, ସଙ୍ଗେ ସଙ୍ଗେ ଆସି ଶ୍ରୀକୃଷ୍ଣ ଉପସ୍ଥିତହେଲେ l ପାଞ୍ଚାଳୀଙ୍କ କଥା ଶୁଣିବା ପୂର୍ବରୁ ଶ୍ରୀକୃଷ୍ଣ କହିଲେ,’ମୋତେ ଭୋକ ଲାଗୁଛି କଣ ଖାଇବାକୁ ଦିଅ l ମୋର କ୍ଷୁଧା ଶାନ୍ତ ନହେଲା ପର୍ଯ୍ୟନ୍ତ ମୁଁ ତୁମ କଥା କିଛି ବୁଝି ପାରିବି ନାହିଁ’ l ଦ୍ରୌପଦୀ ଚିନ୍ତାରେ ପଡ଼ିଲେ l ଦୁର୍ବାସାଙ୍କ ବ୍ୟବସ୍ଥା କରିବା ନିମନ୍ତେ, ସେ ଯାହାଙ୍କ ସାହାଯ୍ୟ କାମନା କରିଛନ୍ତି, ସେ ନିଜେ କ୍ଷୁଧିତ l ଦ୍ରୌପଦୀ ଯେତେ ବୁଝାଇଲେ ମଧ୍ୟ ସେ କିଛି ବୁଝୁ ନଥାନ୍ତି l ଶେଷକୁ କୃଷ୍ଣ କହିଲେ,’ପରିହାସ କରନାହିଁ ସଖି, ତୁମ ଥାଳିଟି ଆଣି ମୋତେ ଦେଖାଇଲ ମୁଁ ଦେଖିବି ତୁମେ ସତ କହୁଛ ନା ମିଛ’ l ଏହା ଶୁଣି ଦ୍ରୌପଦୀ ତାଙ୍କ ଥାଳିଟି ଆଣି ଦେଖାଇବାରୁ କୃଷ୍ଣ ଦେଖିଲେ, ଥାଳିର ଗୋଟିଏ କୋଣରେ ଟିକିଏ ଶାକାନ୍ନ ଲାଗି ରହିଛି l କୃଷ୍ଣ ଶାଗକଣଟି ପାଟିରେ ତୁରନ୍ତ ପକାଇ ଦେଇ କହିଲେ, ହେ ଅନ୍ତରାତ୍ମା ! ତୁମେ ଏଇଥିରେ ପରିତୃପ୍ତ ହୁଅ l ସେତକ ଖାଇ ସେ ଜଣା ପଡ଼ିଲେ ସତରେ ଯେମିତି ଦିବ୍ୟ ଭୋଜନ କରିଛନ୍ତି l
ୠଷି ଦୁର୍ବାସାଙ୍କ ଆସିବା ଡେରି ହେଉଥାଏ l କୃଷ୍ଣ ସହଦେଵଙ୍କୁ କହିଲେ, ଯାଆ ! ଋଷିଙ୍କୁ ଶୀଘ୍ର ଡାକି ନେଇଆସ l ଶ୍ରୀକୃଷ୍ଣଙ୍କ କଥାରେ ସହଦେଵ ସଙ୍ଗେ ସଙ୍ଗେ ଚାଲିଲେ ନଦୀ ଅଭିମୁଖେ l
ନଦୀରେ ସ୍ନାନକରୁଥିଲା ବେଳେ ଦୁର୍ବାସାଙ୍କ ଶିଷ୍ୟ ମାନେ ଅନୁଭବ କରୁ ଥାନ୍ତି, ଯେପରି ତାଙ୍କ ଉଦର ପୂର୍ଣ୍ଣ ହୋଇ ଯାଇଛି, ସେମାନେ ମହର୍ଷି ଦୁର୍ବାସାଙ୍କୁ କହିଲେ, ” ଗୁରୁଦେବ ! ଆମକୁ ଆକଣ୍ଠ ଭୋଜନ କଲା ଭଳି ଲାଗୁଛି l ଯୁଧିଷ୍ଠିର ଅପେକ୍ଷା କରି ବସି ଥିବେ, ଆମେ କଣ କରିବୁ କୁହନ୍ତୁ l ଏହି ସମୟରେ ୠଷି ଦୁର୍ବାସା ଲକ୍ଷ୍ୟକଲେ ଦୂରରୁ ସହଦେଵ ଆସୁଛନ୍ତି l ଶିଷ୍ୟ ମାନଙ୍କ କଥାରୁ ସେ ବୁଝିଯାଇଥାନ୍ତି କ’ଣ ହୋଇଛି ବୋଲି, ସେ ଶିଷ୍ୟ ମାନଙ୍କୁ ଡାକି କହିଲେ,” ହେଇ ଦେଖ, ସହଦେଵ ଆମ ମାନଙ୍କୁ ଡାକିବାକୁ ଆସୁଛନ୍ତି l ତୁମେ ମାନେ ଯିଏ ଯୁଆଡ଼େ ପାରୁଛ ପଳାଇ ଯାଅ l ଏ ବିଷ୍ଣୁଭକ୍ତ ମାନଙ୍କୁ ମୋର ପ୍ରାଣରେ ଭୟ l ଏକଦା ବିଷ୍ଣୁ ଭକ୍ତ ରାଜା ଅମ୍ବରୀଶଙ୍କ ସହ ଦ୍ରୋହ କରି, ମୁଁ ଯେପରି ଦୁର୍ଦ୍ଦଶା ଭୋଗି ଥିଲି,ତାହା ମୋ ମନରୁ ପାଶୋର ଯାଇ ନାହିଁ l ପାଣ୍ଡଵ ମାନେ ଭଗବାନ ଶ୍ରୀକୃଷ୍ଣଙ୍କ ଆଶ୍ରିତ l ସେମାନେ କ୍ରୁଦ୍ଧ ହେଲେ ଆମ ମାନଙ୍କର ରକ୍ଷା ନାହିଁ l ଏକଥା ଶୁଣି ସମସ୍ତେ କିଏ କୁଆଡ଼େ ଦୌଡ଼ି ପଳାଇ ଗଲେ l ସହଦେଵ ପହଞ୍ଚି ଦେଖନ୍ତି ତ, ମହର୍ଷି ନାହାଁନ୍ତି କି ତାଙ୍କ ଶିଷ୍ୟମାନେ ମଧ୍ୟ ନାହାଁନ୍ତି l ସେ ଫେରିଆସି ଶିବିରରେ ଏକଥା କହିଲେ l ପାଣ୍ଡଵ ମାନେ ବୁଝି ଗଲେ ଏହାର ସମସ୍ତ ରହସ୍ୟ l ଶ୍ରୀକୃଷ୍ଣ ପାଖରେ ଛିଡ଼ା ହୋଇ ଥାନ୍ତି l ତାଙ୍କ ଶ୍ରୀମୁଖରେ ଲାଗି ରହି ଥାଏ ସେହି ଭୁବନ ମୋହନ ହସ l ଅକ୍ଷୟପାତ୍ର ଥିବାହେତୁ ପାଣ୍ତବ ମାନେ ବନବାସ ସ୍ୱଚ୍ଛନ୍ଦରେ କଟାଉ ଥିଲେ l ଧର୍ମରାଜ ଯୁଧିଷ୍ଠିରଙ୍କ ସୂର୍ଯ୍ୟଙ୍କ ଠାରୁ ଅକ୍ଷୟ ପାତ୍ର ପ୍ରାପ୍ତିର ଦିବସ ଥିଲା ବୈଶାଖ ଶୁକ୍ଳତୃତୀୟା ବା ଅକ୍ଷୟ ତୃତୀୟା l