ବିଜେଡ଼ିର ପ୍ରଚାରରେ ମୁଖରିତ ନର୍ଲା ନିର୍ବାଚନ ମଣ୍ଡଳୀ: ବିଧାୟକ ପ୍ରାର୍ଥୀ ମନୋରମା ମହାନ୍ତିଙ୍କୁ ଗାଁ ଗାଁରେ ଭବ୍ୟ ସ୍ବାଗତ ଓ ବନ୍ଦାପନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ମଇ ୧୩ରେ କଳାହାଣ୍ଡି ସାଂସଦୀୟ କ୍ଷେତ୍ରର ଭୋଟର ନିଜ ନିଜର ମତଦାନ ସାବ୍ୟସ୍ତ କରିବେ। ଗଣତନ୍ତ୍ରର ଏହି ମହାପର୍ବକୁ ନେଇ ସମସ୍ତଙ୍କ ମଧ୍ୟରେ ଭରି ରହିଛି ପ୍ରବଳ ଉତ୍ସାହ ଉଦ୍ଦୀପନା। ଏଥର ନର୍ଲାରେ ମୋଟ ୧୨ଜଣ ବିଧାୟକ ପ୍ରାର୍ଥୀ ପ୍ରତିଦ୍ବନ୍ଦିତାକୁ ଓହ୍ଲାଇଛନ୍ତି। ବିଜେଡ଼ିରୁ ମନୋରମା ମହାନ୍ତି, ବିଜେପିରୁ ଅନିରୁଦ୍ଧ ପଧାନ, କଂଗ୍ରେସରୁ ଭକ୍ତ ଚରଣ ଦାସ, ବିଏସପିରୁ ଦୂର୍ଯ୍ୟୋଧନ କୁମାର, ଏଆଇଏଫବିରୁ ଶିବରାମ ନାଏକ, ଆମ୍ବେଦକରରାଇଟ ପାର୍ଟିରୁ ଗଭୀର ସୁନା, ଜାତୀୟ ଆପନା ପାର୍ଟିରୁ ଶଶିଦେବ ହରିଜନ, ଆପ୍ ରୁ ପୃଥିରାଜ ଛତ୍ରୀଆ, ସ୍ବାଧିନ ପ୍ରାର୍ଥୀ ଭାବେ ୪ଜଣ; ପ୍ରଦୀପ କୁମାର ନାଏକ, କାଜଲ ପଟ୍ଟନାୟକ, ଟିକେମନ୍ ଦୀପ ଓ ରୋଜାଲିନ ଜାଲ ଲଢ଼େଇ କରୁଛନ୍ତି। ତେବେ ତିନି ପ୍ରମୁଖ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖି ପ୍ରତିଦ୍ବନ୍ଦ୍ବିତା ହେବ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି। ବର୍ତ୍ତମାନ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସମସ୍ତ ପ୍ରାର୍ଥୀ ନିଜ ନିଜ ପ୍ରଚାରରେ ଲାଗି ରହିଥିବାବେଳେ ବିଜୁ ଜନତା ଦଳ ମଧ୍ୟ ମାରାଥନ୍ ପ୍ରଚାରରେ ଲାଗି ପଡ଼ିଛି। ବାଇକ୍ ଶୋଭାଯାତ୍ରା, ରୋଡ଼ ସୋ, ନିର୍ବାଚନୀ ସଂଗୀତ, ପଥପ୍ରାନ୍ତ ସଭା ଓ ବିଜେଡ଼ି ବିଧାୟକ ପ୍ରାର୍ଥୀ ମନୋରମା ମହାନ୍ତିଙ୍କ ଘରକୁ ଘର ଭୋଟ ଭିକ୍ଷାକୁ ନେଇ ମୁଖରିତ ହୋଇ ଉଠିଛି ଗ୍ରାମ୍ୟ ପରିବେଶ। ଶ୍ରୀମତୀ ମହାନ୍ତି ନିଜ ନିର୍ବାଚନ ମଣ୍ଡଳୀର ମ.ରାମପୁର, କର୍ଲାମୁଣ୍ଡା, କେସିଙ୍ଗା ଓ ନର୍ଲା ବ୍ଲକର ୬୭ଗୋଟି ପଞ୍ଚାୟତର ଗ୍ରାମମାନଙ୍କୁ ଯାଇ ଭୋଟ ଭିକ୍ଷା କରୁଛନ୍ତି। ଏହି ସମୟରେ ଗାଁ ଗାଁରେ ମହିଳାମାନେ ବିଧାୟକ ପ୍ରାର୍ଥୀ ମନୋରମା ମହାନ୍ତିଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ବନ୍ଦାପନା କରୁଥିବା ଦେଖାଯାଇଛି। ସେ ଦଳୀୟ କାର୍ଯ୍ୟକର୍ତ୍ତା, ସମର୍ଥକ ଓ କର୍ମୀମାନଙ୍କ ସହ ମାରାଥନ୍ ପ୍ରଚାରରେ ଲାଗି ପଡ଼ିଛନ୍ତି। ଏହି ଅବସରରେ ନର୍ଲା ବିଧାୟକ ପ୍ରାର୍ଥୀ ମନୋରମା ମହାନ୍ତି କହିଛନ୍ତି ଯେ, ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ସରକାର ରାଜ୍ୟରେ ଶାନ୍ତି ପ୍ରତିଷ୍ଠା କରିଛନ୍ତି, ତେଣୁ ବିକାଶ ହେଉଛି। ଶଙ୍ଖ ହେଉଛି ବିକାଶର ଚିହ୍ନ। ତେଣୁ ଯୋଡ଼ି ଶଙ୍ଖରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିପୁଳ ସଂଖ୍ୟାରେ ଜୟଯୁକ୍ତ କରାଇବା ପାଇଁ ଜନତାଙ୍କୁ ସେ ନିବେଦନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.