ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପାଖେଇ ଆସୁଛି ନିର୍ବାଚନ। ଜମୁଛି ପ୍ରଚାର। ସମସ୍ତ ପ୍ରାର୍ଥୀ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବାବେଳେ ମାରାଥନ୍ ପ୍ରଚାର ଚଳାଇଛନ୍ତି ବିଜେଡ଼ିର ନର୍ଲା ବିଧାୟିକା ପ୍ରାର୍ଥୀନୀ ମନୋରମା ମହାନ୍ତି। ଶୁକ୍ରବାର ସେ ସମର୍ଥକଙ୍କ ଗହଣରେ ନର୍ଲା ବ୍ଲକର ଭୀମକେଲା ଠାରୁ ପ୍ରଚାର ଆରମ୍ଭ କରି ପଲସାପଡା, ବୁର୍ଡିପଡା, ତିତକେଲା, ନାଏକ ପଡ଼ା, ଶିରପୁର, ଭଟାଖମାର, ଗିଧାମାଲ, ଧଅଁରାମାଲ, କଲାରପଦର, ଭାଲୁକଟା, ରୁପ୍ରା, ସାଲିଙ୍ଗ, ଟକର୍ଲା ଆଦି ଅନେକ ଗ୍ରାମ ବୁଲି ନିଜ ପ୍ରଚାର କରିଥିଲେ। ଯୋଡ଼ି ଶଙ୍ଖରେ ବିଧାୟିକା ପ୍ରାର୍ଥୀନୀ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ମନୋରମା। ଗ୍ରାମବାସୀ ଓ ମହିଳାମାନଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିଥିଲା। ତେବେ ଆଜି ପ୍ରଚାରର ମୁଖ୍ୟ ଆକର୍ଷଣ ଥିଲେ ପଶ୍ଚିମ ଓଡ଼ିଶାର ଖ୍ୟାତନାମା କଣ୍ଠଶିଳ୍ପୀ ରୁକୁ ସୁନା। ଶ୍ରୀ ସୁନା ପାଦରେ ଚାଲି ଚାଲି ବିଜେଡ଼ି ପ୍ରାର୍ଥୀନୀ ମନୋରମା ମହାନ୍ତିଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ଯୁବପିଢି ସେମାନଙ୍କ ପ୍ରୀୟ ନାୟକଙ୍କ ସାନିଧ୍ୟ ଲାଭ କରି ବେଶ୍ ଖୁସି ଥିବା ପ୍ରକାଶ କରିଛନ୍ତି। ଆଜିର ଦିନ ତମାମ ପ୍ରଚାର କାର୍ଯ୍ୟକ୍ରମରେ ନର୍ଲା ଜିଲ୍ଲାପରିଷଦ ସଦସ୍ୟ ହରିଶଙ୍କର ମାଝୀ ଓ ନମ୍ରତା ସାହୁ, ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ସାମିଲ ହୋଇଥିଲେ।