ଜମୁଛି ସର୍ଗିଗୁଡାର ୨୪ ପ୍ରହର ନାମ ଯଜ୍ଞ 

ଅନ୍ନଛତ୍ରରେ ୫ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ପ୍ରାସାଦ ସେବନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗୀଗୁଡାର ୨୪ ପ୍ରହର ନାମଯଜ୍ଞର ମଙ୍ଗଳବାର ଥିଲା ଦ୍ଵିତୀୟ ଦିବସ। ସକାଳୁ ରାତିଯାଏଁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ଲାଗି ରହିଥିଲା। ଅଖଣ୍ଡ ନାମଯଜ୍ଞ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ନିମନ୍ତ୍ରିତ ୧୪ ଗୋଟି ସଙ୍କୀର୍ତ୍ତନ ମଣ୍ଡଳୀ ଆସିସାରିଥିବା ବେଳେ ଜମିଉଠିଛି ନାମଯଜ୍ଞ। ନାମଯଜ୍ଞ ପରିଚାଳନା ସମିତି ସମେତ ଗ୍ରାମବାସୀ ଓ ଯୁବପିଢୀ ଲଗି ପଡିଛନ୍ତି ଅତିଥି ସେବାରେ। ଅନ୍ୟପକ୍ଷେ ସର୍ଗିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଅନ୍ନଛତ୍ରରେ ୫,୦୦୦ ରୁ ଉର୍ଦ୍ଧ୍ବ ଭକ୍ତ ସାମୁହିକ ପ୍ରାସାଦ ସେବନ କରିଥିବା ଆୟୋଜକ କମିଟି ସୂଚନା ପ୍ରଦାନ କରିଛନ୍ତି। ନର୍ଲା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ନାମଯଜ୍ଞରେ ସାମିଲ ହେବା ସହ ଅନ୍ନଛତ୍ରରେ ପ୍ରାସାଦ ସେବନ କରିଥିବା ଦେଖିବାକୁ ମିଳିଛି। ସର୍ଗିଗୁଡା ମାଝିପଡାର ସ୍ଵେଚ୍ଛାସେବୀ ମହିଳାମାନେ ସାବିତ୍ରୀ ମାଝୀଙ୍କ ନେତୃତ୍ଵରେ ଅନ୍ନଛତ୍ର ପାଇଁ ପରିବା କାଟିବା ଦାୟୀତ୍ବ ତୁଲାଉଥିବା ଜଣାପଡ଼ିଛି। ସଂକୀର୍ତ୍ତନ ମଣ୍ଡଳୀ ମାନଙ୍କ ରହିବା ପାଇଁ ସର୍ଗିଗୁଡା ୟୁପି ସ୍କୁଲ ଓ ଡିଗିରାପଡା ପ୍ରାଥମିକ ବିଦ୍ୟାଳୟରେ ବ୍ୟବସ୍ଥା କରାଯାଇଛି। ବୁଧବାର ନାମଯଜ୍ଞର ତୃତୀୟ ଦିବସ। ଗୁରୁବାର ସକାଳେ ପୂର୍ଣ୍ଣାହୂତି ପଡ଼ିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.