ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପାରିବାରିକ କଳହରୁ ନିଜ ସ୍ତ୍ରୀକୁ ଆକ୍ରମଣ କରିବା ସହିତ ଟାଙ୍ଗିଆରେ ଚାରିଚୋଟ ମାରି ଲହୁଲୁହାଣ କରିଦେଇଛି ସ୍ୱାମୀ। ସ୍ତ୍ରୀକୁ ଗୁରୁତର ଭାବେ ଉଦ୍ଧାର କରି ପ୍ରଥମେ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସେଠାରୁ ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନାନୁଯାୟୀ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ କପାଗୁଡା ଗାଁର ପୁରୁଷୋତ୍ତମ ମାଝୀ(୩୬) ନାମକ ଜଣେ ଯୁବକ ନିଜ ସ୍ତ୍ରୀ ବୈଜୟନ୍ତୀ ମାଝୀ(୩୫)କୁ ଆଜି ଦିନବେଳେ ଗୋଡେଇ ଗୋଡେଇ ଏକ ଟାଙ୍ଗିଆରେ ଆକ୍ରମଣ କରିବା ସହିତ ଚୋଟ ପରେ ଚୋଟ ପକାଇବାରୁ ଘଟଣାସ୍ଥଳରେ ହିଁ ବୈଜୟନ୍ତୀ ଟଳି ପଡ଼ିଥିଲେ। ତାଙ୍କୁ ଗୁରୁତର ଭାବେ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସେଠାରୁ ବିଷମକଟକସ୍ଥିତ ଖ୍ରୀଷ୍ଟିଆନ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି। ଏନେଇ ତାଙ୍କର ଜଣେ ସମ୍ପର୍କୀୟ ଅକୁର ମାଝୀଙ୍କ ଅଭିଯୋଗକୁ ଭିତ୍ତି କରି ଲାଞ୍ଜିଗଡ଼ ଥାନାଧିକାରୀ ବିଜୟଲକ୍ଷ୍ମୀ ହିକକାଙ୍କ ନେତୃତ୍ୱରେ ପୁଲିସ ବଳ ଅଭିଯୁକ୍ତ ପୁରୁଷୋତ୍ତମକୁ ଥାନାକୁ ଆଣି ପଚରାଉଚୁରା କରୁଥିବା ଜଣାପଡିଛି। ଏନେଇ ପୁଲିସ ପକ୍ଷରୁ କେସ ନଂ ୬୧/୨୦୨୪ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଏସଆଇ ଲିଙ୍ଗରାଜ ସେଠୀ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.